ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଭୋଟର ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

0

ଯାଜପୁର(ସଂକେତ ଖବର) ନୂତନ ଭୋଟରମାନେ ନିଜର ସାମ୍ବିଧାନିକ ଅଧିକାର ପ୍ରତି ସଚେତନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି । ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ୧୧ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଥିଲା । ଏଥିରେ ଯୋଗ ଦେଇ ଶ୍ରୀ ମହାନ୍ତି ଗଣତନ୍ତ୍ର ପାଇଁ ମତଦାନ ଜରୁରୀ ଓ ମତଦାନ ପାଇଁ ଜଣେ ସାବାଳକର ଭୋଟର ତାଲିକାରେ ନାମ ରହିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ସେଥିପାଇଁ ଭାରତ ନିର୍ବାଚନ କମିଶନ ଆଜିର ଦିବସକୁ ଭୋଟର ମାନଙ୍କ ସଚେତନତା ପାଇଁ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ । ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଚଳିତବର୍ଷ ଭୋଟର ମାନଙ୍କ ପାଇଁ କମିଶନଙ୍କ ପକ୍ଷରୁ ବାର୍ତା ଭାବେ ସମସ୍ତ ମତଦାତାଙ୍କୁ ସଶକ୍ତ, ସତର୍କ, ସୁରକ୍ଷିତ ଏବଂ ସଚେତନ କରିବା ରହିଛି ବୋଲି କହିବା ସହ ଇ-ପୋଟାଲରେ ମଧ୍ୟ ନିଜ ଭୋଟର ତଥ୍ୟ ସମ୍ପର୍କରେ ଅବଗତ ହେବାକୁ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ।

ଏହି ଅବସରରେ ନୂତନ ଭୋଟରମାନଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରାଯିବା ସହ ୪୮ଜଣ ବିଏଲଓ ଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମହାନ୍ତି ସମସ୍ତଙ୍କୁ ମତଦାନ ଦିବସର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟିକଲେକ୍ଟର ପ୍ରଜ୍ଞାହୋତା, ଶୁଭଦର୍ଶନ ମିଶ୍ର, ସହକାରୀ ଜିଲ୍ଲାପାଳ ବୀରକିଶୋର ନାୟକ, ତରଣୀସେନ ପଟ୍ଟନାୟକ, ପଂଚାୟତ ଅଧିକାରୀ ଅଶୋକକୁମାର ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲାଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର, ସାମାଜିକସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ନିର୍ବାଚନ ବିଭାଗର ମୁଖ୍ୟକିରାଣୀ ବିଜୟକୁମାର ଦାଶ, ପଦ୍ମନାଭ ଦାଶ, ସୁବାଷ ପଣ୍ଡା, ହରିଶ ହାଇବ୍ରୃ, ବିଏଲଓ ଏବଂ ସୁପରଭାଇଜର ମାନେ ଯୋଗଦେଇଥିଲେ । ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ୨୦୨୧ ଭୋଟରତାଲିକା ପ୍ରକାଶନ ପରେ ଜିଲ୍ଲାର ମୋଟ ଭୋଟରଙ୍କ ସଂଖ୍ୟା ୧୪୮୧୯୩୦ ରେ ପହଂଚିଛି । ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୬୯୦୫୫, ମହିଳା ଭୋଟରଙ୍କ ସଂଖ୍ୟା ୭୧୨୮୧୫ ଓ ଅନ୍ୟାନ୍ୟ ଭୋଟର ୬୦ଜଣ ରହିଛନ୍ତି । ସଂଶୋଧନ ପକ୍ରିୟାରେ ୩୧୩୫୭ ନୂତନ ଭୋଟର ସାମିଲ ହୋଇଥିବା ବେଳେ ବିବିଧ କାରଣରୁ ୨୯୩୯୮ଜଣଙ୍କୁ ତାଲିକାରୁ ବାଦ ଦିଆଯାଇଛି । ଅପର ପକ୍ଷରେ ଯୁବ ଭୋଟର ଭାବେ ୧୨୧୧୯ଜଣ ଭୋଟର ତାଲିକାରେ ସାମିଲ ହୋଇଛନ୍ତିବୋଲି ନିର୍ବାଚନ ବିଭାଗସୂତ୍ରରୁ ପ୍ରକାଶ ।

ଭୋଟର ସଚେତନତା ରଥ ଉଦ୍‌ଘାଟିତ


ଭୋଟରମାନେ ଗଣତନ୍ତ୍ରରମୂଲ୍ୟବାନ ସମ୍ବଳ । ସେମାନଙ୍କର ବହୁମୂଲ୍ୟ ମତଦାନ ଗଣତନ୍ତ୍ରକୁ ସୁଦୃଢ କରିଥାଏ । ତେଣୁ ସମସ୍ତ ସାବାଳକ ମାନଙ୍କୁ ଭୋଟର ତାଲିକାରେ ସାମିଲ ଓ ମତାଧିକାର ସାବ୍ୟସ୍ତ କରିବା ସମ୍ପର୍କରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ଉଦ୍‌ଘାଟନ କରିଛନ୍ତି । ଏହି ରଥ ଜିଲ୍ଲା ପରିକ୍ରମା କରି ଭୋଟର ମାନଙ୍କୁ ସଚେତନ କରାଇବ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରଜ୍ଞାହୋତା, ଲୋକସମ୍ପର୍କ ଅଧିକାରୀ, ଜରୁରୀବିଭାଗର ପ୍ରକଳ୍ପ ମ୍ୟାନେଜର ଦେବାଶିଷ ପ୍ରଧାନ, ନିର୍ବାଚନ ବିଭାଗର କର୍ମଚାରୀ ହରିଶହାଇବ୍ରୃ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page