ତୁମୁଡିବନ୍ଧ ପଞ୍ଚାୟତ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ ।

ବାଲିଗୁଡା ( ସଙ୍କେତ ଖବର): କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ପଞ୍ଚାୟତକୁ ସାପ୍ତାହିକ ସଟ୍ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ।ଖବର ଅନୁଯାୟୀ, ଗତ କିଛି ଦିନ ହେଲା ତୁମୁଡିବନ୍ଧ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ପାଟ୍ଟମାଝୀ ପଞ୍ଚାୟତକୁ ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । ପୁରା ଅଞ୍ଚଳରେ ସାପ୍ତାହିକ ସଟ୍ଡାଉନ୍ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ଲକ ଡାଉନ୍ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଥିଲା। ବଜାର, ବୁଡାପଡ଼ା, ଖାରି ସାହି ଅଞ୍ଚଳରୁ ଦୁଇ ଦିନ ମଧ୍ୟରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକି ତୁମୁଡିବନ୍ଧ ପଞ୍ଚାୟତ ପାଇଁ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।ତେବେ ଏହି ସଟ୍ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ଏହା ବ୍ୟତୀତ ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ପଞ୍ଚାୟତ ପକ୍ଷରୁ କୁହାଯାଇଛି। ଯଦି କେହି କୋଭିଡ଼ କଟକଣାକୁ ନମାନନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।