ବର୍ଷକର ସର୍ବୋଚ୍ଚ ସ୍ତରରେ ସୁନା ଦର

0

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଦେଶରେ ସୁନା ଦର ବଢ଼ିବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ଚଳିତ ସପ୍ତାହରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦ ହଜାର ଟପି ୫୦୧୨୩ ଟଙ୍କାରେ ପହଞ୍ଚିଛି। ଗତ ବର୍ଷକ ମଧ୍ୟରେ ଉକ୍ତ ଦର ସର୍ବାଧିକ। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୯୦୦ ଡଲାରରେ ପହଞ୍ଚିଯାଇଛି। ୧ ଆଉନ୍ସ ୨୮.୩୪୯୫ ଗ୍ରାମ ସହିତ ସମାନ।

ସେୟାର ବଜାରରେ ଅସ୍ଥିରତା, ଅର୍ଥନୈତିକ ଅଭିବୃଦ୍ଧି କମିବା କିମ୍ବା ଭୂ-ରାଜନୈତିକ ଅସ୍ଥିରତା ଯେଉଁ ସମୟରେ ଦେଖାଦିଏ ସେହି ସମୟରେ ସୁନା ଦରରେ ବୃଦ୍ଧି ଆସିଥାଏ। କାରଣ ଏଭଳି ସ୍ଥିତିରେ ନିବେଶକମାନଙ୍କ ପ୍ରଥମ ପସନ୍ଦ ସୁନା ପାଲଟି ଯାଇଥାଏ। ଅନ୍ୟ କ୍ଷେତ୍ର ଅପେକ୍ଷା ସୁନାରେ ନିବେଶକୁ ସେମାନେ ଅଧିକ ନିରାପଦ ମନେ କରିଥାନ୍ତି। ବର୍ତ୍ତମାନ ୟୁରୋପରେ ରୁଷ-ୟୁକ୍ରେନ ସଂକଟ ଜାରି ରହିଛି। ଏଥିପାଇଁ ସୁନା ଦର ବୃଦ୍ଧି ପାଉଥିବା କୁହାଯାଉଛି। ଏଥିସହିତ ଭାରତରେ ସୁନା ମୂଲ୍ୟବୃଦ୍ଧିର ଅନ୍ୟ ଏକ କାରଣ ହେଲା ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା। ତେବେ ମୁଖ୍ୟତଃ ରୁଷ-ୟୁକ୍ରେନ ସଂକଟ ସମାଧାନ ଉପରେ ଏହାର ଦର ହ୍ରାସ ନିର୍ଭର କରୁଛି। ଏହି ସମସ୍ୟା ଯେତେଦିନ ପର୍ଯ୍ୟନ୍ତ ଲାଗି ରହିବ ସେତେଦିନ ପର୍ଯ୍ୟନ୍ତ ସୁନା ଦର ହ୍ରାସ ସମ୍ଭାବନା କମ। ତେବେ ଯଦି ନିବେଶକଙ୍କ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସେ ତା’ହେଲେ ଦର କିଛି ମାତ୍ରାରେ କମିପାରେ।

ଓଡ଼ିଶାରେ ମଧ୍ୟ ଦରବୃଦ୍ଧିର ପ୍ରତିଫଳନ ଦେଖିବାକୁ ମିଳିଛି। ଭୁବନେଶ୍ବରର କେତେକ ପ୍ରମୁଖ ଷ୍ଟୋରରେ ଆଜି ୧୦ ଗ୍ରାମ ପିଛା ସୁନା ଦର ୪୭୬୦୦ ଟଙ୍କା ଉପରେ ରହିଛି। ୨୪ କ୍ୟାରେଟ ସୁନା ଦର ୫୧ ହଜାର ଟଙ୍କା ଉପରେ ରହିଛି। ତେବେ ଷ୍ଟୋର ଅନୁସାରେ ଦରରେ ପାର୍ଥକ୍ୟ ରହିଛି। ଗତ ୮ରୁ ୧୦ ଦିନ ମଧ୍ୟରେ ଭୁବନେଶ୍ବରରେ ସୁନା ଦର ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ବୋଲି ବଜାର ବି‌ଶ୍ଳେଷକମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page