ୟୁରୋପ ମହାଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ ଦେଶ ହେଲା ଅଷ୍ଟ୍ରିଆ। ମାତ୍ର ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ଏହି ଦେଶର ଲୋକମାନେ ସ୍ବାଭାବତଃ ଖୁସ୍ ମିଜାଜର। ପୃଥିବୀର କମ୍ ଜନସଂଖ୍ୟା ବିଶିଷ୍ଠ ଦେଶମାନଙ୍କ ମଧ୍ୟରେ ଅଷ୍ଟ୍ରିଆ ଏକ ଖୁସି ସ୍ବଭାବର ଦେଶ। ଯୁଆଡେ ଚାହିଁଲେ ଏହି ଦେଶରେ କେବଳ ସବୁଜ ପରିବେଶ ଆଉ ଘଞ୍ଚ ଵନାନୀ ଦେଖିବାକୁ ମିଳିଥାଏ। ଦେଶର ୪୫ ପ୍ରତିଶତ ଅଞ୍ଚଳରେ ଗଛ ଥିବାର ଦେଖାଯାଏ। ଏହାର ପରିବେଶ ଖୁବ୍ ସ୍ବଚ୍ଛ ଆଉ ମନ ମୁଗ୍ଧକର। ଏଠାରେ ନଦୀ, ପାହାଡ, ସବୁଜ ପରିବେଶ ସବୁ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଥାଏ।

ସୁସ୍ଥ ପରିବେଶ ପାଇଁ ୟୁରୋପର ସ୍ବିଡେନ ପରେ ଅଷ୍ଟ୍ରିଆର ନାମ ଆସିଥାଏ। ସୁସ୍ଥ ପରିବେଶ ପାଇଁ ଏଠାକାର ଅଧିବାସୀଙ୍କର ହାରାହାରୀ ଆୟୁଷ ୭୬ ବର୍ଷ ଜଣାପଡେ। ଖୁବ୍ ମେଳାପି ଆଉ ସ୍ବାଭାବିକ୍ ଚରିତ୍ର ଲୋକମାନେ ଏହି ଦେଶର ଅଧିବାସୀ। ସନ୍ଧ୍ୟା ୭ଟା ପରେ ପ୍ରାୟତଃ କେହି ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ସାଧାରଣରେ ଏକ ବିଶ୍ବାସ ରାତିରେ ଖାଦ୍ୟ ଖାଇବା ଅର୍ଥ ଶରୀରକୁ ଅଯଥା କଷ୍ଟ ଦେବା। ଏହି ଦେଶର ଲୋକମାନେ ଖୁବ୍ ଉଚ୍ଚଶିକ୍ଷିତ ଆଉ ଏଠାରେ ଶିକ୍ଷା ପୁରାପୁରି ମୁକ୍ତ। ଶିଶୁଟିଏ ଜନ୍ମ ହେବାର ୪ ବର୍ଷ ପରେ ସରକାରଙ୍କ ତରଫରୁ ପ୍ଲେ ସ୍କୁଲରେ ଭର୍ତ୍ତି କରା ଯାଇଥାଏ।

ବେରୋଜଗାରୀ ଶବ୍ଦ ଅଷ୍ଟ୍ରିଆରେ ଶୁଣିବାକୁ ମିଳେନାହିଁ। ଅଷ୍ଟ୍ରିଆରେ ସମସ୍ତ ବୃତ୍ତିକୁ ସମାନ ସମ୍ମାନ ମିଳିଥାଏ। ସେ ପରିବା ବିକାଳି ହେଉ ବା କ୍ଷୀରବାଲା ହେଉ ସମସ୍ତଙ୍କୁ ଉପଯୁକ୍ତ ମର୍ଯ୍ୟଦା ମିଳିଥାଏ। ଦୁଗ୍ଧ ଉତ୍ପାଦନ ଆଉ ଦୁଗ୍ଧଜାତ ପଦାର୍ଥ ରପ୍ତାନୀ କ୍ଷେତ୍ରରେ ଅଷ୍ଟ୍ରିଆ ଅନ୍ୟ ୟୁରୋପୀୟ ବେଶ ମାନଙ୍କଠାରୁ ବେଶ୍ ଅଗରେ। କମ୍ ଜନସଂଖ୍ୟା ଯୋଗୁ ଏହି ଦେଶ ବେଶ୍ ପରିସ୍କାର ଆଉ ପରିଚ୍ଛନ ଅଟେ। ପ୍ରତି ବର୍ଗ କିଲୋମିଟର ଅଞ୍ଚଳରେ ୧୦୪ ଜଣ ଅଧିବାସୀ ବାସକରନ୍ତି। ଅଷ୍ଟ୍ରିଆ ଏକ Land Locked Country ବା ଦେଶମାନଙ୍କ ମଧ୍ୟରେ ସୀମାବଦ୍ଧ ଦେଶ ଅଟେ।

ଉତ୍ତରରେ ଜର୍ମାନୀ ଓ ଚେକ୍ ରିପବ୍ଲିକ ଥିବା ବେଳେ ଦକ୍ଷିଣରେ ଇଟାଲୀ ଅବସ୍ଥିତ। ଚାରି ପଟରେ ଦେଶ ଥିବାରୁ ସମୁଦ୍ର ଏହି ଦେଶ ପାଇଁ ସ୍ବପ୍ନ ମନେହୁଏ। ବିଶ୍ବର ଦେଶମାନଙ୍କ ମଧ୍ୟରେ ସୀମାବଦ୍ଧ ୪୫ ଟି ଦେଶ ମଧ୍ୟରୁ ଅଷ୍ଟ୍ରିଆ ଅନ୍ୟତମ। ଏହି ଦେଶରେ ଗ୍ରୀଷ୍ମ ଦିନରେ ପ୍ରଚୁର ଗରମ ଆଉ ଥଣ୍ଡା ଦିନରେ ପ୍ରଚୁର ଥଣ୍ଡା ହୋଇଥାଏ। ପର୍ଯ୍ୟଟକଙ୍କ ପାଇଁ ଏହି ଦେଶକୁ ବୁଲିଯିବା ପାଇଁ ପ୍ରକୃଷ୍ଟ ସମୟ ହେଲା ମେଁ ରୁ ଜୁଲାଇ। ଏହି ଦେଶରେ ପଲିଥିନ କିମ୍ବା କୌଣସି କାଗଜ ରାସ୍ତାରେ ପକାଇଲେ ୭ ଦିନର ଜେଲ୍ ଯିବାକୁ ବି ପଡିପାରେ। ୨୯ ପ୍ରତିଶତ ଜମିରେ ପଶୁଚାରା ଚାଷ ହୋଇଥାଏ।

ପଶୁପାଳନ ଉପରେ ଏହି ଦେଶବାସୀ ସର୍ବାଧିକ ଧ୍ୟାନ ଦେଇଥାନ୍ତି। ଅଷ୍ଟ୍ରିଆରେ ଇସବକ୍ ନାମକ ଗୋଟିଏ ପାହାଡ ଅଛି ଯାହାର ପାଖାପାଖି ଅଞ୍ଚଳରେ କୋଇଲା ବକ୍ସାଇଟ୍ ସୁନା ଇତ୍ୟାଦି ମିଳିଥାଏ। ଅଷ୍ଟ୍ରିଆ ଲୋକମାନେ ଖୁବ୍ ସଙ୍ଗୀତପ୍ରିୟ। ହିଡେନ୍ ଷ୍ଟ୍ରସ୍ ଆଉ ମୁଜାରଙ୍କ ପରି ସଙ୍ଗିତ ନିର୍ଦ୍ଦେଶକ ଏହି ଦେଶରେ ଅଧିବାସୀ। ଅଷ୍ଟ୍ରିଆ ୧୯୪୯ ରେ ତିଆରି ହୋଇଥିବା NATO ର ଅଦ୍ୟାବଧି ସଦସ୍ୟତା ଲାଭ କରିନାହିଁ। ମହିଳାମାନେ ଏହି ଦେଶରେ ଖୁବ୍ କର୍ମଠ। ସପ୍ତାହରେ ଚାରି ଦିନ ଏହି ଦେଶର ଲୋକମାନେ ଅଫିସରେ କାମ କରିଥାନ୍ତି।

ଅଷ୍ଟ୍ରିଆର ୯୦ ପ୍ରତିଶତ ଲୋକ ପ୍ରେମ ବିବାହ କରିଥାନ୍ତି ଆଉ ସବୁଠାରୁ ମଜାକଥା ପ୍ରଥମ ପ୍ରେମର ପରିଚୟ ବିବାହରେ ପରିବର୍ତ୍ତନ ହେବା ହେଉଛି ୮୦ ପ୍ରତିଶତ। ଖୁବ୍ ସଚ୍ଚୋଟ ଆଉ ଇମାନଦାର ପ୍ରକୃତିର ଲୋକ ହେଉଛନ୍ତି ଏହି ଦେଶବାସୀ। ଏୟାରପୋର୍ଟ ରେ ଛାଡି ଯାଇଥିବା ଲଗେଜ ୮ ଘଣ୍ଟା ପରେ ମଧ୍ୟ ସୁରକ୍ଷିତ ମିଳିଥାଏ। ଏହି ଦେଶରେ ଏକ ଅଜବ ଖେଳ ଅଲପାଇନସ୍ କିଙ୍ଗ୍ ନାମକ ଖେଳା ଯାଇଥାଏ। ବରଫ ଉପରେ ଖେଳା ଯାଉଥିବା ଏହି ଖେଳ ଦେଖିବା ପାଇଁ ଅନେକ ବିଦେଶୀ ପର୍ଯ୍ୟଟକ ପ୍ରତିବର୍ଷ ଆସିଥାନ୍ତି। ଫୁଟବଲ୍ ଏହି ଦେଶର ଅନ୍ୟତମ ଲୋକପ୍ରିୟ ଖେଳ।

ଅଷ୍ଟ୍ରିଆ ଲୋକମାନଙ୍କର ସପ୍ତାହର ଶନିବାର ରବିବାର ଖୁବ୍ ମସ୍ତି କରିଥାନ୍ତି। ସହରର ରାସ୍ତାରେ ଅନେକ ଭିଡ ପରିଲକ୍ଷିତ ହୋଇଥାଏ। ବିଅର ପିଇବା ଏଠାରେ ସମସ୍ତଙ୍କର ଏକ ଅଭ୍ୟାସ। ବଫନ ହେଉଛି ଅଷ୍ଟ୍ରିଆର ସବୁଠାରୁ ଲମ୍ବା ବରଫ ଗୁମ୍ଫା। ୪୨ କିଲୋମିଟର ଦୈର୍ଘ୍ୟ ଏହି ଗୁମ୍ଫା ଅଷ୍ଟ୍ରିଆ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ। ପ୍ରତିବର୍ଷ ୨ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏହି ଗୁମ୍ଫା ଦେଖିବାକୁ ଆସିଥାନ୍ତି। ଅଷ୍ଟ୍ରିଆର ପତାକା ବହୁ ପ୍ରାଚୀନ। ଭିଏନା ହେଉଛି ଅଷ୍ଟ୍ରିଆର ରାଜଧାନୀ ଯେଉଁଠି ଦେଶର 3୩୪ ପ୍ରତିଶତ ଲୋକ ବାସ କରନ୍ତି। ରାଜଧାନୀ ଭିଏନାର ରାତିର ସୌନ୍ଦର୍ଯ୍ୟ ଏତେ ଅଧିକ ଯେ ଜଣେ ଲୋକ ପାଦରେ ଚାଲିଚାଲି ସହର ପରିକ୍ରମା କରିପାରିବ।

ହିଂସାମୁକ୍ତ ଏହି ସହରର ପ୍ରତ୍ୟକ ଛକରେ ସିସି କ୍ୟାମେରା ଲାଗିଥିବାର ଦେଖାଯାଏ। ଆୟତନ ଦୃଷ୍ଟିରୁ ଛୋଟ ହୋଇଥିଲେବି ଏହାକୁ ୟୁରୋପର ଆର୍ଥନୈତିକ ରାଜଧାନୀ ବୋଲି ବିଚାର କରାଯାଏ। ୩ ଶହରୁ ଅଧିକ ବଡ କମ୍ପାନୀଙ୍କର ମୂଖ୍ୟାଳୟ ଏହି ଦେଶରେ ରାଜଧାନୀ ଭିଏନାରେ। ଏମରୋଲ ବା ପନ୍ନା ପଥର ଯାହାର ସବୁଠାରୁ ବୃହତ ଖଣ୍ଡ (୨୮୬୦ କ୍ୟାରେଟ) ଏହି ସହରରେ ଦେଖିବାକୁ ମିଳିଥାଏ। ୧୮ ବର୍ଷରେ ପହଞ୍ଚିଲା ପରେ ପ୍ରତ୍ୟକ ଯୁବକଙ୍କୁ ଏଠାରେ ବାଧ୍ୟତାମୂଳକ ୬ ମାସର ଆର୍ମୀ ଟ୍ରେନିଂ ଦିଆ ଯାଇଥାଏ। ହଲିଓଡ ସୁପରଷ୍ଟାର ଅରନୋଲ ଆମେରିକା ଯିବା ପୂର୍ବରୁ ଅଷ୍ଟ୍ରିଆରେ ତାଙ୍କ ଶୈଶବ ଅତିବାହିତ କରିଥିଲେ।

୧୯୫୫ରେ ସ୍ବାଧୀନତା ପାଇଥିବା ଏହି ଦେଶ ବିକାଶର ଏବେ ଶିଖରରେ। ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଅନ୍ୟ ୟୁରୋପୀୟ ଦେଶ ମାନଙ୍କ ଠାରୁ ଅଷ୍ଟ୍ରିଆ ବହୁତ ଆଗରେ। ସମୟକୁ ଅଷ୍ଟ୍ରିଆବାସୀ ଖୁବ୍ ସମ୍ମାନ ଦେଇଥାନ୍ତି ଏପରିକି ବିଳମ୍ବକୁ ଏଠାରେ ବେଆଇନ ବୋଲି ବିଚାର କରାଯାଏ। ସମସ୍ତ ସ୍ଥାନରେ ଧାଡିରେ ଶୃଙ୍ଖଳିତ ଠିଆ ହେଉଥିବା ଅଷ୍ଟ୍ରିଆବାସୀ ବିୟର ପାର୍ଲର ଆଉ ଫୁଟବଲ୍ ଖେଳପାଇଁ ଟିକେଟ୍ କିଵା ବେଳେ ଏହି ନିୟମକୁ ମାନି ନଥାନ୍ତି। ନୋବେଲ୍ ପୁରସ୍କାର ବିଜୟୀ ଦେଶ ସୁଚକାଙ୍କରେ ଅଷ୍ଟ୍ରିଆର ସ୍ଥାନ ୭ମ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଛୋଟିଆ ୟୁରୋପୀୟ ଦେଶ ଆଜି ବିଶ୍ବ ମାନଚିତ୍ରରେ ନିଜର ନିଷ୍ଠା ଆଉ ପରିଶ୍ରମ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଠି କରିପାରିଛି।

ବିରଂଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page