ବିଜୁ ଜନତା ଦଳର ଯୁବକ ମାନଙ୍କ ରନ୍ଧା ଖାଦ୍ୟ ବଣ୍ଟନ ।

0

ବାଲିଗୁଡ଼ା (ସଙ୍କେତ ଖବର): ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସପ୍ତାହନ୍ତ ସଟ୍ ଡାଉନ୍, ରାତ୍ରୀ କାଳୀନ କର୍ଫ୍ୟୁ ସହ ବର୍ତ୍ତମାନ ୧୪ଦିନିଆ ଲକ୍ ଡାଉନ୍ ମଧ୍ୟ ଜାରି ରହିଛି ସାରା ରାଜ୍ୟରେ । ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟା ରୁ ଦିନ ୧୨ଟା ଯର୍ପ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଦିନ ୧୨ ପରଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ଯୋଗୁଁ ବାଲିଗୁଡ଼ା ଡାକ୍ତରଖାନାକୁ ଦୈନନ୍ଦିନ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମୁଠେ ଖାଇବା ପାଇଁ ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ପରିସ୍ଥିତିରେ ବାଲିଗୁଡ଼ା ବିଜୁ ଜନତା ଦଳର ଯୁବକମାନେ ଭୋକିଲା ପେଟରେ ମୁଠାଏ ଦାନା ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ନିକଟରେ ରନ୍ଧା ଖାଦ୍ୟ ନେଇ ପହଁଚି ଯାଉଛନ୍ତି ଦଳର ସଦସ୍ୟମାନେ । ସେଠାରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି । ନିଜ ଖର୍ଚ୍ଚରେ ଭାତ,ଡାଲମା, ଅଣ୍ଡା, ଆଚାର ଆଦି ଖାଦ୍ୟ ପ୍ରସ୍ତୁତ କରି ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ଏହି ଯୁବକ ମାନେ । ମୁଠେ ଖାଇବାକୁ ନପାଇ ଛଟପଟ ହେଉଥିବା ଲୋକେ ଖାଦ୍ୟ ପାଇ ଯୁବକମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସେପଟେ ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ କହିବାନୁଯାୟୀ ଆମର ଏହି କାର‌୍ୟ୍ୟକ୍ରମ ଜାରି ରହିଛି ଏବଂ ଯେତେଦିନ ଯର୍ପ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିବ, ଆମେ ଏଭଳି ଖାଦ୍ୟ ଯୋଗାଇବାକୁ ଚେଷ୍ଟା ଜାରି ରଖିବୁ ।

Leave a Reply

Your email address will not be published. Required fields are marked *

You cannot copy content of this page