ରୋହିତ ଟେଷ୍ଟ୍ ଅଧିନାୟକ: ରାହାଣେ, ପୂଜାରା ବାଦ୍‌

0

ମୁମ୍ବାଇ: ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି। ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟ୍ ଅଧିନାୟକ ନିଯୁକ୍ତ କରିଛି ବିସିସିଆଇ। ପୂର୍ବରୁ ସୀମିତ ଓଭର ଦଳର ନେତୃତ୍ବ ଭାର ସମ୍ଭାଳି ସାରିଥିବା ରୋହିତ ଏବେ ଭାରତର ଅଲ୍‌ ଫର୍ମାଟ୍ ଅଧିନାୟକ ହୋଇଛନ୍ତି। ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେ‌ଉଥିବା ଶ୍ରୀଲଙ୍କା ବିପକ୍ଷ‌ ୨ ମ୍ୟାଚ୍‌ ଟେଷ୍ଟ୍‌ ଶୃଙ୍ଖଳାରୁ ରୋହିତଙ୍କ ଏହି ଦାୟିତ୍ବ ଆରମ୍ଭ ହେବ। ସମ୍ପ୍ରତି ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ପରେ ରୋହିତ ଶର୍ମାଙ୍କ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିସାରିଛି। ଶନିବାର ବିସିସିଆଇ ଘୋଷଣା କରିଥିବା ଦଳରେ ଦୁଇ ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରାଙ୍କୁ ସ୍ଥାନ ମିଳିନାହି। ଉତ୍ତରପ୍ରଦେଶର ବାମହାତୀ ସ୍ପିନର ସୌରଭ କୁମାର ପ୍ରଥମ ଥର ଜାତୀୟ ଦଳକୁ ଡକରା ପାଇଛନ୍ତି। କେଏସ୍ ଭରତଙ୍କୁ ପ୍ରଥମ ଥର ଋଦ୍ଧିମାନ ସାହାଙ୍କ ବଦଳରେ ସଂରକ୍ଷିତ ୱିକେଟରକ୍ଷକ ଭାବେ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ସାମିଲ ହୋଇଥିବା ପ୍ରାରମ୍ଭିକ ବ୍ୟାଟର୍ ପ୍ରିୟଙ୍କ ପାଞ୍ଚାଲ୍‌ ନିଜ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ଆହତ କାରଣରୁ ଦୂରେଇ ରହିଥିବା ରବୀନ୍ଦ୍ର ଜାଦେଜା, ଶୁବମନ ଗିଲ୍‌ ପ୍ରତ୍ୟାବର୍ତନ କରିଛନ୍ତି। ଜାଦେଜାଙ୍କୁ ଟ୍ବେଣ୍ଟି-୨୦ ଦଳରେ ମଧ୍ୟ ସ‌ୁଯୋଗ ମିଳିଛି। ଯଶପ୍ରୀତ୍ ବୁମରାଙ୍କୁ ଟେଷ୍ଟ୍‌ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି।

ଭାରତୀୟ ଟେଷ୍ଟ୍ ଦଳ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଞ୍ଚାଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁବମନ ଗିଲ୍‌, ଋଷଭ ପନ୍ତ୍‌, କେଏସ୍ ଭରତ, ଆର୍‌ ଅଶ୍ବିନ୍‌ (ଫିଟନେସ୍‌ ସାପେକ୍ଷ), ରବୀନ୍ଦ୍ର ଜାଦେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମରା (ଉପ ଅଧିନାୟକ), ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।

Leave a Reply

Your email address will not be published. Required fields are marked *

You cannot copy content of this page