ଏମ୍‌ସ ରେ ସ୍ନାୟୁ ସର୍ଜରୀର ୧୦ମ ବାର୍ଷିକ ସମ୍ମିଳନୀ

0

ଭୁବନେଶ୍ୱର(ସଂକେତ ଖବର) ଏମ୍‌ସ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପକ୍ଷରୁ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ନର୍ଭ ସର୍ଜରୀ (ଆଇଏସପିଏନଏସ) ର ୧୦ମ ବାର୍ଷିକ ସମ୍ମିଳନୀ  ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି। ରବିବାର ଦିନ ସମାପ୍ତ ହୋଇଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ଏଥିସହିତ ଏମ୍‌ସ ଭୁବନେଶ୍ୱରରେ ଲୋକମାନଙ୍କ ହିତ ନିମନ୍ତେ ନିୟମିତ ଭାବରେ ସମସ୍ତ ପ୍ରକାରର ଉନ୍ନତ ପେରିଫେରାଲ୍ ସ୍ନାୟୁ ସର୍ଜରୀ କରିଆସୁଥିବା ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ।
ଏହି ସମ୍ମିଳନୀରେ ପ୍ରଫେସର ଅଶୋକ କୁମାର ମହାପାତ୍ର (ଏମ୍‌ସ ଭୁବନେଶ୍ୱର ପୂର୍ବତନ ନିର୍ଦ୍ଦେଶକ) ଅଧ୍ୟକ୍ଷତା କରିଥିଲେ।  ଏମ୍‌ସ ଭୁବନେଶ୍ୱର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଆର ଏନ ସାହୁଙ୍କ ସହଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ସୁନୀଲ ରାଉତ, ନ୍ୟୁରୋ ସର୍ଜରୀ ବିଭାଗ ଆସୋସିଏଟ୍ ପ୍ରଫେସର ତଥା ସମ୍ମିଳନୀର ଆୟୋଜକ ସମ୍ପାଦକ ଡକ୍ଟର ସୁମିତ ବନ୍‌ସାଲ ବୈଜ୍ଞାନିକ କମିଟିର ଅଧ୍ୟକ୍ଷତା କରିଥିଲେ।

ଏହି ଆଲୋଚନାଚକ୍ରରେ ଜାତୀୟସ୍ତରର ୩୨ ଜଣ ଏବଂ ଆମେରିକା, କାନାଡା, ଜର୍ମାନୀ ଏବଂ ଦୁବାଇରୁ ୬ଜଣ ଅନ୍ତର୍ଜାତୀୟ ବକ୍ତା ଯୋଗ ଦେଇଥିଲେ। ସାରା ଭାରତରୁ ପେରିଫେରାଲ୍ ସ୍ନାୟୁ ସର୍ଜରୀରେ ପାରଦର୍ଶୀତା ରଖିଥିବା ପ୍ରାୟ ୧୩୦ଜଣ ନ୍ୟୁରୋ ସର୍ଜନ ଏବଂ ପ୍ଲାଷ୍ଟିକ୍ ସର୍ଜନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି  କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ବର୍ତ୍ତମାନ ସମୟରେ ଏନେଇ ରହିଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏମ୍‌ସ ଭୁବନେଶ୍ୱର ସଫଳତାର ସହିତ ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ କରିଥିବାରୁ  ଦେଶବିଦେଶରୁ ଯୋଗଦେଇଥିବା ସମସ୍ତ ବିଶେଷଜ୍ଞ ଏହାକୁ ପ୍ରଶଂସା କରିଥିଲେ। ସେହିପରି ଏହି କାର୍ଯ୍ୟକ୍ରମର ତାତ୍ତ୍ବିକ ଏବଂ ବୈଜ୍ଞାନିକ ବିଷୟବସ୍ତୁକୁ ନେଇ ବେଶ୍‌ ଖୁସି ଜାହିର କରିଥିଲେ ଅଂଶଗ୍ରହଣକାରୀ।

Leave a Reply

Your email address will not be published. Required fields are marked *

You cannot copy content of this page