ପ୍ରଥମ ବିଳାଶୁଣୀ ମହୋତ୍ସବ

0

କଟକ(ସଂକେତ ଖବର) କଟକ ଜିଲ୍ଲାର ନିଆଳୀ ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ପ୍ରଥମ ବିଳାଶୁଣୀ ମହୋତ୍ସବ ଗତ ୧୭ ଓ ୧୮ତାରିଖ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗଦେଇଥିବା ଦେଖାଯାଇଥିଲା। ଭଲ୍ୟୁଣ୍ଟାରୀ ଏମ୍ପାୱାରମେଣ୍ଟ, ଡେଭେଲପ୍‌‌ମେଣ୍ଟ ଏଣ୍ଡ୍‌‌ ଆକ୍‌‌ସନ (ବେଦା) ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଉନ୍ନୟନ ପରିଷଦ, ବିଳାଶୁଣୀ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ଏହି ମହୋତ୍ସବ ବ୍ୟାପକ ସଫଳତା ହାସଲ କରିଥିବା ଜଣାଯାଇଛି। ସାମାଜିକ ଉନ୍ନୟନ ପରିଷଦ, ବିଳାଶୁଣୀ ଠାରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ସଂସ୍କୃତି ଏବଂ ଧାର୍ମିକ ପରମ୍ପରାର ବିକାଶ ପାଇଁ କାର୍ଯ୍ୟ କରି ଆସୁଅଛି। କରୋନା ବାଧକତା ଯୋଗୁଁ ଏଠାରେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଉତ୍ସବର ଅଂଶ ଭାବରେ ଫୁଟ୍‌‌ବଲ ମ୍ୟାଚ୍‌‌ ଅନୁଷ୍ଠିତ ହେଉଥିବାରୁ ଦେଖଣାହାରୀମାନଙ୍କ ମଧ୍ୟରେ ଅସମ୍ଭବ ଉତ୍ସାହ, ଅଦମ୍ୟ ଉତ୍କଣ୍ଠା ଓ ଅଭୂତପୂର୍ବ ଉଦ୍ଦୀପନା ଦେଖିବାକୁ ମିଳିଥିଲା।
୧୮ ତାରିଖରେ ମୁଖ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଳାଶୁଣୀରେ ଗରିବଗୁରୁବା ଜନସାଧାରଣଙ୍କର ଆର୍ଥିକ ଉତ୍‌‌ଥାନ ପାଇଁ ସାମାଜିକ ଉନ୍ନୟନ ପରିଷଦ ଚଳାଇଥିବା ବିବିଧ ପ୍ରୟାସର ଭୂରୀଭୂରୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ବିଳାଶୁଣୀକୁ ଏକ ଆଦର୍ଶ ଓ ସ୍ମାର୍ଟ ଗ୍ରାମ ଭାବରେ ଗଢ଼ିତୋଳିବା ପାଇଁ ‘ବେଦା’ କରୁଥିବା ପ୍ରଚେଷ୍ଟାକୁ ସ୍ୱାଗତ ଜଣାଇଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଆୟୋଜକ ଓ ସାମାଜିକ ଉନ୍ନୟନ ପରିଷଦର ସଭାପତି ବଦ୍ରି ମହାପାତ୍ର, ବିଳାଶୁଣୀକୁ ଏକ ମଡେଲ୍‌‌ ଗ୍ରାମରେ ପରିଣତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ବିଧାୟକ ଡଃ ପ୍ରମୋଦ କୁମାର ମଲ୍ଲିକ, ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ବରିଷ୍ଠ ପ୍ରଶାସକ ହରେକୃଷ୍ଣ ଦାଶ ଓ ସମରେନ୍ଦ୍ର ସାହୁ, ଶ୍ରୀ ସାହିତ୍ୟର ସମ୍ପାଦକ କୃଷ୍ଣ ନାୟକ ଏବଂ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ବିଳାଶୁଣୀ ଗ୍ରାମର ଗ୍ରାମବାସୀମାନଙ୍କୁ ସଶକ୍ତ କରିବା ପାଇଁ ଉନ୍ନୟନ ପରିଷଦର ଅଭିନବ ପରିକଳ୍ପନାକୁ ସାଧୁବାଦ ଜଣାଇଥିଲେ।


ମହୋତ୍ସବର ପ୍ରଧାନ ଆକର୍ଷଣ ଓଡ଼ିଶାର ୮ଟି ଆଗଧାଡ଼ିର ଫୁଟ୍‌‌ବଲ୍‌‌ ଟିମ୍‌‌କୁ ନେଇ ହୋଇଥିବା ମହାଦେବ ମହାପାତ୍ରଙ୍କ ଆନ୍ତଃଜିଲ୍ଲା ଫୁଟ୍‌‌ବଲ୍‌‌ ଟୁର୍ଣ୍ଣାମେଣ୍ଟ ଥିଲା। ସୁନ୍ଦରଗଡ଼ ଟିମ୍‌‌ ବିଜୟୀ ହୋଇ ଚମ୍ପିଆନ୍‌‌ ହୋଇଥିବାବେଳେ ଦେବଗଡ଼ ଟିମ୍‌‌ ରନର୍ସ ଅପ୍‌‌ ହୋଇଥିଲା। ବିଜୟୀ ଟିମ୍‌‌କୁ ଅତିଥିମାନେ କପ୍‌‌ ପ୍ରଦାନ କରିଥିଲେ। ଅଂଶଗ୍ରହଣ କରିଥିବା ଅନ୍ୟ ଟିମ୍‌‌ଗୁଡ଼ିକ ହେଲା ଜଗତସିଂହପୁର, ରାଉରକେଲା, କେନ୍ଦୁଝର, ଭୁବନେଶ୍ୱର, ସମ୍ବଲପୁର ଓ କଟକ। ଏହି ଅବସରରେ ପ୍ରଖ୍ୟାତ ଗାୟିକା ଅନିନ୍ଦିତା ଦାସ ଓ ଟ୍ରୁପ୍‌‌ ମନଲୋଭା ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ହାସ୍ୟ ଅଭିନେତା ଜୁନିୟର ପପୁ ତାଙ୍କର ତୀର୍ଯ୍ୟକ ବାକ୍ୟବାଣରେ ଦର୍ଶକମାନଙ୍କର ବେଶ୍‌‌ ମନୋରଞ୍ଜନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦକ୍ଷ ଉପସ୍ଥାପିକା ରଶ୍ମୀତା ନାୟକ ସଂଯୋଜନା କରିଥିଲେ। ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ ପ୍ରସିଦ୍ଧ ରୋଜିକିଚେନ ଦ୍ୱାରା ସ୍ୱାଦିଷ୍ଟ ଜଳଖିଆ ଓ ଖାଦ୍ୟର ସମ୍ଭାର, ସମ୍ବଲପୁରୀ ହସ୍ତତନ୍ତ ସାମଗ୍ରୀ, ବିଣାପାଣୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଘର ତିଆରି ଖାଦ୍ୟ ଦ୍ରବ୍ୟ, ପେପର୍‌‌ ମ୍ୟାନ୍‌‌ ଅଫ୍‌‌ ଇଣ୍ଡିଆ ଭାବରେ ଲୋକପ୍ରିୟ ଓ ଗିନିଜ୍‌‌ ପୁରସ୍କାର ବିଜେତା ଶଶାଙ୍କ ଶେଖର ଦାଶଙ୍କ ଦ୍ୱାରା ଦେଶବିଦେଶର ଖବର କାଗଜ ପ୍ରଦର୍ଶନୀ ଏବଂ ଗିନିଜ୍‌‌ ବୁକ୍‌‌ ରେକର୍ଡଧାରୀ କେଶବ ସ୍ୱାଇଁଙ୍କର ହାତ କହୁଣିରେ ନିମିଷକ ମଧ୍ୟରେ ବହୁ ପଇଡ଼ ଭଙ୍ଗା ପ୍ରଭୃତି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page