ଲେଭଲିଂ ହେଉ ନ ଥିବା କହି ଖସିଯାଉଛି ଇଂଜିନିୟରିଂ ବିଭାଗ, ୩୩ ବର୍ଷର ପୁରୁଣା ଡ୍ରେନ୍‌ର ମରାମତି କରୁନି ସିଏମ୍‌ସି

0

କଟକ: ମହାନଗର ନିଗମ ୱାର୍ଡ ନମ୍ବର ୫୨ ଓ ୫୩ର ୪୦ ହଜାରରୁ ଅଧିକ ବାସିନ୍ଦା ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ଦୀର୍ଘ ବର୍ଷଧରି ଜଳବନ୍ଦୀ ସମସ୍ୟା ମଧ୍ୟରେ ହନ୍ତସନ୍ତ ହେଉଛନ୍ତି। ୫୩ ନମ୍ବର ୱାର୍ଡର ବିନାୟକ ବିହାର ଦେଇ ଯାଇଥିବା ଡ୍ରେନର ଓସାରକୁ ବଢା ଯାଉ ନଥିବାରୁ ଦୁଇଟି ୱାର୍ଡରୁ ପାଣି ନିଷ୍କାସନରେ ସମସ୍ୟା ହେଉଛି। ଡ୍ରେନ୍‌ କାମ ପାଇଁ ଲେବଲିଂ ହେଉ ନ ଥିବା ନିଗମ ଇଂଜିନିୟରିଂ ବିଭାଗ କହୁଥିବା ବେଳେ ଏଠାରେ ଜାଇକା ଲେବଲିଂ କରି ପାଇପ୍‌ ବିଛା ଓ ଚ୍ୟାମ୍ବର କାମ ସବୁ କିଛି କରୁଛି। ଅନ୍ୟପଟେ ଉକ୍ତ ଡ୍ରେନ୍‌ଟି ଜଣେ ଘରୋଇ ଲୋକଙ୍କ ଘର ମଧ୍ୟ ଦେଇ ଯାଇଥିବାରୁ ଏହାର ସଫେଇରେ ସମସ୍ୟା ହେଉଛି। ଦୀର୍ଘ ବର୍ଷ ଧରି ଡ୍ରେନକୁ ବଡ଼ କରିବା ସହ ଏହାର ଗତିପଥ ବଦଳାଇବାକୁ ଦାବି ହେଉଥିଲେ ବି ସିଏମ୍‌ସି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସହରରୁ ବର୍ଷା ପାଣି ନିଷ୍କାସନ ପାଇଁ ମହାନଗର ନିଗମ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ସେଥିମଧ୍ୟରୁ ସହରର ବିଭିସ୍ଥାନରେ ଡ୍ରେନଗୁଡିକୁ ବଡ କରାଯାଉଛି।

ମାତ୍ର ନିଗମର ୫୩ ନମ୍ବର ୱାର୍ଡର ଭିଜିଲାନ୍ସ କଲୋନି ପଛ ଦେଇ ଯାଇଥିବା ବିନାୟକ ବିହାର ଅଞ୍ଚଳର ଡ୍ରେନଟି ୧୯୮୯ରେ ନିର୍ମାଣ ହୋଇଥିବା ବେଳେ ୧୯୧୭ରେ ଏହାର କିଛି ଅଂଶକୁ ଓସାର କରାଯାଇଥିଲା। ହେଲେ ୩ରୁ ୪ଶହ ମିଟରର ଡ୍ରେନକୁ ସେପରି ଛାଡି ଦିଆଯାଇଛି। ୩୩ବର୍ଷ ତଳେ ଲୋକ ସଂଖ୍ୟା ଦେଖି ଏହାକୁ ନିର୍ମାଣ କରାଯାଇଥିଲା। ଏବେ ଉକ୍ତ ଡ୍ରେନ ଦେଇ କଲ୍ୟାଣନଗର, ରଜେନ୍ଦ୍ର ନଗର, ବିନାୟକ ବିହାର ଆଦି ଅଞ୍ଚଳର ୬ହଜାରରୁ ଅଧିକ ପରିବାର ଲୋକ ପାଣି ନିଷ୍କାସନ ହେଉଛି। ଓସାର ବଢାଯାଇ ନ ଥିବା ଡ୍ରେନରେ ପାଣି ନିଷ୍କାସନରେ ସମସ୍ୟା ହେଉଛି। ବର୍ଷା ସମୟରେ ପାଣି ନିଷ୍କାସନ ନହୋଇ ରାସ୍ତାରେ ଜମିବା ସହ ଲୋକଙ୍କ ଘରେ ଡ୍ରେନ ପାଣି ପଶେ। ଏହି ୩ରୁ ୪ଶହ ମିଟର ଡ୍ରେନକୁ ବଡ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ନିଗମ ନିକଟରେ ଦାବି କରିଛନ୍ତି। ହେଲେ ଏଠାରେ ଲେବଲିଂର ସମସ୍ୟା ଥିବାରୁ ଏହା କରାଯାଇ ପାରିବ ନାହିଁ ବୋଲି ସିଏମ୍‌ସି ଇଂଜିନିୟରିଂ ବିଭାଗ କହୁଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉକ୍ତ ଅଞ୍ଚଳରେ ଜାଇକା ଲେବଲିଂ କରି ପାଇପ ବିଛାଉଥିବା ବେଳେ ସିଏମ୍‌ସି କିପରି ଡ୍ରେନ କରି ପାରୁନାହିଁ ବୋଲି ୱାର୍ଡ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଉକ୍ତ ଡ୍ରେନଟି ଜଣେ ଘରୋଇ ଲୋକଙ୍କ ଘର ମଧ୍ୟ ଦେଇ ଯାଇଥିବାରୁ ଏହାର ସଫେଇ କାମ କରିବାରେ ସମସ୍ୟା ହେଉଛି। ଡ୍ରେନର ଓସାରକୁ ବଢାଇବା ସହ ଏହାର ଗତିପଥ ବଦଳାଇ ନାଗେଶ୍ବର ଶିବମନ୍ଦିର ଠାରେ ଏମ୍‌ଏସଡବ୍ଲୁ ଡ୍ରେନରେ ମିଶାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଡ୍ରେନ କାମ ପାଇଁ ଲେବଲିଂର ସମସ୍ୟା ଥିବା ବେଳେ ଏହାର ଗତିପଥ ବଦଳାଇବା ପାଇଁ ଜାଗା ସମସ୍ୟା ଦେଖାଯାଉଛି ବୋଲି ନିଗମର ନିର୍ବାହୀ ଯନ୍ତ୍ରୀ ଡି.ଆର. ତ୍ରିପାଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page