କଳିଙ୍ଗନଗର ରେ ପ୍ରତିଷ୍ଠା ହେବ ଆଉ ୩୬ କାରଖାନା ।
![](https://www.sanketkhabar.com/wp-content/uploads/2020/06/IMG-20200609-WA0024-1024x474.jpg)
କଳିଙ୍ଗନଗର(ସଂକେତ ଖବର)
ଶିଳ୍ପ ସମୃଦ୍ଧ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ ଆହୁରି ୩୬ଟି କାରଖାନା। ପ୍ରସ୍ତାବିତ କାରଖାନା ଗୁଡିକ ପାଇଁ ଇଡକୋ ପକ୍ଷରୁ ଜମି ଅଧିଗ୍ରହଣ ସରିଛି। ଅଧିଗୃହୀତ ଜମି,ଚୁକ୍ତିନାମା କରିଥିବା ସଂସ୍ଥା ଗୁଡିକୁ ଲିଜ୍ ସୂତ୍ରରେ ପ୍ରଦାନ ହୋଇଛି। ଏହି କାରଖାନା ଗୁଡିକ କାର୍ଯ୍ୟ ଆରମ୍ଭ ହେଲେ,ପୂର୍ବରୁ କଳିଙ୍ଗ ନଗରରେ ଗଢ଼ି ଉଠିଥିବା ଇସ୍ପାତ କମ୍ପାନୀ ଗୁଡିକ ଲାଭାନ୍ୱିତ ହେବେ।କାରଣ ନୂଆ କାରଖାନା ମଧ୍ୟରୁ ଅଧିକାଂଶ ହେଉଛନ୍ତି ଷ୍ଟିଲ୍ ଇଣ୍ଡଷ୍ଟ୍ରିଜର ଆନୁସଂଗିକ କାରଖାନା। ଫଳରେ କଳିଙ୍ଗ ନଗରର ବିଭିନ୍ନ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍,ସୁଲଭ ମୂଲ୍ୟରେ କଞ୍ଚାମାଲ ପାଇପାରିବେ। ସେହିଭଳି ସ୍ଥାନୀୟ ନିଯୁକ୍ତି ଏବଂ କରୋନା ଯୋଗୁ ନିଜ ଘରକୁ ଫେରି ଆସିଥିବା ପ୍ରବାସୀ ସୁକିନ୍ଦା-ଦାନଗଦିବାସୀଙ୍କୁ କର୍ମସଂସ୍ଥାନ ମିଳିପାରିବ। ସେହି କାରଖାନା ଗୁଡିକର ପ୍ରତିଷ୍ଠାକୁ ନେଇ ସୁକିନ୍ଦା ବିଧାୟକ,ଯାଜପୁର ଜିଲ୍ଲା ପ୍ରଶାସନ ଓ ଇଡକୋ ଅଧିକାରୀଙ୍କ ମଧ୍ୟରେ ଆଜି(ମଙ୍ଗଳବାର) କଳିଙ୍ଗ ନଗର ଠାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।
ତେବେ ୩୬ଟି କାରଖାନା କାର୍ଯ୍ୟ ଆରମ୍ଭ ହେବା ଆଗରୁ ବିସ୍ଥାପିତମାନଙ୍କୁ ସଠିକ୍ ଭାବେ ଥଇଥାନ କରିବାକୁ ସୁକିନ୍ଦାବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଦାବି କରିଛନ୍ତି। ସୁକିନ୍ଦା ବ୍ଲକର ଓଳିଆ ପଞ୍ଚାୟତରେ ଇଡକୋ ପକ୍ଷରୁ ଅଧିକୃତ ୨୫ଏକର ଜମିରେ ବିସ୍ଥାପିତ କଲୋନୀ ପ୍ରତିଷ୍ଠା ସହ ସ୍କୁଲ,ମାର୍କେଟ,ମେଡିକାଲ ଓ ପାର୍କ ସଂପର୍କରେ ଆଲୋଚନା ହୋଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଇଡକୋ ସିଜିଏମଙ୍କ ଉପସ୍ଥିତିରେ ସେହି ବୈଠକରେ ପ୍ରସ୍ତାବିତ କାରଖାନା ଗୁଡିକର ପାଚେରୀ ନିର୍ମାଣର ଦାୟିତ୍ୱ ଇଡକୋ ନେବା ଉଚିତ ବୋଲି ଆଲୋଚନା ହୋଇଥିଲା। ଇଡକୋ ପାଚେରୀ ନିର୍ମାଣ କରିବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ଏଡ଼ାଇ ହୁଅନ୍ତା ଏବଂ ସୁସ୍ଥ ପରିବେଶରେ କାରାଖାନା ଗୁଡିକ ଆରମ୍ଭ ହୋଇପାରିବ ବୋଲି ଆଜିର ପ୍ରାଥମିକ ବୈଠକରେ ଚର୍ଚ୍ଚା ହୋଇଛି।
ଏହାସହ କାରାଖାନା ଗୁଡିକ ଲାଗି ଆବଶ୍ୟକ ପାଣି ଲାଗି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଏକ ଆନିକଟ୍ ନିର୍ମାଣ କରିବା ପାଇଁ ମତ ପ୍ରକାଶ ପାଇଛି। କଳିଙ୍ଗ ନଗରର ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୁର୍ଘଟଣାରୁ ବର୍ତ୍ତିବା ଲାଗି ପ୍ରଥମେ ପାର୍କିଂ ୟାର୍ଡ ନିର୍ମାଣକୁ ଗୁରୁତ୍ୱ ଦିଆଯାଉ।ସେହିଭଳି ପ୍ରସ୍ତାବିତ କାରଖାନା ଗୁଡିକ ନିଜର ସିଏସଆର ଅର୍ଥ କେବଳ କଳିଙ୍ଗ ନଗରର ପାରିପାର୍ଶ୍ୱିକ ବିକାଶ ଲାଗି ଖର୍ଚ୍ଚ କରିବାକୁ ବୈଠକରେ ପ୍ରସ୍ତାବ ଦେଇଛନ୍ତି ବିଧାୟକ ଘଡ଼ାଇ। ଏ ସଂପର୍କରେ ଆସନ୍ତା ସପ୍ତାହରେ ଭୁବନେଶ୍ୱର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ହେବ। ସେହି ବୈଠକରେ ପ୍ରସ୍ତାବିତ କାରଖାନା ଗୁଡିକର ପ୍ରମୋଟରମାନେ ଉପସ୍ଥିତ ରହିବେ।