ଅବନୀ ବରାଳ….ଜଣେ ଶିକ୍ଷକ ନେତା ଥିଲେ !
![](https://www.sanketkhabar.com/wp-content/uploads/2020/06/FB_IMG_1591162497718.jpg)
ଯାହାଙ୍କର ନାଁ ଶୁଣିଲେ ଶାସନ କଳ ଥରି ଉଠୁଥିଲା, ଯାହାଙ୍କର ତଥ୍ୟପୂର୍ଣ୍ଣ ଅକାଟ୍ୟ ଯୁକ୍ତି ଆଗରେ ସରକାର ମୁଣ୍ଡ ନୁଆଁଉ ଥିଲା ଯାହାଙ୍କର ବଳିଷ୍ଠ ନେତୃତ୍ବରେ ଓଡିଶାର ପ୍ରତ୍ୟକଟି ଶିକ୍ଷକ ମର୍ଯ୍ୟଦାର ସହ ବଞ୍ଚିବାର ଏକ ରାହା ପାଇଥିଲେ ସେ ହେଉଛନ୍ତି ପ୍ରଫେସର ଅବନୀ ବରାଳ। ସାରା ଜୀବନ ଗୋଟିଏ ଆଦର୍ଶକୁ ବଞ୍ଚେଇବାକୁ ଯାଇ ନିଜକୁ ସମର୍ପିତ କରି ଦେଇଗଲେ।
ବ୍ୟକ୍ତି ସ୍ବାର୍ଥକୁ ଗୁରୁତ୍ବ ଦେଇଥିଲେ ହୁଏତ ଅନେକ କିଛି ପାଇ ପାରିଥାନ୍ତେ ହେଲେ ଶିକ୍ଷା ଶିକ୍ଷକ ଆଉ ଶିକ୍ଷ୍ୟାତନର ସ୍ବାର୍ଥ ପାଇଁ ଜୀବନକୁ ସମର୍ପଣ କରିଦେଲେ। ସାଲିଶହୀନ ଏଭଳି ବିରଳ ବ୍ୟକ୍ତିତ୍ବ ଆଉ ମିଳିବା କଷ୍ଟ। କି ପ୍ରଚଣ୍ଡ ପରାକ୍ରମ ଆଖିରେ ଆଖିଏ ସ୍ବପ୍ନ ଶିକ୍ଷକର ସ୍ବାର୍ଥ ପାଇଁ ଯେକୌଣସି ବିପଦକୁ ସାମ୍ନା କରିବା ପାଇଁ ସଦା ପ୍ରସ୍ତୁତ ଏଭଳି ଜଣେ ଉତ୍ତାଙ୍ଗ ବ୍ୟକ୍ତିତ୍ବ ହେଉଛନ୍ତି ଶିକ୍ଷକ ଶିରୋମଣୀ ଅବନୀ ବରାଳ।
ଆଜି ସେହି ମଣିଷଟିର ଜନ୍ମ ଜୟନ୍ତୀ ଯାହାକୁ ସମଗ୍ର ଓଡିଶା ଶିକ୍ଷକ ସମାଜ ଗର୍ବର ସହ ପାଳନ କରୁଛି। ଏକାଧାରାରେ ଜଣେ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ଶିକ୍ଷକ ନେତା, ଅଧ୍ୟାପକ, ଅଭିନେତା, ଲେଖକ ପ୍ରଫେସର ଅବନୀ ବରାଳଙ୍କ ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ଥିଲା। ଶିକ୍ଷା ସଂସ୍କାରର କଥା ଆସିଲେ କମ୍ରେଡ୍ ଅବନୀ ବରାଳଙ୍କ ଖୋଜାପଡେ।
ବିଶ୍ବ ଶିକ୍ଷକ ସଙ୍ଗଠନର ଉପ ସଭାପତି ଦାୟିତ୍ୱ ମଧ୍ୟ ସଫଳ ତାର ସହ ତୁଲାଇଛନ୍ତି। ଭାରତ ବାହାରେ ଭାରତୀୟ ଶିକ୍ଷା ଆଉ ଶିକ୍ଷକ ସମ୍ପର୍କରେ ତଥ୍ୟଭିତ୍ତିକ ଉପସ୍ଥାପନା ହେଉ ବା ଶିକ୍ଷକର ଦାବିକୁ ନେଇ ହେଉ ଅବନୀ ବରାଳ ସବୁଠାରେ ନିଜର ଏକ ଭିନ୍ନ ପରିଚୟ ଛାଡି ଯାଇଛନ୍ତି। ୨୦୧୩ ମସିହା ନଭେମ୍ବର ୭ ତାରିଖରେ ସେ ଏ ରାଜ୍ୟର ଅଗଣିତ ଶିକ୍ଷକମାନଙ୍କୁ ପରକରି ଚାଲିଗଲେ।
ତାଙ୍କ ଅନୁପସ୍ଥିତରେ ରାଜ୍ୟର ଶିକ୍ଷକ ସମାଜ ଏକ ବୃହତ ଅଭାବ ଅନୁଭବ କରିଆସୁଛି। ରାଜରାସ୍ତାରେ ମାସ ମାସ ଧରି ଦାବି କଲେବି ସରକାର କର୍ଣ୍ଣପାତ କରୁନାହାନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ଚେଷ୍ଠାକରି ମଧ୍ୟ ବହୁଦା ବିଭକ୍ତିକରଣ ଶିକ୍ଷକ ମାନଙ୍କୁ ଏକାଠି କରିପାରିଲେ ନାହିଁ। ଏକ ଆତ୍ମ ଅବଶୋଷରେ ଏ ଦୁନିଆ ଛାଡିଥିବା ସ୍ବର୍ଗତ ବରାଳ ଆଜି ସମସ୍ତଙ୍କ ପାଇଁ କେବଳ ସ୍ମୃତି ହୋଇ ରହି ଯାଇଛନ୍ତି।
ଶିକ୍ଷକ ଆଜି ସ୍ବାଭିମାନର ସହ ଲଢିବା ଛାଡି ସରକାରଙ୍କ ତୋଷାମଦୀରେ ବ୍ୟସ୍ତ ରହୁଛି। ଶିକ୍ଷାର ସାମଗ୍ରିକ ଉନ୍ନତି ଅପେକ୍ଷା ବ୍ୟକ୍ତିଗତ ବା ବର୍ଗଗତ ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଉଛି। ଫଳରେ ଯାହା ପ୍ରାପ୍ୟ ତାହା ହାତ ମୁଠାରୁ ଦୁରେଇ ଯାଉଛି। ଅବନୀ ବରାଳ ଏମିତି ଜଣେ ଶିକ୍ଷକ ନେତା ଥିଲେ ଯାହା ପାଖକୁ ସରକାର ଯାଉଥିଲା ଅଥଚ ଆଜି…।
ସତରେ ଆଜିପରି ଦିନରେ ଖୁବ୍ ମନେ ପଡନ୍ତି ସମସହତଙ୍କର ପ୍ରିୟ ଅବନୀ ବରାଳ।
ବିରଞ୍ଚି ନାରାୟଣ ଦାସ