ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସସପେନ୍ସ ଉପରୁ ଉଠିବାକୁ ଯାଉଛି ପରଦା !

ଉଦୟ ନାଥ ସାହୁ
ପାରଳାଖେମୁଣ୍ଡିର ଯୁବ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ିହୋଇ ମୃତ୍ୟୁ ଏକ ଦୁର୍ଘଟଣା ଜନିତ ନା ହତ୍ୟା ଅବା ଆତ୍ମହତ୍ୟା ସେହି ରହସ୍ୟ ଉପରୁ ଏବେ ଧୀରେ ଧୀରେ ପରଦା ହଟିବା ଆରମ୍ଭ କରିଛି । ତେବେ ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କ ପରିବାର ଲୋକେ କିନ୍ତୁ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କର ଗଜପତି ଡିଏଫ୍ଓଙ୍କ ସହ ଅନୈତିକ ସଂପର୍କ ଥିବା ନେଇ ଅଭିଯୋଗ ଉଠାଇବା ସହିତ ତାଙ୍କ ବାପା ତାହା ଦର୍ଶାଇ ବୋହୂ, ଡିଏଫ୍ଓ ଏବଂ ରୋଷେୟାଙ୍କ ନାମରେ ଯେଉଁ ଏତଲା ଦେଇଥିଲେ ତାହା ଉପରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ନେଇ ଆଇପିସିର ଧାରା ୩୦୨/୧୨୦-ବିରେ ଏକ ମାମଲା ରୁଜୁକରି ପୋଲିସ୍ ତଦନ୍ତ କରୁଛି ।
ବାଲେଶ୍ୱର ଖଇରା ଅଞ୍ଚଳର ସୌମ୍ୟରଞ୍ଜନ ମହାପାତ୍ର ୨୦୧୮ ମସିହାରେ ଫରେଷ୍ଟ ସର୍ଭିସରେ କୃତକାର୍ଯ୍ୟ ହୋଇ ୨୦୨୦ ମସିହାରୁ ଗଜପତି ଜିଲ୍ଲାରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ୬ମାସ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ସେ ନିଜ ପତ୍ନୀଙ୍କ ସହିତ ପାରଳାଖେମୁଣ୍ଡିରେ ଥିବା ସରକାରୀ କ୍ୱାର୍ଟରରେ ରହି ଆସୁଥିଲେ । ଗତ ୧୨ ତାରିଖ ସନ୍ଧ୍ୟାରେ ପତ୍ନୀଙ୍କ ଉପସ୍ଥିତିରେ ହିଁ ସେହି କ୍ୱାର୍ଟରରେ ସେ ହଠାତ ନିଆଁରେ ପୋଡ଼ି ହେବା ଦେଖି ତାଙ୍କ ପତ୍ନୀ କୁଆଡ଼େ ଚିତ୍କାର କରି ପଡୋଶୀଙ୍କୁ ଡାକ ପକାଇଥିଲେ । ତାଙ୍କ ଚିତ୍କାର ଶୁଣି ପାଖ କ୍ୱାର୍ଟରରୁ ଅଭିଯୁକ୍ତ ରୋଷେୟା ଏବଂ ଅନ୍ୟମାନେ ସେଠାରେ ପହଞ୍ଚିଲା ବେଳକୁ ତାଙ୍କ ଶରୀରର ପ୍ରାୟ ୯୦ଭାଗ ପୋଡ଼ି ଯାଇଥିଲା । ଏହାପରେ ଗୁରୁତର ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । କିନ୍ତୁ କିଛି ଘଣ୍ଟା ପରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ ବି କରି ନେଇଛି ।
ଗତକାଲି ପୋଲିସ୍ ଫୋରେନ୍ସିକ ଟିମ୍ ସହିତ ସୌମ୍ୟରଞ୍ଜନଙ୍କ ସେହି କ୍ୱାର୍ଟରକୁ ଯାଇ ତାଙ୍କ ବାପା, ଭାଇ ଓ ବାପାଙ୍କ ଓକିଲ ପାର୍ଥସାରଥି ନାୟକଙ୍କ ଉପସ୍ଥିତିରେ ତାଲା ଖୋଲି ସେଠାରୁ କିଛି ନମୁନା ସଂଗ୍ରହ କରିବା ସଙ୍ଗେ ସଙ୍ଗେ ସୌମ୍ୟଙ୍କର ଏକ ଲାପଟପ୍ ଓ ତାଙ୍କ ହାତଲେଖା ରହିଥିବା ଏକ ଖାତାକୁ ଜବତ୍ କରି ନେଇଛି । ତାଙ୍କ ବାପାଙ୍କ ଓକିଲ ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ପାରିପାର୍ଶ୍ବିକ ସ୍ଥିତି ଯାହା କହୁଛି ସେହି କ୍ୱାର୍ଟର ଯେ ସୈାମ୍ୟଙ୍କ ପୋଡ଼ିହେବା ସ୍ଥାନ ବୋଲି ଆଦୌ ଜଣାପଡୁନି । କାରଣ ଯେତେବେଳେ ଜଣେ ଲୋକ ଗୋଟିଏ ଛୋଟିଆ ଘରେ ଦୁର୍ଘଟଣା ବଶତଃ ହେଉ ବା ଆତ୍ମହତ୍ୟା କରିବାକୁ ଯାଇ ଶରୀରର ୯୦ଭାଗ ପୋଡ଼ି ହୋଇଯିବ ସେତେବେଳେ ସେ ଘରର ଅନ୍ୟ କୌଣସି ଆସବାବପତ୍ର ଓ ସେଠାରେ ଥିବା ପ୍ଲାଷ୍ଟିକ ବା ପଲିଷ୍ଟର ସାମଗ୍ରୀରେ ନିଆଁ ନ ଲାଗି କେମିତି ଅକ୍ଷୁର୍ଣ୍ଣ ହୋଇ ରହିଯିବ ବୋଲି ସେ ସନ୍ଦେହ କରିବା ସହିତ ଜଣେ ବ୍ୟକ୍ତି ନିଆଁରେ ଜଳିବା ପରେ ପରେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ନ ରହି ଯନ୍ତ୍ରଣାରେ ନିଶ୍ଚୟ ଏଣେତେଣେ ଧାଇବାକୁ ଲାଗିବ ଆଉ ଚାରିଆଡ଼େ ପୋଡ଼ା ଚିହ୍ନ ସୃଷ୍ଟି ହେବ ! କିନ୍ତୁ ସେହି ଘରେ ସେମିତି କୌଣସି ସଂକେତ ନ ମିଳିବା ଘଟଣାରୁ ସେହି କ୍ୱାର୍ଟରରେ ନୁହଁ ବରଂ ଅନ୍ୟ କେଉଁଠି ସୈାମ୍ୟଙ୍କ ଦେହରେ ନିଆଁ ଲାଗି ଜଳିବା ପରେ ହିଁ ତାଙ୍କୁ ଏହି କ୍ୱାର୍ଟରକୁ ଆଣି ଏଠାରେ ଅଘଟଣ ଘଟିଛି ବୋଲି ଦେଖାଇବାକୁ ଅପଚେଷ୍ଟା କରାଯାଉଛି ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ! ସେମିତି ଜବତ୍ ହୋଇଥିବା ଖାତାରେ ନିଜର ଅସୁଖି ବୈବାହିକ ଜୀବନ, ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ନିଷ୍ପତ୍ତି, ଚାକିରୀ ଛାଡ଼ିଦେବା ପାଇଁ ଇଚ୍ଛୁକ ଥିବା ସମ୍ପର୍କରେ ସୋମ୍ୟ ନିଜ ହାତରେ ଲେଖିଥିବା ଜଣାପଡିଛି । ଏକ ଷ୍ଟାମ୍ପ୍ ପେପରରେ ପତ୍ନୀ ବିଦ୍ୟାଭାରତୀଙ୍କ ସହ ହୋଇଥିବା ଚୁକ୍ତିପତ୍ରର ଜେରକ୍ସ କପିକୁ ମଧ୍ୟ ପୋଲିସ୍ ଜବତ କରିଛି; ଯେଉଁଥିରେ ସୌମ୍ୟ ନିଜର ସବୁ ସମ୍ପତ୍ତି ପତ୍ନୀଙ୍କୁ ଦେବା ପାଇଁ କୁଆଡ଼େ ଚୁକ୍ତି କରିଛନ୍ତି !
ସେପଟେ ମାତ୍ର ୬ ମାସ ବୈବାହିକ ଜୀବନ ବିତାଇଥିବା ପତ୍ନୀ ନିଜ ସ୍ବାମୀଙ୍କ ସହ ଏତେବଡ଼ ଘଟଣା ଘଟିବା ଓ ତାଙ୍କୁ ହରାଇବା ପରେ ବି ବୋହୁର ନିରବତା ନେଇ ତାଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଓ ମାମୁଁ । ବିବାହର କିଛି ମାସ ପରଠାରୁ ପତିପତ୍ନୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଭଲ ନ ଥିଲା, ଦୁହିଁଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ହେଉଥିଲା ଏବଂ ସୌମ୍ୟରଞ୍ଜନ ତାଙ୍କ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହେଉଥିବା କଥାର ଖୁଲାସା କରିଛନ୍ତି ସୌମ୍ୟଙ୍କ ଜଣେ ଅନ୍ତରଙ୍ଗ ସାଙ୍ଗ । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ତାଙ୍କ ଅଧସ୍ତନ ଥିବା ସୌମ୍ୟରଞ୍ଜନଙ୍କୁ ନିୟମିତ କୌଣସି କାରଣ ନ ଥାଇ ଦୂର ସ୍ଥାନମାନଙ୍କୁ ଡ଼୍ୟୁଟିରେ ପଠାଇ ଦେଇ ସମୃକ୍ତ ଡିଏଫ୍ଓ ସୌମ୍ୟଙ୍କ କ୍ୱାର୍ଟରକୁ ଯାଇ ସେଠାରେ ଖିଆପିଆ କରି ସମୟ ବିତାଉଥିଲେ । ତଳିଆ କର୍ମଚାରୀଙ୍କଠାରୁ ଏହି କଥା ଜାଣିବା ପରେ ସେ ମାନସିକ ଅଶାନ୍ତି ଭୋଗ କରି ଆସିବା ସହିତ ସେଠାରୁ ଅନ୍ୟତ୍ର ବଦଳି ହୋଇ ଚାଲିଯିବା ପାଇଁ ଉଚ୍ଚ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ଏହି କଥା ସୌମ୍ୟ କୁଆଡ଼େ ତାଙ୍କର ସେହି ସାଙ୍ଗଙ୍କ ନିକଟରେ ଜୁନ୍ ମାସରେ ପ୍ରକାଶ କରିଥିଲେ ।
ତେବେ ସେ ଯାହା ବି ହେଉ ନିଆଁରେ ପୋଡ଼ି ହେବାର ପୂର୍ବଦିନ ହିଁ ଶିମିଳିପାଳକୁ ତାଙ୍କର ବଦଳି ଆଦେଶ ମିଳିଥିଲା । ତେବେ ବଦଳି ଆଦେଶ ଆସିବାର ପରଦିନ ସେ ନିଆଁରେ ପୋଡ଼ି ହେବା ଘଟଣା ତାଙ୍କ ସାଙ୍ଗଙ୍କ କଥା ସହିତ ଏବେ ବେଶ୍ ସାମଞ୍ଜସ୍ୟ ରଖୁଛି । ଯଦି ତାଙ୍କ କଥା ସତ ହୋଇଥାଏ ତେବେ ପାରଳାଖେମୁଣ୍ଡି ଛାଡ଼ି ତାଙ୍କ ସହିତ ବଦଳି ସ୍ଥାନକୁ ନ ଯିବା ପାଇଁ କଣ ପତ୍ନୀ ଜିଦି କରି ତାହାକୁ ନେଇ ତାଙ୍କ ସହ କୌଣସି କଳି ଝଗଡ଼ା କରିଥିଲେ କି ? ଯେଉଁଥିପାଇଁ ସେ ବିବଶ ହୋଇ ଆତ୍ମହତ୍ୟା କରିବାକୁ ଯାଇ କଣ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ କି ? ନା ଆଉ କେହି କୌଣସି କାରଣରୁ ତାଙ୍କୁ ହତ୍ୟା କରିବା ପାଇଁ ହିଁ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ? ଜବତ୍ ଚୁକ୍ତିନାମାର ଯେଉଁ ଜେରକ୍ସ କପି ମିଳିଛି ତାହାର ଅସଲ କପି ତ ନିଶ୍ଚିତ ଭାବେ ତାଙ୍କ ପତ୍ନୀଙ୍କ ନିକଟରେ ହିଁ ରହିଥିବ ଓ ବାହାଘର ୬ମାସ ନ ପୁରୁଣୁ ପତ୍ନୀଙ୍କ ଏହି ଚୁକ୍ତିନାମା କାହିଁକି କରିବାକୁ ପଡ଼ିଲା ଏସବୁ ଦିଗ ପ୍ରତି ମଧ୍ୟ ତଦନ୍ତ ହେବା ଆବଶ୍ୟକ ! ଯେଉଁ ପତ୍ନୀ ବାହାଘରର ମାତ୍ର ୬ମାସ ମଧ୍ୟରେ ନିଜ ପତିଙ୍କ ସହ ଏକ ଅତି ସୁନ୍ଦର ପ୍ରେମମୟ ବୈବାହିକ ଜୀବନ ବିତାଇବା କଥା ସେହି ସମୟରେ ତାହା ନ କରି ଯଦି ଅତ୍ୟନ୍ତ ନିମ୍ନ ମାନସିକତାର ବଶବର୍ତ୍ତୀ ହୋଇ ତାଙ୍କ ଉପରେ ଗଭୀର ଭାବେ ମାନସିକ ଚାପ ପକାଇ ତାଙ୍କ ସବୁ ସମ୍ପତ୍ତି ନେଇଯିବା ପାଇଁ ଯେଉଁ ପତ୍ନୀ ଏଭଳି ଏକ ଚୁକ୍ତିନାମା ଲେଖାଇ ନେଇ ପାରୁଛନ୍ତି ତ ମନୋବିଜ୍ଞାନ ଅନୁସାରେ ସେ ଅର୍ଥଲୋଭରେ କୌଣସି ସ୍ତରକୁ ଖସିଯାଇ କିଛି ବି କରିଦେଇ ପାରିବ ! ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏବେ ଗଜପତି ଏସପି ନିଜ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଘଟଣାର ନିରୀକ୍ଷଣ କରିବା ଆରମ୍ଭ କରି ଦେଇଥିବାରୁ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ସସପେନ୍ସ ଉପରୁ ଖୁବ୍ ଶୀଘ୍ର ପରଦା ଉଠିଯିବ ବୋଲି ଆଶା କରାଯାଉଛି !
ବରିଷ୍ଠ ଆଇନଜୀବୀ