ଓଟିଡିସି ପକ୍ଷରୁ ଆମ ଘର ଆମ ହାଣ୍ଡିଶାଳ କାର୍ଯ୍ୟକ୍ରମ ଉଦଘାଟିତ।

0

ଭୁବନେଶ୍ୱର(ସଂକେତ ଖବର)
କରୋନାଜନିତ ଲକଡାଉନ୍ ଅବଧି ମଧ୍ୟରେ କର୍ମଜୀବୀ ମହିଳାଙ୍କଠୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ନିଜ ପରିଜନଙ୍କୁ ଖୁଆଇବା ସହ ତାକୁ ସୋଶିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି। ଏଭଳି ରୋଷେଇ ମାଧ୍ୟମରେ ମହିଳାମାନେ ନିଜର ଲୁକାୟିତ ପ୍ରତିଭାକୁ ଉପସ୍ଥାପିତ କରୁଥିବାବେଳେ ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏକ ନୂଆ ପ୍ରତିଯୋଗିତା “ଆମ ଘର ଆମ ହାଣ୍ଡିଶାଳ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନୂଆ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଆଜି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ଆର.ଯାଦବ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଓଟିଡିସି ପକ୍ଷରୁ ଠିକ୍ ସମୟରେ ଏକ ଭଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହିଳାମାନେ ନିୟମିତ ଭାବେ ନିଜ ଘରେ ରୋଷେଇ କରୁଛନ୍ତି କିନ୍ତୁ ପ୍ରତିଯୋଗୀ ଭାବେ ରୋଷେଇ କରିବା ଆଉ ତା’ପୁଣି ପାରମ୍ପରିକ ଓଡ଼ିଆ ଖାଦ୍ୟ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହେବ। ଏହା ଆମର ଓଡ଼ିଆ ଖାଦ୍ୟ ସମ୍ଭାରର ପ୍ରଚାରପ୍ରସାରରେ ଅଧିକ ସହାୟକ ହୋଇପାରିବ ବୋଲି ଆଶା କରୁଛି।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ନିଗମ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ମୁଖ୍ୟତଃ ପାରମ୍ପରିକ ଓଡ଼ିଆ ଖାଦ୍ୟ ସମ୍ଭାରକୁ ବିଶ୍ୱ ଦରବାରରେ ପହଂଚାଇବା ଓ ମହିଳାମାନଙ୍କୁ ସେମାନଙ୍କର ରୋଷେଇ ଦକ୍ଷତାକୁ ପ୍ରତିପାଦନ ନିମନ୍ତେ ଏକ ପ୍ଲାଟଫର୍ମ ଦେବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏଭଳି ଏକ ପ୍ରତିଯୋଗିିତା ଆୟୋଜନ କରିଛି। ସୁସ୍ଥ ଓ ନିରୋଗ ରହିବା ପାଇଁ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ଖାଦ୍ୟସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଯେକେହି ଭାଗ ନେଇ ପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ ବୋଲି ସେ କହିଛନ୍ତି।
ସେହିପରି ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି ଯେ, ଓଟିଡିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ନିଶ୍ଚିତ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବ। ଓଡ଼ିଶା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଟିଡିସି ଦ୍ୱାରା ହେଉଥିବା ଏଭଳି ନୂଆ ନୂଆ କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ।

ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯାଦବ କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ଆୟୋଜିତ ହେଉଥିବା ଏହି ରୋଷେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ନିଜର ନାମ, ଠିକଣା, ଇ-ମେଲ୍ ଆଇଡି, ଫୋନ୍ ନମ୍ବର ଓ ନିଜର ଏକ ଫଟୋ ସହ ପ୍ରସ୍ତୁତ କରୁଥିବା ଖାଦ୍ୟ (ରେସିପି)ର ନାଁ , ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓକୁ ଆମର ହ୍ୱାଟସଅପ୍ ନମ୍ବର- ୮୨୬୦୬୩୮୩୩୧,୮୨୬୦୬୪୧୬୧୧ କିମ୍ବା ଇ-ମେଲ୍ ଆଇଡି otdcho@gmail.com କୁ ପଠାଇବାକୁ ପଡ଼ିବ। ଏଥିପାଇଁ ରେଜିଷ୍ଟେସନ କରିବାର ଶେଷ ତାରିଖ ଜୁନ୍ ୨୭ତାରିଖ ରହିଛି। ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି। ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପ୍ରତିଯୋଗୀଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ। ସମସ୍ତ ପ୍ରତିଯୋଗୀଙ୍କ ଖାଦ୍ୟ ପ୍ରସ୍ତୁତିବେଳର ଭିଡିଓ ଓ ରେସିପି ମଧ୍ୟରୁ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କୁ ଆମର ବିଚାରକ ମଣ୍ଡଳୀ ଚୟନ କରିବେ ଏବଂ ସେମାନଙ୍କର ମତାମତ ହିଁ ଚୂଡ଼ାନ୍ତ ହେବ। ଏହି ସମସ୍ତ ପ୍ରତିଯୋଗୀଙ୍କୁ ‘ ଫ୍ରିଡମ୍ ଅଏଲ’ ଓ ‘ରୁଚି କମ୍ପାନୀ’ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ସେହି ସମସ୍ତ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କ ରେସିପି ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲରେ ପ୍ରସାରଣ କରାଯିବ। ଶ୍ରେଷ୍ଠ-୩ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *

You cannot copy content of this page