ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

0

ବାଲିଗୁଡା(ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ ପନ୍ଦରମାଇଲ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୦୮ ଆମ୍ବୁଲାନ୍ସ ଓଡି-୧୨ସି- ୬୭୧୦ ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ଼୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ସେପଟେ ଟ୍ରକ୍ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡ଼ିଛି । ଖବରପାଇ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଗାଡ଼ିଭିତରୁ ଉଦ୍ଧାର କରିବା ପରେ ସେହି ରାସ୍ତା ଦେଇ ଆସୁଥିବା କୋଟଗଡ଼ ବନବିଭାଗ ରେଞ୍ଜର ସୂର‌୍ୟ୍ୟକାନ୍ତ ବେହେରା ନିଜ ଗାଡ଼ିରେ ଆଣି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ହେଉଛନ୍ତି ଆସ୍ତିକ ମଲ୍ଲିକ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଆସ୍ତିକଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ତୁମୁଡ଼ିବନ୍ଧରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ସହ ବାଲିଗୁଡ଼ାରୁ ଭବାନୀପାଟଣା ଯାଉଥିବା ଏକ ମାଲବାହୀ ଟ୍ରକ୍ ସହ କୁର୍ତ୍ତମଗଡ଼ ପନ୍ଦରମାଇଲ୍ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

You cannot copy content of this page