କରୋନା ରେ ଆକ୍ରାନ୍ତ ଇିଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
![](https://www.sanketkhabar.com/wp-content/uploads/2021/06/Death.jpg)
ମଙ୍ଗଳପୁର (ସଙ୍କେତ ଖବର): ମହାମାରୀ କରୋନାରେ ଆକ୍ରାନ୍ତ ଥିବା ଜଣେ ବି-ଟେକ୍ ଛାତ୍ରଙ୍କ ପରଲୋକ ଘଟିଛି । ମୃତକ ଛାତ୍ର ହେଉଛନ୍ତି ଦଶରଥପୁରବ୍ଲକ ତଥା ମଙ୍ଗଳପୁର ଥାନା କମାରଢ଼ିହି ପଞ୍ଚାୟତ ଯୋଗୀମଠ ଗ୍ରାମର ଶିକ୍ଷକ ଧୀରେନ୍ଦ୍ର ନାୟକଙ୍କ ପୁଅ ସୌମ୍ୟରଞ୍ଜନ ନାୟକ (୨୩) । ସୌମ୍ୟରଞ୍ଜନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବୈଷୟିକ କଲେଜରେ ବି-ଟେକ୍ ର ଶେଷ ବର୍ଷ ଛାତ୍ର ଥିଲେ । କରୋନା ଯୋଗୁ କଲେଜ ବନ୍ଦ ଥିବାରୁ ଘରେ ରହି ଅନ୍ଲାଇନ୍ରେ ଅଧ୍ୟୟନ କରୁଥିବା ସୌମରଞ୍ଜନ ତାଙ୍କ ପାଠ ପଢ଼ା ସମ୍ବନ୍ଧୀୟ ଜରୁରୀ ଆବଶ୍ୟକତା ପାଇଁ କିଛି ଦିନ ତଳେ ଭୁବନେଶ୍ୱର ଯାଇଥିଲେ । ଚଳିତମାସ ୧୩ ତାରିଖ ରେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସ୍ୱାବ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଡାକ୍ତର ତାଙ୍କୁ ଔଷଧ ସେବନ ସହିତ ସଂଗରୋଧ ରେ ରହିବାକୁ ପରାମର୍ଶ ଦେଇଥିଲେ । ଡାକ୍ତର ପରାମର୍ଶ କ୍ରମେ ସୌମ୍ୟରଞ୍ଜନ ନିଜ ଘରେ ସଂଗରୋଧ ରେ ରହୁଥିଲେ ।
ତେବେ ଗତକାଲି ସନ୍ଧ୍ୟା ରେ ସୌମ୍ୟରଞ୍ଜନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରକୁ ପରିବାର ଲୋକେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ତାଙ୍କୁ ଭୂମିକା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବିଳମ୍ବିତରାତ୍ରି ରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ଖବର ଜଣାପଡିବା ପରେ ସୌମ୍ୟରଞ୍ଜନଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ସ୍ଥାନୀୟ ସରପଞ୍ଚ ସ୍ମୀତାରାଣୀ ବିଶ୍ୱାଳ, ଯୁବ ସମାଜସେବୀ ପ୍ରୀୟବ୍ରତ ବିଶ୍ୱାଳ, ଦେବଦତ୍ତ ନାୟକ, ଦିଲ୍ଲୀପ କୁମାର ନାୟକ ପ୍ରମୁଖ ପରିବାର ନିକଟରେ ପହଁଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପ୍ରଶାସନ ପକ୍ଷରୁ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯିବା ସହ ଶୁକ୍ରବାର ପୂର୍ବାହ୍ନରେ ଟାରେବାରୁଣୀ ପଡିଆରେ ଶେଷକୃତ୍ୟ କରାଯାଇଥିଲା ।