ମହିଳାଙ୍କୁ କିରୋସିନ ଢ଼ାଳି ଜୀବନରୁ ମାରିଦବାକୁ ଉଦ୍ୟମ

ଯାଜପୁର (ସଙ୍କେତ ଖବର): ଯୌତୁକ ନିର୍ଯ୍ୟାତନା ପରେ ଶାଶୁଘର ଲୋକେ ମହିଳାଙ୍କୁ ନିଆଁ ଲଗାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ମଲ୍ଲିକାପୁର ପଞ୍ଚାୟତ ଧଣ୍ଡାପାଳ (ଅହିୟାସ) ଅଞ୍ଚଳର ସରୋଜ ମଲ୍ଲିକ ବିଞ୍ଝାରପୁର ଥାନା ରାହାସୁଗୁହାଳି ଗ୍ରାମ ମୁରଲି ମଲ୍ଲିକଙ୍କ ଝିଅ ମିତାରାଣୀ ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହ ବେଳେ ଶାଶୁଘର ଦାବି ମୁତାବକ ଜାନିଯୌତୁକ ଦିଆଯାଇଥିଲା । ଏହା ମଧ୍ୟରେ ମିତାରାଣୀ ଦୁଇ କନ୍ୟା ସନ୍ତାନଙ୍କର ମା’ ହେବାର ସୌଭାଗ୍ୟ ପାଇଥିଲେ । ମାତ୍ର ବାପ ଘରୁ ଅଧିକ ଯୌତୁକକୁ ପାଇଁ ବଡ ଯାଆ ରିମା ମଲ୍ଲିକ ଓରଫ୍ ଅନୂପମାଙ୍କ ପ୍ରରୋଚନାରେ ଶାଶୁ କାମିନୀ ମଲ୍ଲିକ (୬୦) ବୋହୂ ମିତାରାଣୀଙ୍କୁ କହିବା ସହ ଯୌତୁକ ବିଭିନ୍ନ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିଲେ । ଏପରିକି ଅନେକ ସମୟରେ ମାଡ ମାରି ଖାଇବାକୁ ଦେଉନଥିଲେ । ବାପା ମୁରଲି ଘଟଣା ସମ୍ପର୍କରେ ଜାଣିବା ପରେ ଅନେକବାର ଶାଶୁ ଘରକୁ ଆସି ଝିଅ ମିତାରାଣୀଙ୍କୁ ନିର୍ଯ୍ୟାତନା ନଦେବାକୁ କାକୁତିମିନତି ହୋଇଥିଲେ । ତଥାପି ନିର୍ଯ୍ୟାତନା କମିବା ପରିବର୍ତ୍ତେ ବଢ଼ିଚାଲିଥିଲା ।
ଫଳରେ ବାଧ୍ୟହୋଇ ମିତାରାଣୀ ବାପାଙ୍କ ନିକଟକୁ ପଳାଯାଇଥିଲେ । ବାପ ପାଖରେ ରହୁଥିବା ବେଳେ ଶାଶୁ, ସ୍ୱାମୀ ଓ ବଡ ଯାଆ ମିଳିତଭାବେ ବାପ ଘରେ ପହଁଚି ସ୍ଥାନୀୟ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ମିତାରାଣୀଙ୍କୁ ନିର୍ଯ୍ୟାତନା ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଘରକୁ ଫେରାଇ ଆଣିଥିଲେ । ମାତ୍ର ଘଟଣା ଜାରୀ ରହିବାରୁ ମିତାରାଣୀ ମଙ୍ଗଳପୁର ଥାନାରେ ଅଭିଯୋଗ କରିବା ପରେ ଶାଶୁଘର ଲୋକେ ପୁନର୍ବାର ଥାନାରେ ନିଜ ଭୁଲ ସ୍ୱୀକାର କରି ମାମଲାକୁ ଚପାଇ ଦେବାକୁ ସଫଳ ହୋଇଥିବା ବେଳେ ଆଜି ସକାଳ ପ୍ରାୟ ୫ଟା ସମୟରେ ଶାଶୁ, ସ୍ୱାମୀ ଓ ବଡ ଯାଆ ମିଶି ମିତାରାଣୀଙ୍କୁ ଜୀବନରୁ ମାରିଦେବାର ଉଦ୍ଦେଶ୍ୟରେ କିରୋସିନ୍ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ମିତାରାଣୀ ବଡ ପାଟିରେ ଚିତ୍କାର କରିବାରୁ ପଡୋଶୀ ଘଟଣାସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରି ମିତାରାଣୀଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଘଟଣାକୁ ନେଇ ମିତାରାଣୀ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଶାଶୁଘରେ ରହିବା ତାଙ୍କ ପକ୍ଷେ ଅସୁରକ୍ଷିତ ହୋଇପଡିଥିବାରୁ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।