ଆଜି ମନେ ପଡନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ !

0

ଦିନେ ଯାହାଙ୍କର କାଳଜୟୀ କବିତା “ବନ୍ଦେ ଉତ୍କଳ ଜନନୀ” କୋଟି ଓଡିଆର ହୃଦତନ୍ତ୍ରୀରେ ଜାତୀୟତାର ଏକ ଅଗ୍ନିଶିଖା ସୃଷ୍ଠି କରିଥିଲା ଆଜି ପୁଣି ସେହି ଯୋଗଜନ୍ମା ଏ ମାଟିର ଶ୍ରେଷ୍ଠ ପୁରୁଷ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏ ଜାତି ମନେ ପକାଇଛି। ଦିନେ ଯାହାଙ୍କର କବିତାର ପଙ୍କ୍ତିକୁ ପଢି ସ୍ତତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ବପ୍ନ ଏ ଜାତି ଦେଖିଥିଲା, ସମସ୍ତଙ୍କୁ ଗୋଟିଏ ସୁତ୍ରରେ ବାନ୍ଧି ପାରିଥିଲା, ଦୁର୍ବଳ ହୃଦୟରେ ଶତସିଂହର ବଳ ଯୋଗାଇ ଦାସଥିଲା ଆଜି ସେହି କାଳଜୟୀ କବିତା “ଵନ୍ଦ ଉତ୍କଳ ଜନନୀ”କୁ ଏ ବିଶ୍ବର ପ୍ରତିଟି କୋଣ ଅନୁକୋଣରେ ଥିବା ଉତ୍କଳ ସନ୍ତାନଙ୍କୁ ଗାନ କରିବା ପାଇଁ ଏବେ ଆହ୍ବାନ ଆସିଛି।

ସହଜ ଭାବରେ କହିବାକୁ ଗଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆସନ୍ତା ୩୦ ତାରିଖ ଶନିବାର ୫.୩୦ ମି ରେ କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କରିବାକୁ ନିବେଦନ କରିଛନ୍ତି। ମାତ୍ର ୧୮ ବର୍ଷ ବୟସରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ବ୍ରିଟିଶ୍ ଶାସନରୁ ମୁକ୍ତି ପାଇଁ ଚାଲିଥିବା ଆନ୍ଦୋଳନରେ ଝାସ ଦେଇଥିଲେ ଏହି ଅଗ୍ନୀଶିଖା ବିସ୍ମୟ ବାଳକ ଲକ୍ଷ୍ମୀକାନ୍ତ। ଭଦ୍ରକ ସାଳନ୍ଦୀ ଅଞ୍ଚଳର ଏକ ଜମିଦାର ପରିବାରରେ ଜନ୍ମ ହୋଇଥିବା ଲକ୍ଷ୍ମୀକାନ୍ତ ସେଦିନ କେଉଁ ଏକ ବିଶେଷ ମୁହୁର୍ତ୍ତରେ ଏହି କାଳଜୟୀ କବିତାଟି ରଚନା କରି ଦେଇଥିଲେ ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ପୁରୀ ବୈଠକରେ ଶ୍ରେଷ୍ଠ ବିଚାର ପୂର୍ବକ ପ୍ରାରମ୍ଭରେ ଗାନ କରାଯାଇ ଥିଲା। ସମୟ ସ୍ରୋତରେ ଲକ୍ଷ୍ମୀକାନ୍ତ ମହାପାତ୍ର ଆଜି ନାହାଁନ୍ତି ସତ ହେଲେ ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଆଜି ପ୍ରତି ଓଡିଆର ହୃଦୟରେ ସ୍ଥାନ ପାଇ ପାରିଛି।

ଓଡିଶା ବିଧାନସଭାରେ ଉଦଯାପନୀ ସଙ୍ଗୀତ ଭାବରେ ଏହା ଗାନ କରା ଯାଇଥାଏ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମୟରେ ଏହାକୁ ରାଜ୍ୟ ସଙ୍ଗୀତର ଆଇନଗତ ମାନ୍ୟତା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରା ଯାଇଥିଲା ତାହା ଯଦିଓ ଏଯାଏ ଶେଷ ହୋଇନାହିଁ କିନ୍ତୁ ଏହା ସବୁରି ହୃଦୟରେ ଏକ ସ୍ବତନ୍ତ ସ୍ଥାନ ଦଖଲ କରି ସାରିଛି। ଓଡିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ଏହା ମଧ୍ୟରେ ୭୪ ବର୍ଷ ଅତିକ୍ରାନ୍ତ କରି ସାରିଲାଣି ହେଲେ ଆମର କେଉଁଠି ନା କେଉଁଠି ଇଚ୍ଛାଶକ୍ତିର ଅଭାବରୁ ଏହା ଏଯାଏ ଯେଉଁ ମାନ୍ୟତା ପାଇବା କଥା ପାଇ ପାରିନାହିଁ। ବିଳମ୍ବରେ ହେଲେ ମଧ୍ୟ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏହି ସଙ୍ଗୀତ ଗାନ କରିବା ପାଇଁ ଆହ୍ବାନ ଦେବାପରେ ଏହି ସଙ୍ଗୀତର ଭବିଷ୍ୟତକୁ ନେଇ ନୂଆ ଆଶା ସଞ୍ଚାର ହୋଇଛି।

ଏ ଜାତିର ପରିଚୟ ଯେଉଁ ସଙ୍ଗୀତ ଭିତରେ ଖୋଜିଲେ ମିଳିଥାଏ ଆଜି ସେହି ସଙ୍ଗୀତ ସାଡେ ୪ କୋଟି ଓଡିଆ ଏକସ୍ବରରେ ଗାଇଲେ ଧନ୍ୟ ହୋଇ ଉଠିବ ଏ ଉତ୍କଳ ମାତା ଆଉ ତାର ଯୋଗ୍ୟ ସନ୍ତାନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଜୀବନରେ ଶାରରୀକ ଅସୁସ୍ଥତା କାରଣରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଆନ୍ଦୋଳନରେ ଯୋଗ ଦେଇ ପାରିନଥିଲେ ବି ଲକ୍ଷ୍ମୀକାନ୍ତଙ୍କ ଏହି କେଇ ଧାଡିର କାଳଜୟୀ କବିତା ତାଙ୍କୁ ସାରା ଜୀବନ ଅମର କରିଯାଇଛି। ଏଭଳି ଶୁଭକ୍ଷଣରେ ଜଣେ ଓଡିଆ ହିସାବରେ ମୁଁ ଆଶା ନିଶ୍ଚିତ କରିବି ସମସ୍ତେ ଏହି ସଙ୍ଗୀତକୁ ଗାନ କରିନ୍ତୁ ଏବଂ ସରକାରଙ୍କ ନିକଟରେ ଦାବିକରନ୍ତୁ ଯଥାଶିଘ୍ର ଆଇନଗତ ଦୃଷ୍ଟିରୁ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳୁ।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page