କେବେ ମିଳିବ ? ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ଆଇନଗତ ମାନ୍ୟତା ?

0

‘ଓଡିଆ ଏକ୍‌ଟା ଭାଷା ନଏଁ’ ବୋଲି ପଡୋଶୀ ରାଜ୍ୟରୁ ଯେତେବେଳେ ଯୋରଦାର୍‌ ଆବାଜ୍‌ ଉଠିଲା ସେତବେଳେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଭଳି ଯଶସ୍ବୀ ସାରସ୍ବତ ସାଧକ ଶାଣିତ ଲେଖନୀ ଚାଳନା କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ପ୍ରଥିତଯଶା ସାହିତ୍ୟିକମାନେ ସେମାନଙ୍କ ବଳିଷ୍ଠ ଲେଖନୀ ଚାଳନା କରି ଉଗ୍ର ଜାତୀୟତାବାଦ ଉଦ୍ରେକ କରିଥିଲେ, ସେମାନଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଅନ୍ୟତମ।

ଆଜି ସେହି ଯୋଗଜନ୍ମା କବିଙ୍କ କାଳଜୟୀ କବିତା “ବନ୍ଦେ ଉତ୍କଳ ଜନନୀ”କୁ କରୋନା ମହାମାରୀ ବିରୁଦ୍ଧରେ ଜୀବନକୁ ବାଜି ଲଗାଇ କାମ କରୁଥିବା କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ମନୋବଳ ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଯେଉଁ ଆହ୍ୱାନ ଦେଇଥିଲେ ସେଥିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କୋଣ ଅନୁକୋଣରେ ଆଜି ସନ୍ଧ୍ୟା ସାଢ଼େ ୫ଟା ସମୟରେ ଏହି ସଙ୍ଗୀତ ଗାନ କରାଯାଇଛି। ସବୁଠାରୁ ଖୁସିର କଥାହେଲା ଦଳ ମତ ନିର୍ବିଶେଷରେ ଆଜି ସମସ୍ତ ରାଜନୈତିକ ଦଳର ନେତୃତ୍ବମାନେ ମଧ୍ୟ ଏହାକୁ ସମର୍ଥନ କରି ଗାନ କରିଛନ୍ତି।

ସତେ ଯେପରି ଲାଗୁଥିଲା ଆଜି ସାରା ଉତ୍କଳ ପ୍ରଦେଶ୍ ପୁଣିଥରେ ଏକତ୍ବର ସୁତ୍ରରେ ବାନ୍ଧି ହୋଇ ଯାଇଛି। ୧୯୦୮ ମସିହାରେ ଯେତବେଳେ ଓଡିଆ ଭାଷା ଓ ମାଟି ମା’ ସଙ୍କଟରେ ପଡିଥିଲା ଏହି ସଙ୍ଗୀତ ପ୍ରଥମକରି ଶୁଣିବାକୁ ମିଳିଥିଲା ଉତ୍କଳ ସମ୍ମିଳନୀର ପୁରୀସ୍ଥିତ ବୈଠକରେ। ମାତ୍ର ୨୦ ବର୍ଷ ବୟସରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କଲମରୁ ଝରି ପଡିଥିବା ଏହି କାଳଜୟୀ କବିତା ଆଜି ୧୧୨ ବର୍ଷ ପରେ ପୁଣିଥରେ ଓଡିଆ ଜାତିକୁ ଆଉ ଏକ ସଙ୍କଟରୁ ରକ୍ଷା କରିବା ପାଇଁ ବ୍ୟବହାର କରାଯାଇଛି। ନିସନ୍ଦେହରେ କୁହା ଯାଇପାରେ ଉଗ୍ର ଜାତୀୟତାବାଦ ଉଦ୍ରେକକାରୀ ସେହି ଦେଶାତ୍ମବାଧକ ସଙ୍ଗୀତ ଆଜି ଗାନ କଲାବେଳେ ପ୍ରତିଟି ଉତ୍କଳୀୟ ପ୍ରାଣ ଗର୍ବରେ ଫୁଲି ଉଠୁଥିଲା।

କିନ୍ତୁ ପ୍ରଶ୍ନଉଠେ ଯାହାଙ୍କର ପଦିଏ କବିତା ଗୋଟିଏ ଜାତିକୁ ଏତେବଡ ସଙ୍କଟରୁ ମୁକୁଳେଇ ଦେବାର କ୍ଷମତା ରଖିଥିଲା ସେହି କବି ଆଉ ତାଙ୍କ କବିତାକୁ ଆଜି ଆମ ବ୍ୟବସ୍ଥା କେଉଁ ସ୍ଥିତିରେ ରଖିଛି। ଯଦିଓ କାନ୍ତକବିଙ୍କ ଦେହାନ୍ତ ଘଟିବାର ସପ୍ତାହେ ମଧ୍ୟରେ ଓଡ଼ିଶା ବିଧାନସଭାରେ ତାଙ୍କ ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ କରି ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ସେଥିରେ ଭାଗ ନେଇ ତଦନାନ୍ତୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ କହିଥିଲେ, ‘ଯେହେତୁ କାନ୍ତକବି ସାରା ଓଡ଼ିଶାରେ ସୁପରିଚିତ, ତାଙ୍କ ବିୟୋଗରେ ମୁଁ ବା ଅଧିକ କ’ଣ କହିବି? କାନ୍ତକବିଙ୍କ ରଚିତ କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ବିଧାନସଭା 1994 ମସିହାରୁ ଉଦ୍‌ଯାପନୀ ସଙ୍ଗୀତ ରୂପେ ଗାନ କରାଯାଉଛି ।

ଏଥିନେଇ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବାଚସ୍ପତି ଯୁଧିଷ୍ଠିର ଦାସ 1994 ନଭେମ୍ବର ୭ ତାରିଖ ସର୍ବସମ୍ମତି କ୍ରମେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେ, ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ ଜୟ ହେ’ ବିଧାନସଭା ଅଧିବେଶନ ଆରମ୍ଭରେ ଏବଂ ରାଜ୍ୟ ସଙ୍ଗୀତ ’ବନ୍ଦେ ଉତ୍କଳ ଜନନୀ’ ଅଧିବେଶନ ଶେଷରେ ପରିବେଷିତ ହେବ । ସର୍ବୋପରି ପ୍ରବାଦ ପୁରୁଷ ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ ବିଜୁ ପଟ୍ଟନାୟକଙ୍କର ମଧ୍ୟ ଏହା ଅତି ପ୍ରିୟ ସଙ୍ଗୀତ ଥିଲା । ତେଣୁ ପ୍ରତ୍ୟେକ ସଭାରେ ଅଭିଭାଷଣ ପ୍ରଦାନ ପରେ ସେ ’ବନ୍ଦେ ଉତ୍କଳ ଜନନୀ’ ସମ୍ବୋଧନ କରୁଥିଲେ।

ବର୍ତ୍ତମାନ ତାଙ୍କର ସୁପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି । ପ୍ରତ୍ୟେକ ସାଧାରଣ ସଭାରେ ବକ୍ତବ୍ୟ ଦେବା ପରେ ସେ ’ବନ୍ଦେ ଉତ୍କଳ ଜନନୀ’ ପଦଟିକୁ ଉଦ୍ଧାର କରୁଛନ୍ତି । ତେବେ ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 83 ବର୍ଷ ପରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ଆଇନଗତ ମାନ୍ୟତା ନ ମିଳିପାରିଲା ନାହିଁ । ସ୍ବାଧୀନତା ପୂର୍ବରୁ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଗଠିତ ହୋଇ ମଧ୍ୟ ଓଡ଼ିଶା ତା’ର ପ୍ରାଦେଶିକ ସଙ୍ଗୀତକୁ ଆଇନଗତ ମାନ୍ୟତା ପ୍ରଦାନ କରିପାରି ନଥିବାବେଳେ ସ୍ବାଧୀନତା ପରେ (ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାର ପ୍ରାୟ 20 ବର୍ଷ ପରେ) ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଆନ୍ଧ୍ରପ୍ରଦେଶ ନିଜର ଦୁଇଟି ରାଜ୍ୟ ସଂଗୀତକୁ ଆଇନଗତ ମାନ୍ୟତା ପ୍ରଦାନ ନିମନ୍ତେ ସମର୍ଥ ହୋଇଛି ।

ଏତଦ୍‌ଭିନ୍ନ ତେଲୁଗୁ ଭାଷାର ସ୍ବତନ୍ତ୍ର ପତାକା ସୃଷ୍ଟି କରି ତାକୁ ଆନ୍ଧ୍ର ସଚିବାଳୟରେ ଉତ୍ତୋଳିତ କରିଛି । କେବଳ ସେତିକି ନୁହେଁ, ନିକଟରେ ଆନ୍ଧ୍ରପ୍ରଦେଶରୁ ବିଭାଜିତ ହୋଇ ନୂତନ ଭାବେ ସୃଷ୍ଟ ତେଲେଙ୍ଗାନା ରାଜ୍ୟ ମଧ୍ୟ ଇତ୍ୟବସରରେ ନିଜର ସ୍ବତନ୍ତ୍ର ପତାକା ଓ ରାଜ୍ୟ ସଂଗୀତ କରିପାରିଛି । କିନ୍ତୁ ଆମ ପ୍ରଶାସନର ପ୍ରଚଣ୍ଡ ମମତ୍ବେବାଧର ଅଭାବ ଯୋଗୁଁ ଓଡ଼ିଶାର ଭାଷା ଭିତ୍ତିକ ପତାକା ସୃଷ୍ଟି ହୋଇପାରିନାହିଁ କିମ୍ବା ପ୍ରାଦେଶିକ ସଂଗୀତ ’ବନ୍ଦେ ଉତ୍କଳ ଜନନୀ’କୁ ଅଦ୍ୟାବଧି ଆଇନଗତ ମାନ୍ୟତା ଦିଆଯାଇ ପାରିନାହିଁ । ଆଜି ଏ ସଙ୍ଗୀତ ରଚନା ହେବାର ୧୧୨ ପରେ ଏହାର ଗୁରୁତ୍ବ ଉପଲବ୍ଧୀ କରି ସାରା ରାଜ୍ୟ ଗୋଟିଏ ସମୟରେ ଗାନ କରିଛି।

ସଙ୍କଟରୁ ଉଦ୍ଧାର ପାଇଁ ଲେଖି ଯାଇଥିବା ସେହି ଯୋଗଜନ୍ମାଙ୍କ କାଳଜୟୀ ସୃଷ୍ଠିକୁ ସମ୍ମାନ ଦେବାର ଏହାହିଁ ପ୍ରକୃଷ୍ଟ ସମୟ। ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଲେ ଏହାକୁ ଆଇନଗତ ଦିଗଦେଇ ରାଜ୍ୟ ସଙ୍ଗୀତ ଭାବରେ ଘୋଷଣା କରିପାରିବେ। କେତେକ ବୁଦ୍ଧିଜୀବୀ କହନ୍ତି, ଓଡ଼ିଶା ସରକାର ’ବନ୍ଦେ ଉତ୍କଳ ଜନନୀ’କୁ ଅବିଳମ୍ବେ ଆଇନଗତ ମାନ୍ୟତା ପ୍ରଦାନ କରି ନିଜ ମହନୀୟତା ଓ ଉତ୍କଳୀୟତାର ପ୍ରମାଣ ଦେବା ଦରକାର । କାରଣ ସରକାର ତାଙ୍କ କର୍ତ୍ତବ୍ୟରେ ଖିଲାପ କରିଥିଲେ ସୁଦ୍ଧା ଓଡ଼ିଶାବାସୀ କିନ୍ତୁ ଏହାକୁ ରାଜ୍ୟ ସଂଗୀତ ଭାବେ ସ୍ବତନ୍ତ୍ର ପ୍ରଦେଶ ଗଠନ ସମୟରୁ ହିଁ ଗ୍ରହଣ କରି ନେଇଛନ୍ତି ।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page