ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା।
ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଶେଷରେ ଆଜି ରାଜ୍ୟ କ୍ୟାବିନେଟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ନେଇ ମୋହର ଲଗେଇଛି। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ବାସୀଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସିର ଖବର। ସରକାର ପରେ ସରକାର ଯାଇଛନ୍ତି ହେଲେ କେହି କେବେ ଏକଥା ଚିନ୍ତା କରିନାହାନ୍ତି।
ଭାଷାଭିତ୍ତିକ ରାଜ୍ୟ ଭାବରେ ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିବା ଆମ ରାଜ୍ୟର ଏଯାଏ ଗୋଟିଏ ଆଇନତଃ ରାଜ୍ୟ ସଙ୍ଗୀତ ନଥିବା ଅନେକ ଭାଷାପ୍ରେମୀଙ୍କୁ ଆଘାତ ଦେଇ ଆସୁଥିଲା। ଆମର ୨୦ ବର୍ଷ ପଛରେ ଆନ୍ଦ୍ର ପ୍ରଦେଶ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲେବି ରାଜ୍ୟ ସଙ୍ଗୀତ ଥିବାବେଳେ ଆମର ନରହିବା ସମସ୍ତଙ୍କୁ କଷ୍ଟ ଦେଉଥିଲା।
ନିକଟରେ କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧିପାଇଁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କଳିବାକୁ ନିବେଦନ କରିଥିଲେ। ଏହାପରେ ରାଜ୍ୟ ସଙ୍ଗୀତ ପାଇଁ ଦାବି ଯୋର ଧରିଥିଲା। ଏପରିକି ବିରୋଧୀ ବନ୍ଦେ ଉତ୍କଳ ଜନନୀ ଗାଇବା ଆଳରେ ରାଜ୍ୟବାସୀଙ୍କୁ କରୋନା ମୁକାବିଲାରେ ବିଫଳତାକୁ ଲୁଚାଇବାକୁ ଚେଷ୍ଠା କରୁଛନ୍ତି ବୋଲି ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ।
ପ୍ରଶ୍ନ ଉଠୁଛି ଯଦି ମାତ୍ର ସପ୍ତାହକ ମଧ୍ୟରେ କ୍ୟାବିନେଟର ସ୍ବିକୃତି ମିଳିପାରିଲା ଆଉ ଆଇନଗତ ଦୃଷ୍ଟିରୁ କାନ୍ତକବିଙ୍କ ଅମର ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ସରକାରୀ ମାନ୍ୟତା ମିଳିପାରିଲା ତା’ହେଲେ ବର୍ଷ ବର୍ଷ ଧରି ଅଟକି ରହିଥିଲା କାହିଁକି ? ଇଚ୍ଛାଶକ୍ତୀର ଅଭାବ ନାଁ ଆଉକିଛି ପାଇଁ ଅଟକିଥିଲା ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି।
ଏକଥା ସତ ଏବର ସରକାର ଏ ସଫଳତାର ଶ୍ରୟ ପାଇବା ପାଇଁ ହକଦାର କିନ୍ତୁ ଏହା ମଧ୍ୟରେ ଶାସନର ଦୁଇ ଦଶନ୍ଧୀ ଚାଲିଗଲା ଅଥଚ ଏ ସଙ୍ଗୀତ ଉପରେ ସରକାରଙ୍କ ଦୃଷ୍ଟି ନପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ମଧ୍ୟ ଏକଥା କହିବାକୁ ପଛାଉ ନାହାନ୍ତି କି କରୋନା ଦୁର୍ନୀତିରୁ ନଜର ହଟାଇବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ମାଷ୍ଟର ଷ୍ଟ୍ରୋକ୍।
ସବୁ ପରେବି ମାନ୍ୟବର ନବୀନ ପଟ୍ଟନାୟକଙ୍କ ଏଭଳି ଐତିହାସିକ ନିଷ୍ପତ୍ତି ପାଇଁ ରାଜ୍ୟବାସୀଙ୍କ ତରଫରୁ ଅନେକ ଅନେକ କୃତଜ୍ଞତା ଜଣାଉଅଛୁ । ଯୁବାବସ୍ଥାରେ ତତ୍କାଳୀନ ସମୟର ଆହ୍ବାନରେ ଦେଶ ମାତୃକାକୁ ପରାଧିନତାର ଶୃଙ୍ଖଳରୁ ମୁକ୍ତି ଦେବାପାଇଁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କଲମରୁ ଝରି ପଡିଥିବା ସେହି ଅମର ସଙ୍ଗୀତ ଆଜି ବିଳମ୍ବରେ ହେଲେ ମଧ୍ୟ ପ୍ରାଦେଶିକ ମର୍ଯ୍ୟଦା ପାଇବା ନିଶ୍ଚିତ ଭାବରେ ଖୁସିର ଖଵର ।
ଅନୌପଚାରିକ ଭାବରେ ରାଜ୍ୟ ସଙ୍ଗୀତର ଆଇନଗତ ମାନ୍ୟତା ମିଳିବାରେ ବିଳମ୍ବକୁ ନେଇ କାନ୍ତକବିଙ୍କ ପ୍ରପୌତ୍ର ତଥା ଓଡିଶାର ଜଣେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ସହ ଅନେକବାର ଅତିତରେ ଆମର ଚର୍ଚ୍ଚା ହୋଇଛି। ସବୁଥର ଚର୍ଚ୍ଚାର ଶେଷରେ ତାଙ୍କର ସେହି ଗୋଟିଏ କଥା ଥାଏ “ସରକାର ଚାହିଁଲେ ସବୁ ସମ୍ଭବ” ବାସ୍ତବରେ ଆଜି ସତ୍ୟ ହୋଇଛି। ଭଦ୍ରକ ମାଟିର ଏହି ଯୋଗଜନ୍ମା ମଣିଷର ଆତ୍ମଜମାନେ ଏ ଖୁସିରେ ଆଜି ଆତ୍ମହରା ହୋଇ ପଡିଛନ୍ତି।
-ବିରଞ୍ଚି ନାରାୟଣ ଦାସ