ଭବ୍ୟ ଭାରତ ୩,ଦେବ ଙ୍କ ଭୂମି ଉତ୍ତରାଖଣ୍ଡ ।
![](https://www.sanketkhabar.com/wp-content/uploads/2020/07/FB_IMG_1595516533693.jpg)
ଧରିତ୍ରୀ ଉପରେ ପ୍ରକୃତିର ଅପୂର୍ବ ସୃଷ୍ଟି ହେଉଛି ଉତ୍ତରାଖଣ୍ଡ। ଭାରତର ଉତ୍ତରାଞ୍ଚଳରେ ଅବସ୍ଥିତ ଏହି ରାଜ୍ୟ ଉତ୍ତରପ୍ରଦେଶ ଠାରୁ ୨୦୦୦ ମସିହାରେ ଅଲାଗା ହେବା ପରେ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ପାଇଥିଲା। ଦେବଭୂମୀ ଭାବରେ ପରିଚିତ ଏହି ରାଜ୍ୟ ପର୍ଯ୍ୟଟନ ପାଇଁ ସମଗ୍ର ଦେଶରେ ବିଖ୍ୟାତ। ଏହି ରାଜ୍ୟର ଉତ୍ତରରେ ତିବ୍ବତ, ପୂର୍ବରେ ନେପାଳ, ଦକ୍ଷିଣରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମରେ ହିମାଚଳ ପ୍ରଦେଶ ଅବସ୍ଥିତ। ୧୩ଟି ଜିଲ୍ଲାକୁ ନେଇ ଗଠିତ ଏହି ପାହାଡିଆ ରାଜ୍ୟଟି ଗରଓ୍ବାଲ ଏବଂ କୁମାଓ ନାମରେ ଦୁଇଭାଗରେ ବିଭକ୍ତ ହୋଇଛି।
ହିନ୍ଦୁ ଦେବାଦେବୀଙ୍କ ରାଜ୍ୟ ଭାବରେ ପରିଚିତ ଉତ୍ତରାଖଣ୍ଡରୁ ଭାରତବର୍ଷର ଦୁଇ ପବିତ୍ର ନଦୀ ଗଙ୍ଗା ଓ ଯମୁନାର ସୃଷ୍ଟି। ନୈନତାଲ, ଚାମୋଲି , ଡେରାଡୁନ ଏବଂ ମସୌରୀ ପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସହର ପର୍ଯ୍ୟଟକଙ୍କୁ ବହୁମାତ୍ରାରେ ଆକର୍ଷିତ କରିଥାଏ। ହିନ୍ଦୁ ଧର୍ମର ଚାରୋଟି ମୂଖ୍ୟ ଦେବପୀଠ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଏହି ରାଜ୍ୟର ଶୋଭାକୁ ଦ୍ବିଗୁଣିତ କରିଛି। ଥଣ୍ଡା ଜଳବାୟୁ ସାଙ୍ଗକୁ ପାହାଡ ଜଙ୍ଗଲ ଓ ଝରଣାରେ ପରିପୂର୍ଣ୍ଣ ଏହି ପ୍ରକୃତିର ଅପୂର୍ବ ସମ୍ଭାରର ରାଜ୍ୟ ପର୍ଯ୍ୟଟନର ମୂଖ୍ୟ ଆୟୁଧ।
୫୩ ହଜାର ୪୮୩ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଗଠିତ ଏହି ରାଜ୍ୟର ମୋଟ ଜନସଂଖ୍ୟା ୧ କୋଟି ଟଙ୍କାର ୧୦ ଲକ୍ଷରୁ ଅଧିକ। ୨୦୧୧ ଜନଗଣନା ଅନୁସାରେ ଏହି ରାଜ୍ୟର ସ୍ବାକ୍ଷରତା ହାର ୭୮.୮୧ ପ୍ରତିଶତ ହୋଇଥିବା ବେଳେ ଭାରତୀୟ ପ୍ରଶାସନିକ ସେବା ତାଲିମ କେନ୍ଦ୍ର ମସୌରୀ ପାଇଁ ସାରା ଦେଶରେ ବିଖ୍ୟାତ। ହିନ୍ଦି ଏହି ରାଜ୍ୟର ପ୍ରମୂଖ ଭାଷା ହୋଇଥିବା ବେଳେ ସଂସ୍କୃତ ସହ ଏହାର ପ୍ରାଚୀନ ସମ୍ପର୍କ ରହି ଆସିଛି। ଉତ୍ତରାଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରୁ ବହୁ ଔଷଧୀୟ ଗୁଳ୍ମ, ଚେରମୂଳ ମିଳିଥାଏ। ହିନ୍ଦୁଧର୍ମର ପବିତ୍ର କାବ୍ୟ ମହାଭରତ ବ୍ୟାସଦେବ ଏହି ଦେବଭୂମୀରେ ରଚନା କରିଥିବାର ବିଶ୍ବାସ କରାଯାଏ।
ଅକ୍ଟୋବର ୧, ୧୯୯୪ ମସିହା ରାମପୁର ତିରହା ଗୁଳିକାଣ୍ଡ ତତ୍କାଳୀନ ଉତ୍ତରପ୍ରଦେଶ ସରକାରଙ୍କୁ ବାଧ୍ୟ କରିଥିଲା ନୂଆ ରାଜ୍ୟ ଉତ୍ତରାଖଣ୍ଡ ପାଇଁ ବିଧାନସଭାରେ ସ୍ବତନ୍ତ୍ର ବିଲ୍ ଆଣିବା ପାଇଁ। ୨୪ ସେପ୍ଟେମ୍ବର ୧୯୯୮ ମସିହାରେ ଏ ସଂଙ୍କ୍ରାନ୍ତରେ ବିଲ୍ ବିଧାନସଭାରେ ପାସ୍ ହେବା ସହ ୨୦୦୦ ମସିହାରେ ସଂସଦରେ ଗୃହୀତ ହୋଇ ୨୭ତମ ରାଜ୍ୟର ମାନ୍ୟତା ପାଇଥିଲା। ଋଷିକେଶ୍, ଲକ୍ଷ୍ମଣଝୁଲା, କେଦାରନାଥ, ହିମାଳୟର ସୌନ୍ଦର୍ଯ୍ୟ ଉତ୍ତରାଖଣ୍ଡ ପର୍ଯ୍ୟଟନର ମୂଖ୍ୟ ଆକର୍ଷଣ।
ବିରଞ୍ଚି ନାରାୟଣ ଦାସ