ଭବ୍ୟ ଭାରତ-୨ ,ସୁନ୍ଦର ହିଲ୍ ଷ୍ଟେସନର ରାଜ୍ୟ ମିଜୋରମ୍ ।

0

ଦେଶର ଉତ୍ତର-ପୂର୍ବ ଭାଗରେ ସାତ ଭଉଣୀ ନାମରେ ପରିଚିତ ସାତୋଟି ରାଜ୍ୟ ମଧ୍ୟରୁ ମିଜୋରମ୍ ହେଉଛି ଅନ୍ୟତମ। ପ୍ରକୃତିର କୋଳରେ ଉଚ୍ଚ ପାହାଡ,ଘଞ୍ଚ ଜଙ୍ଗଲ, ସୁନ୍ଦର ଝରଣା ବାଉଁଷ ତାଟି ଘରର ରାଜ୍ୟ ହେଉଛି ମିଜୋରମ। ଦେଶର ଦ୍ବିତୀୟ ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟରେ ପାଖାପାଖି ୧୦ ଲକ୍ଷ ଲୋକ ବାସକରନ୍ତି। ଏହି ରାଜ୍ୟର ମୂଳ ଅଧିବାସୀ ‘ମିଜୋ’ ଏବଂ ରାମ ଅର୍ଥ ଭୂମି ଅର୍ଥାତ ମିଜୋ ମାନଙ୍କ ଭୂମି ଭାବରେ ଏହି ରାଜ୍ୟ ପରିଚିତ।

ଏହି ସୀମାନ୍ତବର୍ତ୍ତୀ ରାଜ୍ୟ ତ୍ରୀପୁରା, ମଣିପୁର ଏବଂ ଆସାମ ସହ ପଡୋଶୀ ରାଷ୍ଟ୍ର ବାଂଲାଦେଶ ଏବଂ ମିଁୟାମାରକୁ ଲାଗିକରି ରହିଛି। ୧୯୭୨ ମସିହାରେ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଜନ୍ମ ନେଇଥିବା ମିଜୋରମ ୧୯୮୭ ମସିହାରେ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ପାଇଥିଲା। ୨୧ ହଜାର ୮୧ ବର୍ଗ କିଲୋମିଟର ପରିମିତ ପାହାଡିଆ ଅଞ୍ଚଳରେ ପରିବ୍ୟାପ୍ତ ଏହି ରାଜ୍ୟ ର ମୂଖ୍ୟ ଭାଷା ମିଜୋ ହୋଇଥିଲେବି ଇଂରାଜୀ, ହିନ୍ଦୀ ଭାଷାର ମଧ୍ୟ ବ୍ୟବହାର ହୋଇଥାଏ। ୯୫ ପ୍ରତିଶତରୁ ଉର୍ଦ୍ଧ ଅନୁସୂଚିତ ଜନଜାତି ବର୍ଗର ହୋଇଥିବା ବେଳେ ତନ୍ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟ ଧର୍ମାବଲମ୍ବୀ। କୃଷି ଏବଂ ପର୍ଯ୍ୟଟନ ଏହି ରାଜ୍ୟରେ ରୋଜଗାରର ମୂଖ୍ୟ ପନ୍ଥା।

ଆଶ୍ଚର୍ଯ୍ୟର ବିଷୟ ମିଜୋରମର ରାସ୍ତା କଡରେ ବିକ୍ରି ହେଉଥିବା ଦୋକାନ ମାନଙ୍କରେ କେହି ବିକ୍ରେତା ନଥାନ୍ତି। ଗ୍ରାମୀଣ ପନିପରିବା, ତଥା ଅନ୍ୟାନ୍ୟ ଜିନିଷର ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରିତ ବାକ୍ସରେ ରଖିଦେଇ ଜିନିଷ ନେବାର ଅଦ୍ଭୁତ ବିଶ୍ବାସ ଏଠାରେ ଏବେବି ଜାରି ରହିଛି। ଶିଳ୍ପ ସଭ୍ୟତା ଠାରୁ ଵହୁ ଦୁରରେ ଥିବା ଏହି ଜନଜାତିଙ୍କ ଜୀବନଶୈଳୀ ବେଶ୍ ରୋମାଞ୍ଚକର। ଏମାନଙ୍କର ଖାଦ୍ୟ ଅଭ୍ୟାସ ଉତ୍ତର ଭାରତୀୟ ସହ ଚୀନା ମାନଙ୍କ ଦ୍ବାରା ପ୍ରଭାବିତ। ଅବସର ବିନୋଦନ ପାଇଁ ମିଜୋରମ ସବୁଠାରୁ ଉତ୍କୃଷ୍ଟ ସ୍ଥାନ।

ସୁନ୍ଦର ହିଲ୍ ଷ୍ଟେସନର ରାଜ୍ୟ ଭାବରେ ପରିଚିତ ମିଜୋରମରେ ପର୍ଯ୍ୟଟକମାନେ ବାଇକ୍ ରାଇଡିଂ, ଦୁଃସାହସିକ ଟ୍ରାକିଂର ମଜା ଉଠାଇଥାନ୍ତି। ବ୍ରିଟିଶ୍ ଶାସନ ପୂର୍ବରୁ ଏହି ରାଜ୍ୟରେ ଛୋଟ ଛୋଟ ମିଜୋ ଜାତିର ଲୋକ ଜଣେ ଜଣେ ମୁଖିଆଙ୍କ ଦ୍ବାରା ଶାସିତ ହେଉଥିଲେ। ଏହି ରାଜ୍ୟରେ ୭୬ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପାହାଡ ଦ୍ବାରା ଆବଦ୍ଧ। ମିଜୋରମର ରାଜଧାନୀ ଆଇଜ୍ବାଲ ସମେତ ଏହି ରାଜ୍ୟ ଆଠଟି ଜିଲ୍ଲାକୁ ନେଇ ଗଠିତ। କୃଷି ଉପରେ ନିର୍ଭର କରୁଥିବା ଏହି ରାଜ୍ୟର ଜିଡିପି ମଧ୍ୟ ଖୁବ୍ ସନ୍ତୋଷଜନକ। କଳା ସାହିତ୍ୟ ସଂସ୍କୃତିରେ ଭରପୁର ଏହି ରାଜ୍ୟରେ Cheese, Khullam, Chheihlam, Chai ପରି ଅନେକ ପ୍ରାଚୀନ ନୃତ୍ୟ ଦେଖିବାକୁ ମିଳିଥାଏ।

ରେଳ ଓ ସଡକ ପଥରେ ଏବେବି ଏହି ରାଜ୍ୟ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅନେକ ପଛୁଆ ସତ ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ଜନଜାତି ମାନଙ୍କର ସରଳ ଜୀବନଶୈଳୀ ସମସ୍ତଙ୍କ ଠାରୁ ଏମାନଙ୍କୁ ନିଆରା କରି ତୋଳିଛି। Aizawl, Lunglei, Mamit, Kolasib, Reiek , Vantawng, Waterfall, Falkawan Village , Tamdil Lake , Murleng National Park , Dampa Tiger, Reserve, Phawngpui Peak ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ଯାହା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇ ପାରିଛି।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page