ଆର ପାରିରେ ବିଜୟ ମହାନ୍ତି,ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।
![](https://www.sanketkhabar.com/wp-content/uploads/2020/07/Screenshot_2020-07-20-22-09-17-060_com.facebook.katana-1024x860.jpg)
ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ସମସ୍ତଙ୍କୁ ଛାଡି ୭୦ ବର୍ଷ ବୟସରେ ଆର ପାରିକୁ ଚାଲି ଯାଇଛନ୍ତି ଏହି କିମ୍ବଦନ୍ତୀ କଳାକାର। ଓଡିଆ ଚଳଚ୍ଚିତ୍ରରେ ଚାରି ଦଶନ୍ଧୀ ଧରି ଯେଉଁ ନାମଟି ସବୁଠାରୁ ଅଧିକ ପରିଚିତ ଥିଲା ସେ ଆଜିଠାରୁ ସବୁଦିନ ପାଇଁ ନୀରବି ଯାଇଛନ୍ତି। ୧୯୫୦ ମସିହାରେ କେନ୍ଦ୍ରାପଡାର ପାଣ୍ଡିରି ଠାରେ ଜନ୍ମ ହୋଇଥିବା ବିଜୟ ମହାନ୍ତିଙ୍କ ଶୈଶବ ଓ ଯୌବନ ମୟୁରଭଞ୍ଜ ଓ ବାରିପଦାରେ କଟିଥିଲା।ସ୍ନାତକ ଶିକ୍ଷା ସମାପ୍ତ ପରେ ଦିଲ୍ଲୀସ୍ଥିତ National School of Drama ରୁ ସଫଳତାର ସହ ଅଭିନୟରେ ତାଲିମ ନେଇ ଆରମ୍ଭ କରିଥିଲେ ତାଙ୍କ ଅଭିନୟ ଜୀବନ ଯାତ୍ରା।ହିନ୍ଦୀ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ନାଶିରୁଦ୍ଦିନ ଶାହା, ରାଜ୍ ବବର୍ ଏବଂ ଓମ୍ ପୁରୀଙ୍କ ସହପାଠୀ ଥିବା ବିଜୟ ମହାନ୍ତି ତାଙ୍କ ଜୀବନରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୭ ମସିହାରୁ ଓଡିଆ ଚଳଚ୍ଚିତ୍ର ଚିଲିକା ତୀରେରୁ ଅଭିନୟ ଜୀବନ ଆରମ୍ଭ କରିଥିବା ବିଜୟ ମହାନ୍ତି ପରବର୍ତ୍ତୀ ସମୟରେ ନାଗ ଫାଶ, ସମୟ ବଡ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି ପରି ସ୍ମରଣୀୟ ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ଦେଖାଇଛନ୍ତି।ଏହା ବ୍ୟତୀତ ଆରତୀ, ମମତା ମାଗେ ମୁଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଆଇ ଲଭ୍ ମାଇ ଇଣ୍ଡିଆ ମଧ୍ୟ ତାଙ୍କ ଅନନ୍ୟ କୃତିର ପ୍ରମାଣ। ଉତ୍କଳ ସଂଗୀତ ମହାବିଦ୍ୟାଳୟର ନାଟକ ବିଭାଗରୁ ପ୍ରଫେସର ଭାବରେ ଅବସର ନେଇଥିବା ବିଜୟ ମହାନ୍ତି ଦୂରଦର୍ଶନର ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି।ଅଭିନୟ ସାଙ୍ଗକୁ ରାଜନୀତିରେ ରୁଚି ରଖିଥିବା ବିଜୟ ମହାନ୍ତି ୨୦୧୪ ମସିହାରେ ଜାତୀୟ କଂଗ୍ରେସ ତରଫରୁ ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ। ପ୍ରଖ୍ୟାତ ଓଡ଼ିଆ ଅଭିନେତ୍ରୀ ଶ୍ରୀମତୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିବା ବିଜୟ ମହାନ୍ତିଙ୍କ ଏକମାତ୍ର କନ୍ୟା ଅଛନ୍ତି। ୨୦୧୪ ମସିହାରେ ଜୟଦେବ ସମ୍ମାନ, ୬ଥର ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୯୮୭ ମସିହାରେ ଓଡିଶା ସିନେ କ୍ରିଟିକ୍ ଆଓ୍ବାର୍ଡ ପରି ଅନେକ ପୁରସ୍କାରର ଅଧିକାରୀ ଥିଲେ ବିଜୟ ମହାନ୍ତି।ସ୍ବର୍ଗତ ମହାନ୍ତିଙ୍କ ମୃତ୍ୟୁରେ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଖୁବ୍ ଜୀବନ୍ତ ଅଭିନୟ କରୁଥିବା ବିଜୟ ମହାନ୍ତି କିଛି ମାସଧରି ଗୁରୁତ୍ବର ଅସୁସ୍ଥ ଥିବା ବେଳେ ହାଇଦ୍ରାବାଦ ପରେ ଭୁବନେଶ୍ୱରର କେୟାର ହସ୍ପିଟାଲରରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ରାଜ୍ୟର ଲକ୍ଷ ଲକ୍ଷ ଶୁଭେଚ୍ଛୁ ଗଭୀର ଆଘାତ ପାଇବା ସହ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।-ବିରଞ୍ଚି ନାରାୟଣ ଦାସ