କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ ଲୋକାର୍ପିତ

0

ଭୁବନେଶ୍ୱର(ସଂକେତ ଖବର) : ପୁରୀ ଜିଲ୍ଲାର କଣାସ ଅଞ୍ଚଳର ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଇଲେକ୍‍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନ ପରିସରରେ ଆୟୋଜିତ ଏକ ସାରସ୍ୱତ ସମାବେଶରେ ଶ୍ରୀ ପାଢ଼ୀଙ୍କର ଏହି ପ୍ରଥମ ସୃଜନଶୀଳ କୃତି ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ୬୮ବର୍ଷ ବୟସ୍କ ଲେଖକ ଶ୍ରୀ ପାଢ଼ୀ ତାଙ୍କର ଏହି ଅନନ୍ୟ ଓ ଅନବଦ୍ୟ ସୃଷ୍ଟିରେ ବିସ୍ମୃତି ଗର୍ଭରେ ଲୀନ ହେବାକୁ ଯାଉଥିବା ପୌରାଣିକ କିମ୍ବଦନ୍ତୀ ଏବଂ ନୈତିକ ତଥା ମାନବିକ ଗୁଣବତ୍ତା ଆଧାରିତ ୪୫ଟି କାଳଜୟୀ ଲୋକକଥାର ପୁର୍ନଲିଖନକୁ ସାମିଲ କରିଛନ୍ତି । ବିଗତ ଚାରି ଦଶନ୍ଧି ଧରି ଓଡ଼ିଆ ଲୋକକଥା ସାହିତ୍ୟ ଉପରେ ନିରଳସ ଭାବେ ସାଧନାରତ ଥିବା ହାଡ଼ିବନ୍ଧୁ ପାଢ଼ୀ, ଯେଉଁ ସାହିତ୍ୟ ମାନବକୁ କ୍ଷମା ଦେବାକୁ ଶିଖାଏ, ସଂସ୍କାରର ମାର୍ଗ ଦର୍ଶାଏ, ଭଲ ପାଇବା ପାଇଁ ବତାଏ, ନ୍ୟାୟ, ସତ୍ୟ ଓ ଧର୍ମର ମାର୍ଗ ଦେଖାଏ ସେହି ସାହିତ୍ୟ ହିଁ ବାସ୍ତବରେ କାଳଜୟୀ ବୋଲି ଏହି ଅବସରରେ ଦର୍ଶାଇଛନ୍ତି ।

ପୁସ୍ତକଟିର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀ ବେହେରା, ଶ୍ରୀ ପାଢ଼ୀ ତାଙ୍କ ବହିରେ ଯେଉଁ ବିରଳ ଲୋକପ୍ରିୟ ଲୋକକଥାଗୁଡ଼ିକୁ ସନ୍ନିବେଶିତ କରିଛନ୍ତି ତାହା ଆମର ଯୁବ ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ନିଶ୍ଚିତ ଭାବେ ଅଦମ୍ୟ ଆଦର୍ଶ ଓ ଅଫୁରନ୍ତ ପ୍ରେରଣାର ଉତ୍ସ ସ୍ଥାପିତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ତେବେ ଏହି ପୁସ୍ତକଟିକୁ ବିଶ୍ୱଭରି ପାଠକମାନଙ୍କ ନିକଟରେ ପହୁଁଚାଇବା ପାଇଁ ଏହାର ଡିଜିଟାଲ ସଂସ୍କରଣ ପ୍ରକାଶ କରାଯିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ ।

ସାହିତ୍ୟିକ ସନ୍ତୋଷ କୁମାର ସାହୁଙ୍କର ସମ୍ପାଦନାରେ ମୁଦ୍ରିତ ଏହି ପୁସ୍ତକଟିକୁ ଭୁବନେଶ୍ୱରର ଝାରପଡ଼ାସ୍ଥିତ ଓସେନିକ ପ୍ରକାଶନ ସଂସ୍ଥା ପ୍ରକାଶ କରିଛନ୍ତି । ଲୋକାର୍ପଣ ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରସିଦ୍ଧ ଐତିହାସିକ ଅନୀଲ ଧୀର, ଯୁବ ନେତା ଅରବିନ୍ଦ କାନୁନ୍‍ଗୋ, ମାନସ ତ୍ରିପାଠୀ, ସାମ୍ବାଦିକ ସନ୍ତୋଷ ସାହୁ ଓ ଶ୍ରୀକାନ୍ତ ପାଟ୍ଟଯୋଶୀ, ଆଇ.ଟି ବିଶେଷଜ୍ଞ ଏବଂ ଲେଖକଙ୍କ ପୁତ୍ର ବିଶ୍ୱରଞ୍ଜନ ପାଢ଼ୀ, ସମାଜସେବୀ ସୁବର୍ଣ୍ଣ କେଶରୀ ବଳିଆରସିଂହ ଓ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page