ବରୀ;ଘାଇ ମରାମତି ହୋଇଥିବା ସ୍ଥାନରେ ୨ଟି ଘଳିଆ

ବରୀ(ସଂକେତ ଖବର) ବରୀ ବ୍ଲକ ଅଙ୍ଗାଳୋ ପଞ୍ଚାୟତ ବୋଇତାଳୁପାଟଣା ନିକଟ ଖରସ୍ରୋତାର ଶାଖା ନଦୀ କାଣୀ ନଦୀ ବନ୍ଧରେ ଗତକାଲି ରାତିରେ ୨ଟି ଘଳିଆ ସୃଷ୍ଟି ହୋଇଛି। ସେହି ସ୍ଥାନରେ ଗତବର୍ଷ ଶହେ ଫୁଟର ଏକ ଘାଇ ସୃଷ୍ଟି ହୋଇଥିଲା। ଘାଇ ମରାମତି କାମ ସରିଥିବା ବେଳେ ସେହି ସ୍ଥାନରେ ଘଳିଆ ସୃଷ୍ଟି ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଘାଇ ମରାମତି କାର୍ଯ୍ୟ ନିମ୍ନ ମାନର ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଘଳିଆକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଙ୍ଗାଳୋ ପଞ୍ଚାୟତର ସରପଞ୍ଚ ହର୍ଶବର୍ଦ୍ଧନ ସାମଲଙ୍କ ନେତୃତ୍ଵରେ ପ୍ରଥମେ ସ୍ଥାନୀୟ ଲୋକ ଘଳିଆକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ଆଳି ଜଳସଂପଦ ବିଭାଗ ଅଧିନସ୍ଥ ମଧୁସୁଦନପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ଚିତ୍ତରଂଜନ ପଣ୍ଡା ପହଞ୍ଚି ଘଳିଆ ମରାମତି କରିଥିବା ବେଳେ ଗୋଟିଏ ଘଳିଆ ଆୟତକୁ ଆସିଥିବା ବେଳେ ଅନ୍ୟଟି ସଂଧ୍ୟା ପର୍ଯ୍ୟନ୍ତ ଆୟତକୁ ଆସିନାହିଁ। ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ଘଳିଆ ହୋଇଥିବା ସ୍ଥାନରେ ୫ ଶହ ବାଲିବସ୍ତା ପକାଯାଇଥିବା ବେଳେ ତାଙ୍କ ପାଖରେ ଅଧିକ ବାଲିବସ୍ତା ମହଜୁଦ ଅଛି ବୋଲି କହିବା ସହ ଘଳିଆ ନିୟନ୍ତ୍ରଣକୁ ଆସିଥିବା ସେ କହିଛନ୍ତି।