ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨ୟ କଳିଙ୍ଗନଗର ମହୋତ୍ସବ ଉଦଘାଟିତ ।

0

ଯାଜପୁର (ସଂକେତ ଖବର ବ୍ୟୁରୋ)

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ କଳିଙ୍ଗନଗର ଗସ୍ତ କରି 2ୟ କଳିଙ୍ଗନଗର ମହୋତ୍ସବର ଉଦଘାଟନ କରିଥିଲେ । ଯଖପୁରା ଠାରେ ବିଜୁ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ସେଠାରୁ ସିଧା ଖରଡିରେ ଅନୁଷ୍ଠିତ କଳିଙ୍ଗନଗର ମହୋତ୍ସବକୁ ଯାଇ ଉଦଘାଟନ କରିଥିଲେ । ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇଙ୍କ ନେତୃ୍ତ୍ବରେ ଆୟୋଜିତ ଏହି ମହୋତ୍ସବ ଉଦଘାଟନୀରେ ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଶିଳ୍ପ ସହିତ କୃଷି ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବ ଆରୋପ କରିଛନ୍ତି  । ଚାଷ ଓ ଚାଷୀଙ୍କ ହିତସାଧନ ପାଇଁ କାଳିଆ ଯୋଜନାର ଶୁଭାରମ୍ଭ କରିଥିବା ସେ କହିଥିଲେ । ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ କଳିଙ୍ଗନଗର ଆସିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । 1992 ମସିହାରେ ପ୍ରବାଦ ପୁରୁଷ ବିଜୁବାବୁ ଏ ଅଞ୍ଚଳରେ ଏକ 2ୟ ଇସ୍ପାତ ପ୍ରକଳ୍ପର ଶିଳାନ୍ୟାସ କରି ଏହାକୁ କଳିଙ୍ଗନଗର ନାମରେ ନାମିତ କରିଥିଲେ  । ସେହି ଦିନ ଠାରୁ ହିଁ ଏହା ଏକ କ୍ରମବର୍ଦ୍ଧିଷ୍ଣ ଇସ୍ପାତ ନଗରୀରେ ପରିଣତ ହୋଇଛି  । ତେବେ ଦୀର୍ଘ ଦିନର ଲମ୍ବା ବ୍ୟବଧାନ ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗନଗର ଗସ୍ତ କରି 2ୟ କଳିଙ୍ଗନଗର ମହୋତ୍ସବର ଶୁଭ ଉଦଘାଟନ କରିଥିଲେ । ଏଥିସହ ଏକଦା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦ୍ବାରା ଯେଉଁ ଯଖପୁରା ଠାରେ କଦମ୍ବ ଗଛ ରୋପଣ କରାଯାଇଥିଲା ଠିକ୍ ସେହି ସ୍ଥାନରେ ଆଜି ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିତାଙ୍କ ନାମରେ ନାମିତ ବିଜୁପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଗଲେ  । ସେଥିପାଇଁ ନେତାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହିତ ଥିବା ପରି ମନେହୋଇଥିଲା । ସମାବେଶରେ 30 ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା  । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବନ୍ଦବୋସ୍ତ କରାଯାଇଥିଲା  । ସେପଟେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ ମଧ୍ୟ କରାଯାଇଥିଲା  । ପୋଲିସ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ୍ କରି ପରେ ଛାଡିଦେଇଥିଲା  ।

 

Leave a Reply

Your email address will not be published. Required fields are marked *

You cannot copy content of this page