ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ଅଞ୍ଚଳରେ ସବୁଜ ପାହାଡ଼ ଓ ଘଞ୍ଚ ବନାନୀ ଘେରା ସବୁଜିମାରେ ଭରପୁର ଭିତରେ ପ୍ରାଚୀନ ଗୁମ୍ଫା ଥିବା ଭଳି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ବିରାଜମାନ କରୁଥିବା ବେଳେ ତାହା କିନ୍ତୁ ଅଦୂରଦର୍ଶିତାର ଆଢୁଆଳରେ ରହି ଏଯାଏଁ ଲୋକଲୋଚନକୁ ନ ଆସି ପାରିବା ସତରେ କଣ ଦୁର୍ଭାଗ୍ଯଜନକ ନୁହଁ କି ? ୧୬ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ କିମ୍ବା ବନ୍ଦାଳ ଛକଠାରୁ ପଶ୍ଚିମ ଦିଗକୁ ଆର୍ ଏଣ୍ଡ୍ ବି ରାସ୍ତାରେ ପ୍ରାୟ ୧୨ କିଲୋମିଟର ଯାଇ ବୈଦେହୀପୁର ଚାରି ଛକରେ ପହଞ୍ଚି ସେଠାରୁ ଦକ୍ଷିଣ ଦିଗରେ ବରୁଣିଆ ଆଡକୁ ଯାଇଥିବା ପିଏମଜିଏସୱାଇ ରାସ୍ତାରେ ମାତ୍ର ପାଞ୍ଚ ଶହ ମିଟର ଯିବା ପରେ ସେଠାରୁ ପୂର୍ବ ମୁହାଁ ହୋଇ ପାହାଡ଼ ପାଦଦେଶକୁ ଜଙ୍ଗଲ ମଧ୍ୟରେ ଯାଇଥିବା ମୋରମ୍ ରାସ୍ତାରେ ମାତ୍ର ସେହି ପାଞ୍ଚ ଶହ ମିଟର ଗଲେ ଏଠାରେ ଆରାମରେ ପହଞ୍ଚି ଯାଇହୁଏ ! ମନରେ ଅଧିକ ଦ୍ୱନ୍ଦ ନ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସ୍ଥାୟୀ କ୍ୟାମ୍ପସ୍ ଯେଉଁଠାରେ ସ୍ଥାପନ ହେବାକୁ ଯାଉଛି କୌଣସି ମତେ ସେହି ସ୍ଥାନରେ ପହଞ୍ଚିଗଲେ ସେଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ହିଁ ଏହି ସ୍ଥାନଟି ଅବସ୍ଥିତ !

ପୂର୍ବେ ବିଳମ୍ବିତ ରାତିରେ ବାଦ୍ୟଯନ୍ତ୍ରର ରୁଣୁଝୁଣୁ ଶବ୍ଦ କୁଆଡ଼େ ଏହି ଗୁମ୍ଫାରୁ ଶୁଣିବାକୁ ମିଳୁଥିବାରୁ ଏହି ସ୍ଥାନଟି ସ୍ଥାନୀୟ ଅଞ୍ଚଳରେ ବାଜେଣୀ ଗୁମ୍ଫା ନାମରେ ପରିଚିତ ଥିବା ବେଳେ ଏଇ କିଛି ବର୍ଷ ହେଲା ସେଠାରେ ଜଣେ ବାବା ଅବସ୍ଥାନ କରି ତାହାକୁ ବାଲ୍ମିକୀ ଗୁମ୍ଫା ବୋଲି ନୂତନ ଭାବେ ନାମିତ କରାଇ ଦେଇଛନ୍ତି ! ବହୁ କାଳରୁ କୌଣସି ସମୟରେ ବର୍ଷା ବିଳମ୍ବିତ ହେଲେ ସ୍ଥାନୀୟ ଅଞ୍ଚଳର ଲୋକେ ସେଠାରେ ଯାଇ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନ କରିବାର କେଇଦିନ ଭିତରେ ବର୍ଷା ହେଲେ ତାହା ସେ ଗୁମ୍ଫାରେ ସେହି ପୂଜାର ହିଁ ପ୍ରଭାବ ବୋଲି ଲୋକେ ଦୃଢ଼ତାର ସହ କହନ୍ତି ! ମୁଖ୍ୟ ଗୁମ୍ଫା ସହିତ ତା’ ତଳକୁ ଓ ଉପରକୁ ମଧ୍ଯ ଆଉ ଦୁଇଟି ଗୁମ୍ଫା ସେଠାରେ ରହିଛି ! ସେଠାକୁ ଗମନାଗମନ ପାଇଁ ଆଦୌ ରାସ୍ତା ନ ଥିଲା, କଣ୍ଟାଝଟା ଭିତରେ ବଡ଼ କଷ୍ଟରେ ସେଠାକୁ ଯାଉଥିଲେ ! ମାତ୍ର ଚାରି ଚକିଆ ଗାଡ଼ିରେ ଯାଇ ସେଠାରେ ପହଞ୍ଚିବାରେ ଏବେ ଆଉ କୌଣସି ଅସୁବିଧା ହେଉ ନାହିଁ ! କାରଣ କିଛି ବର୍ଷ ହେଲା ଜଣେ ବାବା ଆସି ସେଠାରେ ଅବସ୍ଥାନ କରି ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହଯୋଗରେ ସେ ପରିବେଶଟିକୁ ଅତ୍ୟନ୍ତ ମନୋରମ କରି ଦେଇଛନ୍ତି ! ଇତିମଧ୍ୟରେ ବୈଦେହୀପୁର-ବରୁଣିଆ ମୁଖ୍ୟ ରାସ୍ତାରୁ ସେଠାକୁ ଯିବା ପାଇଁ ଜଙ୍ଗଲ କାଟି ମୋରମ୍ ରାସ୍ତାଟିଏ ନିର୍ମାଣ ସାଙ୍ଗକୁ ଗୁମ୍ଫାର ପାଦଦେଶରେ ଏକ ପ୍ରଶସ୍ତ ସମତଳ ଅଞ୍ଚଳ ସୃଷ୍ଟି କରାଯିବା ସହିତ ସେଠାରେ ଏକ ନଳକୂପ ଖନନ ଓ କିଛି ପକ୍କା ଛାତ ଘର ମଧ୍ଯ ନିର୍ମାଣ ହୋଇ ସାରିଲାଣି ! କେହି ବି ଚାହିଁଲେ ଯେକୌଣସି ଋତୁରେ ସେଠାକୁ ଯାଇ କିଛି ଘଣ୍ଟା ସମୟ ବିତାଇବାରେ ଏବେ ଆଉ କୌଣସି ସମସ୍ୟା ନାହିଁ ! ରାଜ୍ୟର ଅନ୍ୟ କୌଣସି ବଣଭୋଜି ପର୍ଯ୍ୟଟନ ସ୍ଥଳୀଠାରୁ ବି ଏହି ସ୍ଥାନଟି ଆହୁରି ଯେ ଅଧିକ ପ୍ରକୃଷ୍ଟ ବୋଲି ଏଠାକୁ ଆସି ଫେରିବା ପରେ ଯେ କେହି ନିଶ୍ଚୟ ସ୍ୱୀକାର କରିବେ !

ଚତୁଃପାର୍ଶ୍ଵରେ ପ୍ରାକୃତିକ ସବୁଜିମାମୟ ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ପରିବେଶଟି ସତରେ ଏତେ ମନୋରମ ଲାଗେ ଯେ ଆପଣ ସେଠାରେ ପହଞ୍ଚିବା ପରେ ଏ ଭିଡ଼ ଓ ଚାପ ଯୁକ୍ତ ଜୀବନରୁ ନିଜକୁ ମୁକ୍ତ କରି କିଛି କ୍ଷଣ ପାଇଁ ନିଶ୍ଚୟ ଅସୀମ ଆନନ୍ଦପ୍ରାପ୍ତ କରିବେ !
ଏମିତି ଏକ ସୁନ୍ଦର ସ୍ଥାନଟିର ବିକାଶ ପାଇଁ ସରକାରୀ ସ୍ତରରୁ ଏଯାଏଁ ଟଙ୍କାଟିଏ ଏଠାରେ ବିନିଯୋଗ ହୋଇ ପାରିନାହିଁ ! ଏହା ଯେହେତୁ କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡା ବନାଞ୍ଚଳ ଅଧୀନରେ ନଳୀଦା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ବନ ବିଭାଗର ବିନା ଅନୁମତିରେ କୌଣସି ବିଭାଗ ଏଠାରେ ଅର୍ଥ ବ୍ୟୟ କରି ପାରୁ ନାହାନ୍ତି ! ମାତ୍ର କେବଳ ସେହି ଆଇନକୁ ଜଗି ରହି ବା ସେହି ଆଳରେ ଏଭଳି ଏକ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପ୍ରତି ଅହେତୁକ ଅବହେଳା କରା ନ ଯାଉ ! ବରଂ ଜଙ୍ଗଲ ବିଭାଗ ଏହାକୁ ଏକ ବନ ପର୍ଯ୍ୟଟନ କ୍ଷେତ୍ର ଭାବରେ ହାତକୁ ନେଇ ଏହାର ବିକାଶ କରାଇ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ! ଏହାପରେ କେହି ଯଦି ଏଠାକୁ ବଣଭୋଜି କରିବା ପାଇଁ ଆସିବେ ସେମାନଙ୍କୁ ଅନୁମତି ଦେବା ପାଇଁ ସେଠାକାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଉଠାଇବାକୁ ସେମାନଙ୍କଠାରୁ ସ୍ଵଳ୍ପ ଦେୟ ଅସୁଲ କରାଗଲେ ତାହାକୁ ସମସ୍ତେ ସ୍ୱୀକାର କରିବେ ! କିନ୍ତୁ ଯାହା ବି ହେଉ ଏବଂ କେମିତି ବି ହେଉ ଏହି ସ୍ଥାନଟିକୁ ଯଥୋଚିତ ନ୍ୟାୟ ଦେବାକୁ ସବୁସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି !

-ଉଦୟନାଥ ସାହୁ

Leave a Reply

Your email address will not be published. Required fields are marked *

You cannot copy content of this page