ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-18-at-10.25.06-PM-2.jpeg)
ଭୂବନେଶ୍ୱର (ସଙ୍କେତ ଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର (PSA Plant) ଭିତ୍ତିପ୍ରସ୍ତର ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି। ଏହି ୮ଟି ଜିଲ୍ଲା ହେଉଛି ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ ।
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-18-at-10.25.06-PM-1-1024x426.jpeg)
ସୂଚନାଯୋଗ୍ୟ ଯେ ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁନ୍ ୯ ତାରିଖରେ ୭ଟି ଓ ଆଜି ୮ଟି (PSA Plant)ର ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ୨୦ଟି (PSA Plant) ଦ୍ୱାରା ମିନିଟ୍ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍ସିଜେନ ଉତ୍ପାଦିତ ହୋଇପାରିବ। ତେଣୁ ଆମର ସବୁ ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି । ତଥାପି ଆମକୁ ଆହୁରି ସାବଧାନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଥିଲେ । ତୃତୀୟ ଲହର ପାଇଁ କେତେକ ରାଜ୍ୟରେ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି ବୋଲି ପ୍ରକାଶ କରି ଆମ ରାଜ୍ୟରେ ଏଥିପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହିତ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚିତ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-18-at-10.25.06-PM-3.jpeg)
କୋଭିଡ କ୍ଷେତ୍ରରେ ମଧ୍ୟ ଏହି ଆଧାରରେ ସବୁ କୋଭିଡ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଓ ଔଷଧ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଗଧାଡିରେ ରହି କାମ କରୁଥିବା ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀଙ୍କୁ ସେମାନଙ୍କର ସେବା ଓ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ପରିଶେଷରେ ସମସ୍ତଙ୍କ ସହଯୋଗରେ ଓଡିଶା ସହିତ ସାରା ମାନବ ଜାତି କୋଭିଡ ଲଢେଇରେ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ୱାସ ପ୍ରକଟ କରିଥିଲେ ।
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-18-at-10.25.06-PM.jpeg)
ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଶ୍ରୀ ନବ ଦାସ, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଶ୍ରୀ ସମୀର ଦାଶ, ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ରାଜ୍ୟସଭା ସାଂସଦ ଏବଂ ବିଧାୟକ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୋଭିଡ ଲଢେଇରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଉଚ୍ଚପ୍ରଶଂସା କରିଥିଲେ ।
ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାକାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ତେବେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।