ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୂବନେଶ୍ୱର (ସଙ୍କେତ ଖବର): ବାତ୍ୟା “ୟାସ୍ ” ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା। ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍ନା କରୁଛ କୋଭିଡ ଓ ବାତ୍ୟା ୟାସ୍ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି। କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି। ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତର ରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି। ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ, ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା “ୟାସ୍ ” ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି। ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ।
ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page