ବାତ୍ୟା “ୟାସ୍”କୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୂବନେଶ୍ୱର (ସଙ୍କେତ ଖବର) : ବାତ୍ୟା ୟାସ୍ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଜୀପ ଜେନା। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ୟାସ୍ ବର୍ତ୍ତମାନ ପାରୀଦୀପ ଠାରୁ ୨୦୦ କିମି ଦୂରରେ ରହିଛି ।
ବାତ୍ୟା ଧାମରାର ଉତ୍ତରରେ ବାହାନଗା ଓ ବାସୁଦେବପୁର ଦେଇ ଯିବାକୁ ଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳ ମୟୂରଭଞ୍ଜ ଓ କେଉଁଝର ଦେଇ ଓଡ଼ିଶାରୁ ଝାରଖଣ୍ଡକୁ ଚାଲିଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ସାମୁଦ୍ରିକ ବାତ୍ୟା ୟାସ୍ ବାଲେଶ୍ୱର ବାହାନଗା ଓ ଭଦ୍ରକ ଜିଲ୍ଲାର ବାସୁଦେବପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯ଼ାଉଛି । ଆସନ୍ତାକାଲି ଭୋରରୁ ସକାଳ ୮ଟାରୁ ୯ଟା ମଧ୍ୟରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି ।
ଏହି ବାତ୍ୟା ଏବେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଓଡ଼ିଶା ଆଗକୁ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନ ଆରମ୍ଭ ହୋଇଯ଼ାଇଛି । ଆସନ୍ତା କାଲି ବାତ୍ୟା ଲାଣ୍ଡଫଲ ବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ଘଣ୍ଟା ପ୍ରତି ୧୫୦ ରୁ ୧୬୫ କିଲୋମିଟର ରହିବ ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଝଟକା ଦେବ । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସ୍ଥାନାନ୍ତରଣ କାର୍ଯ୍ୟକୁ ତ୍ୱରାନିତ କରାଯ଼ାଇଛି । ଏପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇ ସାରିଛି ।