ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ କଣ କହିଲେ ମୁଖ୍ୟମନ୍ତ୍ରୀ ?

0

ଭୂବନେଶ୍ୱର (ସଙ୍କେତ ଖବର) : ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ୱାନ ମୂଳକ ଥିଲା । ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିଦିନ ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍‌ନା କରିଆସୁଛୁ । ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ୱୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି ।
୨୦୨୦ ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି । ସାରା ବିଶ୍ୱର ବିଭିନ୍ନ ଦେଶ ଏହି ମହାମାରୀର ବିଭିନ୍ନ ଲହର ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତଥାପି, ସ୍ୱାଭାବିକ ଅବସ୍ଥାକୁ ଫେରିବା ଆଜି ଏକ ଆହ୍ୱାନ । ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ୱାରା ପ୍ରଭାବିତ ହୋଇସାରିଲାଣି । ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ୱାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି । ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍‌ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଆମ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଅକ୍‌ସିଜେନ ଯୋଗାଇବରେ ସଫଳ ହୋଇପାରିଛି । ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ ।
ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା ପାଇଁ ଓଡିଶାବାସୀଙ୍କର ନିରନ୍ତର ସହଯୋଗ ଏବଂ ସରକାରଙ୍କ ଉଦ୍ୟମରେ ନିଃସର୍ତ ସମର୍ଥନ ପାଇଁ ରାଜ୍ୟ ସରକାର ଓଡିଶାବାସୀଙ୍କ ନିକଟକରେ କୃତଜ୍ଞ। ମହାମାରୀ ଓ ବାତ୍ୟା ପରି ଦୁର୍ବିପାକ ସମୟରେ ପ୍ରଶାସନର ଭଲ କାମରେ ଲୋକମାନଙ୍କର ପ୍ରଶଂସା ସରକାର ପାଇଁ ବହୁତ ବଡ ପ୍ରେରଣା ହୋଇ ରହିଆସିଛି ।
ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ। ଏହା ହେଉଛି ଆମ ସମାଜର ସୁରକ୍ଷାର ବିଷୟ । ତେଣୁ ଏ ଦିଗରେ ଆମ ରାଜ୍ୟକୁ ଦକ୍ଷ ଓ ଦୃଢ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ ।
ଆଜି ଆମର ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରିଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ।
୫-ଟି, ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇ ରହିଆସିଛି । ସ୍ବଚ୍ଛତା, ବୈଷୟିକ କୌଶଳ, ସାମୁହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ । ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି ।
ଲୋକଙ୍କ ସହିତ ସିଧାସଳଖ ସଂପର୍କ ରହିବା ପାଇଁ ଆମେ ମୋ ସରକାର ମତାମତ ବ୍ୟବସ୍ଥା ଆରମ୍ଭ କରିଥିଲୁ । ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀ ମାନଙ୍କର ମନୋଭାବ ଏବଂ ବ୍ୟବହାରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି ।
ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି । ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ । ୩୫୦୦ କୋଟି ଟଙ୍କା ବ୍ୟୟରେ SCB Medical College & Hospitalକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ । ଗତ ବର୍ଷକ ମଧ୍ୟରେ ଆମେ ୭୮୬ ଜଣ ଡାକ୍ତର ଓ ୫୧୩୭ ଜଣ ପାରାମେଡିକ୍ସଙ୍କୁ ନିଯୁକ୍ତ କରିଛୁ ।
ଆମର ପିଲାମାନଙ୍କର ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଆମର ଯୁବ ସମାଜକୁ ବିଶ୍ୱର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର Skilled in Odisha କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଶ୍ବ ଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି । ଆମର ଯୁବସମାଜ ଯେପରି ବିଶ୍ୱର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ବନ୍ଦିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ। ଓଡିଶା ଆଜି ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି । କୋଭିଡ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ ବଡ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇପାରିଛୁ ।
କ୍ରୀଡାର ବିକାଶ ଦିଗରେ ଆମର ନିରନ୍ତର ପ୍ରୟାସ ଜାରି ରହିଛି । ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।
କୃଷି ଓ କୃଷକର ଉନ୍ନତି ହେଉଛି ଆମ ରାଜ୍ୟର ବିକାଶର ଆଧାରଶୀଳା। ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ଆମ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ । ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି ।
ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜବୁତ କରାଯାଇଛି । ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିଶନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ମିଶନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ।
ଆମର ମହାନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରଶଂକର – ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଅଛି ।
ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି ।
ଓଡିଶାର ଜନସାଧାରଣ ପଞ୍ଚମ ଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ । ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ୱାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏସବୁ ଆହ୍ୱାନ
ସତ୍ତ୍ବେ ଆମର ଦୃଢ ବିଶ୍ୱାସ ଯେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ।

Leave a Reply

Your email address will not be published. Required fields are marked *

You cannot copy content of this page