ସଚେତନତାର ଅଭାବ: ଏବେବି ନଗଡାରେ ଚାଲିଛି ବାଲ୍ୟ ବିବାହ !

ଯାଜପୁର (ସଙ୍କେତ ଖବର): ପୁଣି ନଗଡାରେ ଦେଖିବାକୁ ମିଳିଛି ବାଲ୍ୟ ବିବାହ । ସରକାରଙ୍କ ବହୁ ସଚେତନ ପରେବି ସଜାଗ ହେଉନାହାନ୍ତି ନଗଡାବାସୀ । ଫଳରେ ବାଲ୍ୟ ବିବାହରେ ରୋକ ଲାଗିପାରୁନି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଅପହଞ୍ଚ ଇଲାକା ଭାବେ ପରିଚିତ ନଗଡା ରେ ଗତ ଜୁନ ୩୦ ତାରିଖ ଦିନ ଏକ ବାଲ୍ୟ ବିବାହ ହୋଇଥିଲା। ତେବେ ଏନେଇ ଖବର ପାଇବା ପରେ ଗତକାଲି ନଗଡାରେ ପହଞ୍ଚି ବାଲ୍ୟ ବିବାହ କରିଥିବା ଉଭୟ ନାବାଳକ ଓ ନାବାଳିକାଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ । ସୂଚନା ମୁତାବକ ଗତ ଜୁନ ୩୦ ତାରିଖ ଦିନ ତଳ ନଗଡା ର ୧୪ ବର୍ଷୀୟ ପୁଅ ସହ ନିକଟବର୍ତ୍ତୀ କେନ୍ଦୁଝର ଜିଲ୍ଲା ଅଞ୍ଚଳର ଜଣେ ୧୩ ବର୍ଷୀୟା ଝିଅକୁ ବାହାଘର କରାଯାଇଥିଲା । ଏନେଇ ଜିଲ୍ଲା ଚାଇଲ୍ଡ ଲାଇନ ଖବର ପାଇଥିଲା। ତେବେ ଗତକାଲି ନଗଡାରେ ପହଞ୍ଚି ସ୍ଥାନୀୟ କାଳିଆପାଣି ପୋଲିସ ସହାୟତାରେ ଉଭୟ ପୁଅ ଝିଅଙ୍କୁ ଉଦ୍ଧାର କରାଯାଇଛି। ପରେ ଉଭୟଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯିବା ସହ ପୁଅକୁ ବାଳାଶ୍ରମ ଓ ଝିଅକୁ ଓ୍ବାନ ଷ୍ଟପ୍ କେନ୍ଦ୍ରରେ ରଖାଯାଇଛି । ବାଲ୍ୟ ବିବାହ ସମ୍ପର୍କିତ ସମସ୍ତ ତଥ୍ୟ ଯାଞ୍ଚ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପରିବାର ଲୋକଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନ କୋ-ଅଡିନେଟର ସନ୍ଧ୍ୟାରାଣୀ ସାହୁ କହିଛନ୍ତି ।