ୱାର୍ଲ୍ଡ ଓଡ଼ିଶା ସୋସାଇଟି ପକ୍ଷରୁ ‘ଶକ୍ତି ଉତ୍ସବ’ ଆୟୋଜନ

0

ନୂଆଦିଲ୍ଲୀ(ସଂକେତ ଖବର) ସାରା ବିଶ୍ୱରେ ଶାନ୍ତି, ସହଂତି ଏବଂ ସନ୍ତୁଷ୍ଟି ପ୍ରତିଷ୍ଠା କ୍ଷେତ୍ରରେ ୱାର୍ଲ୍ଡ ଓଡ଼ିଶା ସୋସାଇଟି (ୱାଓସୋ) ପ୍ରଭାବଶାଳୀ ଭୂମିକା ନିର୍ବାହ କରିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୃଢ଼ ଆଶା ପୋଷଣ କରିଛନ୍ତି । ଦୁନିଆରେ ଯୁଦ୍ଧ ବଦଳରେ ପ୍ରେମ, ଆନନ୍ଦ, ଭାତୃତ୍ୱ, ସୌନ୍ଦର୍ଯ୍ୟ ଓ ଶାଶ୍ୱତର ସାକାରାତ୍ମକ ବାର୍ତ୍ତା ପ୍ରଚାର କରିବା ଦିଗରେ ୱାର୍ଲ୍ଡ ଓଡ଼ିଶା ସୋସାଇଟି ନିକଟରେ ଅଦ୍ୱିତୀୟ, ଅନୁପମ ଏବଂ ଅଦ୍ଭୁତ ଇଚ୍ଛାଶକ୍ତି ମହଜୁଦ ଥିବା ପ୍ରଫେସର ଲାଲ ପ୍ରକାଶ କରିଥିଲେ । ୱାର୍ଲ୍ଡ ଓଡ଼ିଶା ସୋସାଇଟି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଆଭାସି ମଞ୍ଚରେ ଆୟୋଜିତ ‘ଶକ୍ତି ଉତ୍ସବ’ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଫେସର ଲାଲ, ସମଗ୍ର ସୃଷ୍ଟିକୁ ଉତ୍ପନ୍ନ କରିଥିବା ଆଦିଶକ୍ତି ଏହାର ଲାଳନ, ପାଳନ ଓ ରକ୍ଷଣ କ୍ଷେତ୍ରରେ ସର୍ବଦା ଯତ୍ନବାନ ଥିବା ଉଲ୍ଲେଖ କରିଥିଲେ । ଏହି ସମାରୋହରେ ସାରା ପୃଥିବୀର ବହୁ ପ୍ରବାସୀ ଓଡ଼ିଆ ନେତୃବର୍ଗ, ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି ଓ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ସଦସ୍ୟମାନେ ଯୋଗଦେଇଥିବା ଦେଖାଯାଇଥିଲା ।


ଭର୍ଚ୍ଚୁଆଲ ସଭରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର, ମହିଳାମାନେ ଆଜି ରାଜନୀତି, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ବୈଷୟିକ ଜ୍ଞାନ କୌଶଳ, ପ୍ରତିରକ୍ଷା, ବିଜ୍ଞାନ, ପ୍ରଶାସନ, ନ୍ୟାୟ ଆଦି ବୃତ୍ତିରେ କୃତିତ୍ୱ ପ୍ରଦର୍ଶନ କରୁଥିବା ଦର୍ଶାଇଥିଲେ । ସମାଜରେ ନାରୀ ଜାତିକୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବାକୁ ଡଃ ପାତ୍ର ଯୁକ୍ତି ଉପତ୍ସାପନ କରିଥିଲେ । ବୈଠକକୁ ସମ୍ବୋଧନ କରି ‘ୱାଓସୋ’ର ପ୍ରତିଷ୍ଠାତ୍ରୀ ଡଃ ଅରୁନ୍ଧତୀ ଦେବୀ, ଗୃହ ଏବଂ ସମାଜକୁ ସଠିକ୍‍ ଦିଗଦର୍ଶନ ଦେବା ପାଇଁ ନାରୀ ନିକଟରେ ଆବଶ୍ୟକୀୟ ସଂଭ୍ରମତା, ସଂଯମତା ଓ ସାମର୍ଥ୍ୟ ମହଯୁଦ ଥିବା ସୂଚାଇଥିଲେ । ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ, ନ୍ୟାୟ ଏବଂ ସୁଯୋଗ ଦିଆଯିବାକୁ ଡଃ ଦେବୀ ଜୋର ଦେଇଥିଲେ । ଉତ୍ସବରେ ପୌରୋହିତ୍ୟ କରି ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ‘ୱାଓସୋ’ର ଉପସ୍ଥିତି ୬୩ଟି ଦେଶକୁ ବୃଦ୍ଧି ପାଇଥିବା ସୂଚନା ଦେଇଥିଲେ ।

ଅଧୀବେଶନରେ ଉଦ୍‍ବୋଧନ ଦେଇ ‘ୱାଓସୋ’ର ମହିଳା ଶାଖାର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା, ଯୁଗେ ଯୁଗେ ଜଗତଜନନୀଙ୍କର ଶୀର୍ଷତ୍ୱ ଏବଂ ଶ୍ରେଷ୍ଠତ୍ୱ ପ୍ରମାଣିତ ହୋଇଆସିଛି ବୋଲି ପ୍ରକାଶ କରିଥିଲେ । ରାଉରକେଲାସ୍ଥିତ ଇଏସ୍‍ଆଇ ଡାକ୍ତରଖାନାର ମୁଖ୍ୟ ଡଃ ଅର୍ଚ୍ଚନା ବାରିକ ଜୀବନ ସୃଷ୍ଟି କରୁଥିବା ନାରୀର ସ୍ୱାସ୍ଥ୍ୟ ଏବଂ ନିରାପତ୍ତାର ସୁରକ୍ଷା ନେଇ ସର୍ବାଧିକ ପ୍ରାଧାନ୍ୟ ଦିଆଯିବାକୁ ପାୱାର ପଏଣ୍ଟ ଉପସ୍ଥାପନ ଜରିଆରେ ସୂଚାଇଥିଲେ । ମୁଖ୍ୟବକ୍ତା ଚଳଚ୍ଚିତ୍ର ତାରକା ଅର୍ଚ୍ଚିତା ଶର୍ମା, ‘ଦିଲ୍ଲୀ ଅଭି ଦୂର ହେ’ ଦର୍ଶାଇ ନାରୀର ସଶକ୍ତୀକରଣ ଅଭିଯାନ ପ୍ରତ୍ୟେକ ବାସଗୃହରୁ ହିଁ ଆରମ୍ଭ କରାଯିବାକୁ ଆହ୍ୱାନ ଜଣାଇଥିଲେ । ‘ୱାଓସୋ’ର ମହିଳା ଶାଖାର ସାଧାରଣ ସମ୍ପାଦକ ଡଃ ଚିଦାତ୍ମିକା ଖଟୁଆ ନାରୀ ଶକ୍ତି ଅଭେଦ୍ୟ, ଅଜୟ ଓ ଅତୁଳନୀୟ ବୋଲି ଦର୍ଶାଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଲିଉଡ୍‍ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କର ସଂଗୀତ ପରିବେଷଣ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କର ଯାଦୁଗରୀ ଆନିମେସନ, ବିଶିଷ୍ଟ ଲେଖିକା ଅଧ୍ୟାପିକା ସ୍ନେହଲତା ପୃଷ୍ଟିଙ୍କର କବିତା ଆବୃତ୍ତି ଏବଂ ପ୍ରସିଦ୍ଧ ସଂଗୀତଜ୍ଞ ଅବନ୍ତିକା ପଟ୍ଟନାୟକଙ୍କର ଭଜନ ଗାୟନ ବେଶ୍‍ ଚିତ୍ତାକର୍ଷକ ଥିଲା ।


ସିଙ୍ଗାପୁରରୁ ବନୋଜିନୀ ନାୟକ ସମଗ୍ର କାର୍ଯ୍ୟକ୍ରମକୁ ଖୁବ୍‍ ସୁନ୍ଦର, ସୁଚାରୁ ଏବଂ ସାବଲୀଳ ଢଙ୍ଗରେ ଉପସ୍ଥାପନା ଏବଂ ପରିଚାଳନା କରିଥିଲେ । ନନ୍ଦନ ଦ୍ୱିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ ।
ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି, ୟୁ.କେ. ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ, କାନାଡ଼ାର କାଂସା ସଂସ୍ଥାର ପ୍ରତିଷ୍ଠାତା ଡଃ ତନ୍ମୟ ପଣ୍ଡା, ଆବୁଧାବୀ ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ସିଡ୍‍ନୀରୁ ଡଃ ପ୍ରଭାତି ପାଣିଗ୍ରାହୀ, ସିଓଲରୁ ଡଃ ସୀତାଂଶୁ ଶେଖର ନନ୍ଦ, ନୂଆଦିଲ୍ଲୀରୁ ସୁଧୀର ଦାଶ, ସି.ଏ., ଡଃ ବଲ୍‍ହନ୍‍ ସାଗର ଓ ରୀତା ପାତ୍ର, ଗୁରୁଗାଓଁରୁ ଶ୍ରୀମନ୍ତ ବିଶ୍ୱାଳ, ଭୁବନେଶ୍ୱରରୁ ଡଃ ସ୍ରୁତି ମହାପାତ୍ର, ଡଃ ରବିନାରାୟଣ ବେହେରା, ସୁନୀତା ମହାପାତ୍ର, ଡଃ ସରୋଜିନୀ ପାଣି, ହୃଷିକେଶ ପାତ୍ର, ଇଂ. ଆଦିତ୍ୟ ଚୌଧୁରୀ ଏବଂ ଭଦ୍ରକରୁ ସତ୍ୟବ୍ରତ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page