ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ଆସନ୍ତା ୧୧ରେ କଂଗ୍ରେସର ବିକ୍ଷୋଭ
![](https://www.sanketkhabar.com/wp-content/uploads/2021/06/CongressFlag.jpg)
ଭୂବନେଶ୍ୱର (ସଙ୍କେତ ଖବର): କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯାହାଦ୍ୱାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁରେ ପହଂଚିଛି । ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ଟ.୨୫.୭୨ ପଇସା ଓ ଡିଜେଲ ଦର ଟ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଏହି ବର୍ଷର ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ।
ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟିବା ଓ ଅବିଳମ୍ବେ ତୈଳଯାତ ଦ୍ରବ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦରକୁ ହ୍ରାସ କରିବା ଦାବୀରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ମୁତାବକ ଚଳିତ ମାସ ଜୁନ ୧୧ ତାରିଖ ଶୁକ୍ରବାର ପ୍ରାତଃ ୭ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ତାଲାବନ୍ଦ ସମୟ ମଧ୍ୟରେ ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଭାବେ ଧାରଣା ଓ ବିକ୍ଷୋଭ କରିବାକୁ ପିସିସି ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
୧୧ ତାରିଖର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା, ବ୍ଲକ, ନଗର ସ୍ତରରେ ଅବିଳମ୍ବେ ଜିଲ୍ଲା କଂଗ୍ରେସ ସଭାପତି ମାନେ ପ୍ରସ୍ତୁତି ବୈଠକ ଡାକି ସମସ୍ତ କଂଗ୍ରେସ ନେତୃମଣ୍ଡଳୀ, ବିଧାୟକଗଣ ଓ ସାଂସଦ, ପ୍ରାକ୍ତନ ବିଧାୟକ ଓ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଏଆଇସିସି ଓ ପିସିସି ସଦସ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ। ସମସ୍ତ କଂଗ୍ରେସ ନେତୃମଣ୍ଡଳୀ,କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନେ ଘରୁ ବାହାରିବା ସମୟରେ ସାଇକେଲ,ରିକ୍ସା,ବଳଦଗାଡି,ଟ୍ରଲି ଅବା ଚାଲି ଚାଲି ବିକ୍ଷୋଭ ସ୍ଥଳରେ ପହଞ୍ଚିବାକୁ ଶ୍ରୀ ଯୁକ୍ତ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ବିଶେଷ ଅନୁରୋଧ କରିଛନ୍ତି ଅର୍ଥାତ କେହି ଏହି ବିକ୍ଷୋଭ ସ୍ଥଳକୁ ପେଟ୍ରୋଲ ଓ ଡିଜେଲ ବ୍ୟବହୃତ ଦୁଇଚକିଆ,ତିନିଚକିଆ,ଚାରିଚକିଆ ଆଦି ଯାନବାହନ ବ୍ୟବହାର ନକରି ଆସିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।