ସତରେ କଣ ସଫଳ ହେବ ଭାରତୀୟ କରୋନା ଭାକ୍ସିନ୍?

0

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୌଡରେ ଏବେ ଆମ ଦେଶ ତୃତୀୟ ସ୍ଥାନରେ। ଆମେରିକା ଆଉ ବ୍ରଜିଲ ପରେ ଏବେ ଭାରତର ସ୍ଥାନ। ଗତ କିଛି ଦିନର ପରିସଂଖ୍ୟାନ ଦେଖିଲେ ଲାଗୁଛି ଯେପରି କରୋନା ଏବେ ଭାରତରେ ଅଣାୟତ ସ୍ଥିତିରେ। ପ୍ରତିଦିନ ଏହି ସୂଚକାଙ୍କ ବଢିବଢି ଚାଲିଛି। ଏଭଳି ସମୟରେ ଏହି ବିପଦରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ଏହାର ଔଷଧ ବା Vaccine ବଜାରରେ ଉପଲବ୍ଧ ହେବା। ଏହା ମଧ୍ୟରେ Indian Council For Medical Research (ICMR)ର ତଥ୍ୟ ଅନୁସାରେ ଭାରତ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଏହି ରୋଗର ଭାକ୍ସିନ୍ ଉଦ୍ଭାବନ କରିବାକୁ ଯାଉଛି।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ଯଦି ସବୁ ଠିକ୍ ଠାକ୍ ରହେ ତାହେଲେ ଆସନ୍ତା ସ୍ବାଧୀନତା ଦିବସରେ ଏହା ସର୍ବ ସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ସତରେ ଆସନ୍ତା ଅଗଷ୍ଟ ୧୫ରେ କୋଭାକ୍ସିନ୍ ନାମକ ଭାରତୀୟ ଭାକ୍ସିନ୍ ସତରେ ବଜାରରେ ଉପଲବ୍ଧ ହେବ ? ଏ ପ୍ରସଙ୍ଗରେ ଜାଣିବା ପୂର୍ବରୁ ଆମକୁ ଭାକ୍ସିନର ଇତିହାସ ଆଉ ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣିବା ଦରକାର। ଯେତବେଳେ କୌଣସି ପ୍ୟାଥୋଜିନ(ଭାଇରସ ସମୂହ) ଆମ ଶରୀର ମଧ୍ୟକୁ ପ୍ରବେଶ କରେ ଆମର ରୋଗ ପ୍ରତିରୋଧ ଶକ୍ତି (Immunity power) ଏହାକୁ ତିନୋଟି ଦିଗ ଦେଇ ପ୍ରତିରୋଧକ କରିଥାଏ।

ଏହି ପ୍ରତିରୋଧକ ଶକ୍ତି ପ୍ରଥମେ ପ୍ୟାଥୋଜେନକୁ ଚିହ୍ନଟ କରେ ତାପରେ ତାହାକୁ ଶରୀରରୁ ହଟାଇ ଦେଇଥାଏ। ଏହି ହଟାଇବା କାର୍ଯ୍ୟରେ ଆମ White Blood Cell ମୂଖ୍ୟତଃ କାର୍ଯ୍ୟ କରିଥାଏ। ଯେତବେଳେ ଏହି ଭାଇରସ୍ ସହ ଲଢେଇ ହୁଏ ସେତେବେଳେ ଏହାର ଲକ୍ଷଣ (ଜ୍ବର,କାଶ, କମ୍ପ) ଦେଖା ଯାଇଥାଏ। ରୋଗ ପ୍ରତିରୋଧକ ଶକ୍ତିର ତୃତୀୟ କାର୍ଯ୍ୟ ହେଲା ପ୍ୟାଥୋଜେନକୁ ମନେ ରଖିବା କାରଣ ଆଗାମୀ ଦିନରେ ଏଭଳି ଲକ୍ଷଣ ଦେଖାଦେଲେ ତାହା ବିରୁଦ୍ଧରେ ଲଢେଇ କରିବା। ଏହି ସମସ୍ତ କାର୍ଯ୍ୟ ହେଉଛି Immune Power ର ଆଉ ଏହା ସମ୍ଭବ ହୋଇଥାଏ vaccine ଦ୍ବାରା।

ସହଜ ଭାବରେ କହିବାକୁ ଗଲେ ଭାକ୍ସିନ୍ ମଧ୍ୟରେ ପ୍ୟାଥୋଜେନକୁ ପରାଜିତ କରିବାର ସମସ୍ତ ଦକ୍ଷତା ଥାଏ। ଏହି ଭାକ୍ସିନର ଉଦ୍ଭାବନ ପାଇଁ ବର୍ଷବର୍ଷ ଧରି ସମୟର ଆବଶ୍ୟକତା ପଡିଥାଏ। ଏହି ଭାକ୍ସିନ୍ ଭିନ୍ନ ଭିନ୍ନ ପ୍ରକାରର ଦେଖିବାକୁ ମିଳିଥାଏ। Small Pox, Chicken Pox ପରି ରୋଗ ପାଇଁ ବ୍ୟବହୃତ ଭାକ୍ସିନକୁ Live Attenueted Vaccine କୁହା ଯାଇଥାଏ ଯାହା ଅନେକ ବର୍ଷ ଲାଗିଥାଏ ଉଦ୍ଭାବନ ପାଇଁ। ଆଉ ଏକ ପ୍ରକାରର ଭାକ୍ସିନ୍ ଯାହା ପ୍ୟାଥୋଜେନକୁ ମାରିବାରେ ସକ୍ଷମ ହୋଇଥାଏ ତାହାକୁ Inactivated Vaccine ବୋଲି କୁହା ଯାଇଥାଏ। ଫ୍ଲୁ, ପୋଲିଓ ପରି ରୋଗରୁ ଏହି ଭାକ୍ସିନ୍ ମାଧ୍ୟମରେ ରକ୍ଷା କରା ଯାଇଥାଏ।

ଏହି ଭାକ୍ସିନ ଏତେ ଶକ୍ତିଶାଳୀ ନୁହେଁ ଫଳରେ ଏହାକୁ ନିୟମିତ ବ୍ୟବଧାନରେ ବ୍ୟବହାର କରିବାକୁ ପଡିଥାଏ। ତୃତୀୟ ପ୍ରକାରର ଭାକ୍ସିନ୍ ହେଲା Subunit Vaccine ଯାହା ଆମେ ହେପାଟାଇଟସ୍ ବି ଭାକ୍ସିନ୍ ଭାବରେ ବ୍ୟବହାର କରିଥାନ୍ତି। ୨୫୦ ବର୍ଷ ପୂର୍ବେ ଭାକ୍ସିନର ଉଦ୍ଭାବନ ପୂର୍ବରୁ ପାଖାପାଖି ୫୦ ପ୍ରତିଶତ ମୃତ୍ୟୁ ଏହାର ଅଭାବରୁ ହିଁ ହେଉଥିଲା। ତେବେ ଏହି ଭାକ୍ସିନ୍ ଉଦ୍ଭାବନ ପାଇଁ ପ୍ରାୟତଃ ୧୦ ବର୍ଷ ସମୟର ଆବଶ୍ୟକତା ପଡିଥାଏ କିନ୍ତୁ କୋଭିଡ୍-୧୯ ଭାକ୍ସିନ୍ କ୍ଷେତ୍ରରେ ଏହା ଦେଢ ବର୍ଷ ମଧ୍ୟରେ ଉଦ୍ଭାବନ ହେବ ବୋଲି କୁହା ଯାଉଛି।

ଏଯାଏ ବିଶ୍ବରେ ଅନ୍ୟୁନ ୧୦୦ଟି ଭାକ୍ସିନ୍ ପ୍ରସ୍ତୁତି ପଥେ ଥିବାର ଜଣାଯାଏ। ଏଯାଏ HIV ଭାକ୍ସିନ୍ ଉଦ୍ଭାବନ ହୋଇନଥିବା ବେଳେ ଆସନ୍ତା ୨୦୩୦ ରେ ଏହା ବ୍ୟବହାର ଯୋଗ୍ୟ ହେବ ବୋଲି ଜଣାପଡିଛି। ଭାକ୍ସିନ୍ ଉଦ୍ଭାବନ ପାଇଁ ମୁଖ୍ୟତଃ Research, Testing ଏବଂ Manufacturing ଉପରେ ସର୍ବାଧିକ ପ୍ରାଧାନ୍ୟ ଦିଆ ଯାଇଥାଏ। ଏହି ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଅନେକ ସମୟର ଆବଶ୍ୟକତା ପଡିଥାଏ। କୋଭିଡ୍-୧୯ ଭାକ୍ସିନ୍ କଥା ଚିନ୍ତାକଲେ ଦେଖାଯାଏ ବର୍ତ୍ତମାନ ପାଖାପାଖି ୭୦ ଟି ଦେଶର ଭାକ୍ସିନ୍ ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସବୁଜ ସଙ୍କେତ ଅପେକ୍ଷାରେ।

ଏହି ସଙ୍କେତ ପାଇବା ପାଇଁ ଯେଉଁ ସ୍ତର ଦେଇ ଯିବାକୁ ପଡେ ତାହା ଅତ୍ୟନ୍ତ ସମୟସାପେକ୍ଷ। ଆମେରିକାର ମୋଡେନା କମ୍ପାନୀ ଦ୍ବାରା ପ୍ରସ୍ତୁତ କୋଭିଡ୍ ଭାକ୍ସିନ୍ ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଅପେକ୍ଷାରେ। ହ୍ୟୁମାନ ଟ୍ରାୟଲର ସଫଳ ପରିକ୍ଷଣ ପରେ ଏହା ଆସନ୍ତା ଜୁଲାଇ ୯ରେ ଉପଲବ୍ଧ ହୋଇଥାନ୍ତା କିନ୍ତୁ ଏହା ଏବେ ବିଳମ୍ବ ହେବାକୁ ଯାଉଛି। ଜର୍ମାନୀର ଫ୍ରିଜର ଆଣ୍ଡ ବାୟୋଟେକ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ଭାକ୍ସିନ୍ ୪୫ ଜଣଙ୍କ ଠାରେ ହ୍ୟୁମାନ ଟ୍ରାୟଲ କରିବା ପରେ ୫୦ ପ୍ରତିଶତ ଲୋକଙ୍କ ପାଖରେ ପ୍ବାର୍ଶ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଫଳତଃ ଏହାର ପରୀକ୍ଷା ଅଧିକ ଦିନ କରିବାକୁ ଯାଇ ଏହାକୁ ଏବେ ସ୍ତଗିତ ରଖାଯାଇଛି। କୌଣସି ଭାକ୍ସିନର ସଫଳ ପରିକ୍ଷଣ ନକରି ଏହାକୁ ମଣିଷ ଶରୀରରେ ବ୍ୟବହାର ସମ୍ପୂର୍ଣ୍ଣ ଭୁଲ୍ ତାହା ଏହି ଘଟଣାରୁ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଭାରତରେ ପ୍ରସ୍ତୁତ କୋଭାସିନକୁ ନେଇ ଉଠିଛି ପ୍ରଶ୍ନ। ସମସ୍ତେ ଚାତକପରି ଚାହିଁ ବସିଛନ୍ତି କେବେ ଏହା ବ୍ୟବହାର ଯୋଗ୍ୟ ହେବ। ଆମେ ଯଦି ଦେଖନ୍ତି କୋଭାସିନ୍ ଏବେ ତୃତୀୟ ଷ୍ଟେଜ ପରୀକ୍ଷା ଅପେକ୍ଷାରେ ଅଛି। ସଫଳ କ୍ଲିନିକାଲ୍ ଟ୍ରାୟଲ ପାଇଁ ଅତି କମରେ ତିନି ମାସରୁ ଏକ ବର୍ଷର ସମୟ ଦରକାର ହୋଇଥାଏ।

ଯେପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ସଫଳତାର ସହ ପରିକ୍ଷଣ ନହୋଇଛି ସେଯାଏ ଏହା ମଣିଷ ଶରୀରରେ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ବୁଝିବାକୁ ପଡିବ। ଏଭଳି ସ୍ଥିତିରେ କୋଭାକ୍ସିନର ସଫଳ ପରୀକ୍ଷଣ ଆସନ୍ତା ଅଗଷ୍ଟ ୧୫ ପୂର୍ବରୁ ହେବାକୁ ନେଇ ଉଠିଲାଣି ପ୍ରଶ୍ନ। ହୋଇପାରେ ହ୍ୟୁମାନ ଟ୍ରାୟଲର ଚାରୋଟି ପର୍ଯ୍ୟାୟରୁ ହୁଏତ ଦୁଇଟି ପର୍ଯ୍ୟାୟ ସଫଳତାର ସହ ଶେଷକରି ରୋଗୀ ଶରୀରରେ ବ୍ୟବହାର କରାଯାଇ ପାରେ। କିନ୍ତୁ ଏହା ନିଶ୍ଚିତ ଏହି ଭାକ୍ସିନର ସମ୍ପୂର୍ଣ୍ଣ ପରିକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ଯାଏ ସମୟ ପ୍ରଯ୍ୟାପ୍ତ ନୁହେଁ।

ଆଶା ଭାରତ ପୃଥିବୀର ପ୍ରଥମ ଦେଶ ଭାବରେ ଏହି ସଂଗ୍ରାମରେ ସଫଳ ହେଉ ଆଉ ପ୍ରତ୍ୟକ ଭାରତୀୟ ଗର୍ବରେ କହି ବୁଲନ୍ତୁ ଆମେ ପ୍ରଥମ ଦେଶ ଭାବରେ କରୋନାକୁ ପରାଜିତ କରି ପାରିଛୁ।

ବିରଂଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page