ସୁକିନ୍ଦାରେ ହାରିବ କରୋନା : ବିଧାୟକ

ଯାଜପୁର (ସଙ୍କେତ ଖବର): କରୋନାରୁ ବର୍ତ୍ତିବା ପାଇଁ ସୁକିନ୍ଦାର ଖଣି ପ୍ରଭାବିତ ୧୦ଟି ପଞ୍ଚାୟତରେ ୨୦ ହଜାର ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି। ସୁକିନ୍ଦା ରିଜୟନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ପକ୍ଷରୁ କଅଁସ, ଚିଙ୍ଗୁଡିପାଳ, କାଳିଆପାଣି, କାଙ୍କଡ଼ପାଳ, ରାସଁଳୋ, କୁହିକା, ପିମ୍ପୁଡିଆ, ଦୁଧୁଯୋରୀ, ବନ୍ଧଗାଁ ଏବଂ କିଆଝର ପଞ୍ଚାୟତରେ ମାସ୍କ ବଣ୍ଟନ କରଯାଇଛି। ଶ୍ରମିକ ସଂଘର ସଭାପତି ତଥା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ନଗଡ଼ାବାସୀଙ୍କୁ ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର ଓ ସାବୁନରେ ହାତ ଧୋଇବା ଲାଗି ସଚେତନ କରାଇଛନ୍ତି ।

୨୦୨୦ରେ ବିଶ୍ୱ ମହାମାରୀ କରୋନାର ପ୍ରକୋପ ଦେଖା ଦେବା ଠାରୁ ସୁକିନ୍ଦା ରିଜୟନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ପକ୍ଷରୁ ଲୋକଙ୍କୁ ମାସ୍କ-ସାନିଟାଇଜର ବଣ୍ଟନ ସହ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଇଛି। ଏପରିକି ଗତବର୍ଷ ଜୁନ ୧୦ରେ ମଜଦୁର ସଂଘର ୫,୦୦୦ ଶ୍ରମିକ, ନିଜର ଗୋଟିଏ ଦିନର ମଜୁରୀ ସଂଚୟ କରି ୧୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିଲେ। ଆଜି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଘଡ଼ାଇ ୧୦ ପଞ୍ଚାୟତର ସରପଞ୍ଚ, ଯୁବ ବିଜେଡିର ସଭାପତିଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିଛନ୍ତି। ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିରଙ୍କ ସଂଯୋଜନାରେ ସୁକିନ୍ଦା ବିଧାୟକଙ୍କ ନିକଟରୁ ମାସ୍କ ଓ ସାନିଟାଇଜର ସଂଗ୍ରହ କରି ସରପଞ୍ଚ, ଯୁବ ବିଜେଡି ସଭାପତି ଏବଂ ପଞ୍ଚାୟତ ସଭାପତିମାନେ ନିଜ ନିଜର ପଞ୍ଚାୟତରେ ସେହି କରୋନା ପ୍ରତିରୋଧକ ସାମଗ୍ରୀକୁ ଲୋକଙ୍କୁ ବାଣ୍ଟିଛନ୍ତି।