କୋଭିଡ ସଂକ୍ରମିତଙ୍କ ଶବଦାହ କଲେ “ଟିମ ହ୍ୟୁମାନିଟି”ର ସଦସ୍ୟ

0

ବାଲିଗୁଡା ( ସଙ୍କେତ ଖବର): କରୋନା ମହାମାରୀର ଦ୍ୱିତୀୟ ଲହର ନେଇ ଲୋକଙ୍କୁ ଘାରିଛି ସଂକ୍ରମଣର ଭୟ । ଚାଲିଯାଉଛି ଗୋଟାଏ ପରେ ଗୋଟାଏ ଜୀବନ। ଅନେକ ସ୍ଥଳରେ ମୃତ ବ୍ୟକ୍ତିଙ୍କ ଶବଦାହ କରିବା ପାଇଁ ମିଳୁନାହାନ୍ତି କେହି। ଏପରିକି ନିଜ ଲୋକ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ଶବଦାହ ପାଇଁ। ପ୍ରଶାସନ ପକ୍ଷରୁ ପିପିଇ କିଟ୍ ପ୍ରଦାନ କରାଯାଇ ଶବ ଦାହ ପାଇଁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ସେଠାରୁ ଦୂରେଇ ରହୁଛନ୍ତି ବହୁ ନିଜ ଲୋକ। ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ଗୁରୁତର ସାମାଜିକ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଜୀବନ ଓ ମୃତ୍ୟୁର ବିପଦ ବେଳେ ଦୁଆରେ ଠିଆ ହୋଇ ସହଯୋଗର ହାତ ବଢାଉଛନ୍ତି କନ୍ଧମାଳ ଜିଲ୍ଲା ରେ ଜଣାଶୁଣା ସାମାଜିକ ଅନୁଷ୍ଠାନ ଟିମ୍ ହ୍ୟୁମାନିଟି । ଏଭଳି ଏକ କାର୍ଯ୍ୟକରି ଟିକାବାଲି ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛନ୍ତି ଉକ୍ତ ଅଞ୍ଚଳରେ ରହୁଥିବା ଟିମର ସଦସ୍ୟମାନେ। ତେବେ କେବଳ ଆଜି ନୁହେଁ , ଗତ ଦିନରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଏହି ସମସ୍ୟାର ସମାଧାନର ଦାୟିତ୍ୱ ନିଜ ଉପରକୁ ନେଇଛି କନ୍ଧମାଳର ଅଗ୍ରଣି ସାମାଜିକ ଅନୁଷ୍ଠାନ ଟିମ ହ୍ୟୁମାନିଟି । ଗୁରୁବାର ଟିକାବାଲି ତେନ୍ତୁଳିଗଡ ଅଞ୍ଚଳର ଜନୈକା କୋଭିଡ ସଂକ୍ରମିତା ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ଶବ ସତ୍କାର କରିବା ପାଇଁ କେହି ବାହାରି ନ ଥିଲେ। ପାଖ ପଡ଼ିଶା ମଧ୍ୟ ପ୍ରସ୍ତୁତ ହୋଇନଥିଲେ। ପରିବାରର ସଦସ୍ୟମାନେ ଚିନ୍ତାରେ ପଡ଼ିଯାଇଥିବା ବେଳେ ଖବର ପାଇ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲେ ଟିକାବାଲି ଟିମ ହ୍ୟୁମାନିଟିର ସଦସ୍ୟ ହିରୋ ନାୟକ, ନୀଳମାଧବ ପାତ୍ର, ସନ୍ତୋଷ ସୁବୁଦ୍ଧି ଓ ଚିଣ୍ଟୁ ପଟ୍ଟନାୟକ। ସ୍ଥାନୀୟ ମେଡିକାଲ ଅଫିସର, ବିଡିଓ, ବିପିଏମ, ତହସିଲଦାର, ଆରଆଇ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ କୋଭିଡ ନିୟମ ପ୍ରକାରେ ମହିଳାଙ୍କ ଶବସତ୍କାର କରାଯାଇଥିଲା। ପ୍ରଶାସନ ପକ୍ଷରୁ ଚିହ୍ନଟ ଶ୍ମଶାନରେ କୋଭିଡ଼୍ ନିୟମ ପ୍ରକାରେ ଏହି ୪ ଜଣ ଯୁବ ସ୍ୱେଚ୍ଛାସେବୀମାନେ ଶବ ଶତ୍କାର କରିଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ମହତ କାର୍ଯ୍ୟ ସମାପନ କରି ସାରିଛନ୍ତି ଏହି ସଦସ୍ୟ ମାନେ। ଏଭଳି ନିସ୍ୱାର୍ଥପର କାର୍ଯ୍ୟ ପାଇଁ ଜିଲାସାରା ଟିମ ହ୍ୟୁମାନିଟିକୁ ସାଧୁବାଦ ଜଣାଯିବା ସହ ସେମାନଙ୍କ ପାଇଁ ଜିଲ୍ଲା ଗର୍ବିତ ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page