ଅପରାଧ ଓ ପୁଲିସ୍ ବ୍ୟବସ୍ଥାକୁ ନେଇ କର୍ମଶାଳା

0

ଯାଜପୁର (ସଂକେତ ଖବର ବ୍ୟୁରୋ)
ଯାଜପୁର ଡିଆରଡିଏ ହଲ୍ଠାରେ ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁମାନ୍ ରାଇଟସ୍ ପକ୍ଷରୁ ଯାଜପୁର ଥାନାଗୁଡିକର ସମ୍ପର୍କିତ ଏକ ରିପୋର୍ଟ ସମ୍ପର୍କରେ ସିଭିଲ୍ ସୋସାଇଟି ସଦସ୍ୟ ଓ ସାମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରାଯାଇଥିଲା । ଏଥିରୁ ଜଣାପଡିଛି ଯେ ୨୦୧୭ ମସିହାରେ ଯାଜପୁରର ବିଭିନ୍ନ ସ୍ଥାନରେ ମୋଟ୍ ୪୫୮୧ଟି ମାମଲା ରୁଜୁ ହୋଇଛି । ବୈରି ଥାନାରେ ସର୍ବାଧିକ ୫୯୮ଟି ମାମଲା ରୁଜୁ ହୋଇଥିବା ବେଳେ ଜଖପୁରାରେ ସବୁଠୁ କମ୍ ୭୦ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ଜିଲ୍ଲାରେ ୫୫ଟି ହତ୍ୟା ଘଟଣା ହୋଇଛି । ବଡଚଣା ଓ ଟମକା ଅପରାଧ ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । ଯାଜପୁର ରୋଡ୍ ଥାନାରେ ସବୁଠୁ ଅଧିକ ଚୋରି ମାମଲା (୩୧୮) ରୁଜୁ ହୋଇଛି । ୨୦୧୭ରେ ଯାଜପୁର ଜିଲ୍ଲାରେ ୨୦୮ଟି ଯୌତୁକ ମାମଲା ରୁଜୁ ହୋଇଥିବା ବେଳେ ମଙ୍ଗଳପୁର ଥାନାରେ ସର୍ବାଧିକ ୨୬ଟି ମାମଲା ରୁଜୁ ହୋଇଛି । କିନ୍ତୁ ଏହିଥାନାରେ ମହିଳା ପୁଲିସ୍ ନାହାନ୍ତି । ଜିଲ୍ଲାରେ ୧୩୫ଟି ଧର୍ଷଣ ମାମଲା ରୁଜୁ ହୋଇଥିବା ବେଳେ ପାଣିକୋଇଲିରେ ଥାନାରେ ଏ ସମ୍ପର୍କିତ ମାମଲା ସର୍ବାଧିକ (୩୧) ରହିଛି । ଏସସିଏସଟି ମାମଲା ୭୦ଟି ରୁଜୁ ହୋଇଥିବା ବେଳେ କୁଆଖିଆ ଥାନାରେ ସର୍ବାଧିକ ୧୨ଟି ମାମଲା ହୋଇଛି । ୨୦୧୭ରେ ୬୦ଟି ଶିଶୁ ନିର୍ଯାତନା ମାମଲା ରୁଜୁ ହୋଇଛି । ମହିଳାପୋଲିସଙ୍କ ପାଇଁ କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ମାମଲା ବିଚାର ପାଇଁ ଜିଲ୍ଲାସ୍ତରରେ କଂପ୍ଲେ ଂଟ୍ କମିଟି ରହିଛି । କିନ୍ତୁ କୌଣସି ଅଭିଯୋଗ ଏଠାକୁ ଆସିନାହିଁ ।

୪ଟି ଥାନାରେ ମହିଳା କର୍ମଚାରୀଙ୍କ ପାଇଁ ଟଏଲେଟ୍ ନାହିଁ, ୩ଟି ଥାନାରେ ପୁରୁଷ ଟଏଲେଟ୍ ନାହିଁ । କୌଣସି ଥାନାରେ ଫ୍ୟାକ୍ସ କାମ କରୁନାହିଁ, ୧୩ଟି ଥାନାରେ ଇ-ମେଲ୍ରେ ଅଭିଯୋଗ ବ୍ୟବସ୍ଥା ନାହିଁ । ୧୦ଟି ଥାନାରେ ଜୁଭେନାଇଲ୍ ରୁମ୍ ନାହିଁ । ୧୭ଟି ଥାନାରେ ଭିନ୍ନକ୍ଷମମାନଙ୍କ ପାଇଁ ର‌୍ୟାମ୍ପ ନାହିଁ । ପ୍ରାପ୍ତିସ୍ୱିକାର ସମ୍ପର୍କିତ ନିର୍ଦ୍ଦେଶନାମା ୧୮ଟି ଥାନାରେ ଉପଲବ୍ଧ ନାହିଁ । ୧୨ଟି ଥାନାରେ ଗିରଫଦାରୀ ସମ୍ପର୍କିତ ସୁପ୍ରିମକୋର୍ଟ ଗାଇଡ୍ଲାଇନ୍ ପ୍ରଦର୍ଶିତ ହେଉନାହିଁ । ୧୧ଟି ଥାନାରେ ୨୪ ଘଂଟା ମଧ୍ୟରେ ହୋଇଥିବା ଗିରଫଦାରୀ ସମ୍ପର୍କରେ ତାଲିକା ପ୍ରକାଶ କରିବାର ବ୍ୟବସ୍ଥା ନାହିଁ । ସୂଚନା ଅଧିକାର ଆଇନ ଅନୁସାରେ ୧୭ ପ୍ରକାର ଦସ୍ତାବିଜ୍ ଥାନାଗୁଡିକ ପ୍ରସ୍ତୁତ କରି ଲୋକମାନଙ୍କ ଦେଖିବା ପାଇଁ ରଖିଥିବା ଦରକାର । କିନ୍ତୁ ଯାଜପୁରରେ ବରି ଥାନା ବ୍ୟତୀତ ଅନ୍ୟ କେଉଁ ଥାନା ଏହା କରିନାହିଁ । ଜନସୂଚନା ଅଧିକାରୀଙ୍କ ନାମ ଫଳକ ମାତ୍ର ୨ଟି ଥାନାରେ ଅଛି । ଚଣ୍ଡିଖୋଲ ଟ୍ରାଫିକ୍ ଥାନାରେ ୨୧ କର୍ମଚାରୀ ପଦବୀ ଖାଲି ପଡିଛି । ସେହିପରି କାଳିଆପାଣି ଥାନାରେ ମଧ୍ୟ ୧୭ଟି ପଦ ଖାଲି ରହିଛି । ଟ୍ରାଫିକ୍ ଥାନା, ମଙ୍ଗଳପୁର, କଳିଙ୍ଗନଗରରେ ଆଦୌ ମହିଳା ପୁଲିସ୍ କର୍ମଚାରୀ ନାହାନ୍ତି । ସଂଗଠନ ପକ୍ଷରୁ ଗବେଷଣା ଅଧିକାରୀ ଡକ୍ଟର ପ୍ରଜ୍ଞାପରମିତା ଜେନା, ମାନବାଧିକାର କର୍ମୀ ଚନ୍ଦ୍ରନାଥ ଦାନି, ଅଖଣ୍ଡ, ସୂଚନା ଅଧିକାର କର୍ମୀ ପ୍ରକାଶ ସାମନ୍ତ ସିଂହାର ପ୍ରମୁଖ ଏହି ଆଲୋଚନା କରିଥିଲେ । ପ୍ରଶାନ୍ତ ପଣ୍ଡା ଓ ରଣଜିତ୍ ସୁତାର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page