ପ୍ରବାସୀ ଶ୍ରମିକଙ୍କ ସମସ୍ୟା : ଏକ ସାମାଜିକ ସଙ୍କଟ !

0

କରୋନା କଟକଣା ମଧ୍ୟରେ ଦେଶର କୋଣ ଅନୁକୋଣରେ ପ୍ରବାସୀ ଶ୍ରମିକ ମାନଙ୍କର ଯେଉଁ କରୁଣ ଚିତ୍ର ଦେଖିବାକୁ ମିଳିଲା ତାହା ଦେଶର କେବଳ ଆର୍ଥିକ ସଙ୍କଟକୁ ପଦାରେ ପକାଇ ନାହିଁ ବରଂ ଏକ ଭୟଙ୍କର ସାମାଜିକ ସଙ୍କଟକୁ ଆହ୍ବାନ କରିଛି। ୪୦ କୋଟି ପ୍ରବାସୀଙ୍କ ମଧ୍ୟରୁ ଅନ୍ୟୁନ ୨୦ କୋଟି କେବଳ ଶ୍ରମ ସନ୍ଧାନରେ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି।

କରୋନା ପୂର୍ବରୁ ସ୍ବାଧିନତାର ପରବର୍ତ୍ତୀ ଭାରତରେ ଆର୍ଥିକ ଅସମାନତାର ଚିତ୍ର ଦେଖିବାକୁ ଯାଇ ମୁକେଶ୍ ଅମ୍ବାନୀଙ୍କ ମୁମ୍ବାଇର ୨୭ ମହାଲା ବିଶିଷ୍ଠ ପ୍ରାସାଦ ଆଣ୍ଟିଲିଆ ଆଉ ଏହାର ଚତୁ ର୍ପ୍ବାର୍ଶରେ ଥିବା ଝୁମ୍ପୁଡି ବସ୍ତିକୁ ଦେଶବାସୀ ଦେଖିଛନ୍ତି। ଆଉ ଏବେ କରୋନାର କରାଳ ଚିତ୍ର ପୁନର୍ବାର ଏହି ଶ୍ରମିକ ମାନଙ୍କର ବାସ୍ତବ ଜୀବନକୁ ଲୋକ ଲୋଚନକୁ ଆଣିଛି।

ସ୍ପଳ୍ପ ବେତନ, ଅସଙ୍ଗତ ଜୀବନ ଶୈଳୀ, ଅସୁରକ୍ଷିତ ଭବିଷ୍ୟତ ମଧ୍ୟରେ ଗତି କରୁଥିବା ଦେଶର କୋଟି କୋଟି ପ୍ରବାସୀ ଶ୍ରମିକ ରୋଜଗାର ହରାଇଛନ୍ତି। କାମ କରୁଥିବା ଅନୁଷ୍ଠାନ ବନ୍ଦ ହେବା ଦ୍ବାରା ଦେଶ ଭିଷଣ ଆର୍ଥିକ ଦୁସ୍ଥିତିକୁ ସାମ୍ନା କରିଛି। ଏବେ ପ୍ରବାସୀମାନେ ଜନ୍ମମାଟିକୁ ଫେରିବା ରାସ୍ତାରେ। ଆଉ କିଛିଦିନ ମଧ୍ୟରେ ଶତକଡା ୯୦ ପ୍ରତିଶତ ଘରେ ପହଞ୍ଚି ଯାଇଥିବେ।

ହେଲେ ପ୍ରଶ୍ନ ଉଠୁଛି ଏମାନେ ଏବେ ସବୁ କରିବେ କ’ଣ ? ଜନ୍ମ ମାଟିରେ ମୁଲ ଲାଗିବା, ଶ୍ରମିକ ହୋଇ କାମ କରିବାକୁ ଅମଙ୍ଗ ହେବାରୁ ତ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୭୦ ଭାଗ ଶ୍ରମିକଙ୍କ ନିଜସ୍ବ ଖଣ୍ଡିଏବି ଚାଷ ଜମି ନାହିଁ। ପରିବର୍ତ୍ତିତ ଜଳବାୟୁ, କୃଷି କ୍ଷେତ୍ରରେ ଆୟଠାରୁ ବ୍ୟୟର ପରିମାଣ ଅଧିକ ହେବାରୁ ଏମାନେ କୃଷିରୁ ମୁହଁ ଫେରାଇ ନେଇଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କୁ ଜୀବିକା ଯୋଗାଇଦେବା ପାଇଁ ଏହା ମଧ୍ୟରେ ଅନେକ ଅର୍ଥ ବରାଦ କରିଛନ୍ତି। କିନ୍ତୁ ଏ ସବୁ ମଧ୍ୟରେ ସବୁଠାରୁ ଅଧିକ ଚିନ୍ତାଜନକ ଯେଉଁ ଚିତ୍ରଟି ସାମ୍ନାକୁ ଆସୁଛି ତାହା ହେଲା ପ୍ରବାସୀଙ୍କୁ ନେଇ ସାମାଜିକ ସଙ୍କଟ। ସମସ୍ତଙ୍କ ମୁହଁରେ ଏମାନଙ୍କୁ ନେଇ ନକରାତ୍ମକ ଚର୍ଚ୍ଚା। ଜନ୍ମ ମାଟିରୁ ଵାହାର ରାଜ୍ୟ ବା ଜିଲ୍ଲାକୁ କାମ କରିବାକୁ ଯାଇ ଏତେବଡ ଭୁଲ୍ କରି ଦେଇଛନ୍ତିଯେ କେହି ତାକୁ ପାଖରେ ପୁରାଉ ନାହାନ୍ତି।

ସାମାଜିକ ଦୁରତ୍ବ ନାଁରେ ସେ ଏବେ ସାମାଜିକ ବାସନ୍ଦ ପରି ଅନୁଭବ କରୁଛି ଏହି ଶ୍ରମିକଟି। ଯେଉଁଠି ରହି ପେଟ ପୋଷୁଥିଲା ସେଠିକି ଯିବା ରାସ୍ତା ପୁରା ବନ୍ଦ, ଆଉ ଏଠାରେବି କରିବା ପାଇଁ କିଛିବି ସୁଯୋଗ ନାହିଁ। ଆମ ରାଜ୍ୟରେ ଶିଳ୍ପର ସ୍ଥିତି ନକହିବା ଭଲ। ଗତକାଲି ସରକାର ଘୋଷଣା କରିଛନ୍ତି ଦୁଇଟି Industrial Park ନିର୍ମାଣ କରିବେ ହଜାର ହଜାର ପ୍ରବାସୀ ଶ୍ରମିକ ସେଥିରେ ନିଯୁକ୍ତି ପାଇବେ।

ଏମାନଙ୍କୁ ଆଉ ଘର ବା ଗାଁ ଛାଡି ବିଦେଶକୁ ଯିବାକୁ ପଡିବ ନାହିଁ। ଯଦି ଦେଖିବା ଓଡିଶାରୁ କେବଳ ଗୁଜୁରାଟର ସୁରଟରେ ୧୦ ଲକ୍ଷ ଓଡିଆ ସୁତାକଳରେ କାମ କରୁଛନ୍ତି। ଅନେକ କୁଶଳୀ ଶ୍ରମିକ ଓଡିଶାରୁ ଅଛନ୍ତି ଯାହାଙ୍କ ଉପରେ ମାଲିକର କାରଖାନା ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ଆଜି ଓଡିଶା ସ୍ବତନ୍ତ୍ର ପ୍ରଦେଶ ହେବାର ୭୪ ବର୍ଷ ଅତିକ୍ରମ କରି ସାରିଲାଣି ଅଥଚ ଆମେ ହାତକୁ କାମ ଯୋଗାଇ ପାରିଲେ ନାହିଁ।

ବିଜୁ ବାବୁଙ୍କ ସମୟରୁ ରାଜ୍ୟରେ ନିର୍ମାଣ ହୋଇଥିବା OTM ପରି ଅନେକ କାରଖାନାରେ ଏବେ ତାଲା ପଡିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବେ ସଙ୍କଟରେ। ଇସ୍ପାତ ଶିଳ୍ପରେ ଅଣ ଓଡିଆଙ୍କ ରାଜୁତି ଭୟଙ୍କର ଭାବରେ ବଢି ଚାଲିଛି ଆଉ ଏଭଳି ସମୟରେ ଆମେ ପୁଣି ନୂଆ ଶିଳ୍ପର ସ୍ଵପ୍ନ ଦେଖୁଛନ୍ତି। ଏ ଭିତରେ ପ୍ରବାସୀ ଶ୍ରମିକଟି ତାର ସାମାଜିକ ମର୍ଯ୍ୟଦାକୁ ହରାଇବାକୁ ଯାଉଛି।

ସମାଜରେ ଏକ ଘରକିଆ ମନେ କରୁଛି। ଏହା ଏବେ ଆଉ କେବଳ ଆର୍ଥିକ ସଙ୍କଟ ମଧ୍ୟରେ ସୀମିତ ନରହି ସାମାଜିକ ସଙ୍କଟରେ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ଏମାନଙ୍କୁ ଏ ସମସ୍ୟାରୁ ଯଥାଶିଘ୍ର ନମୁକୁଳାଇଲେ ଆଗାମୀ ଦିନରେ ଏହା ଏକ ଜଟିଳ ସ୍ଥିତି ସୃଷ୍ଠି କରିବ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page