ଲୋକଙ୍କ ସମସ୍ୟା ନେଇ 5-ଟି ସଚିବଙ୍କୁ ଭେଟିବ ବିଜେପି

0

ବିଂଝାରପୁର (ସଂକେତ ଖବର ) ଆସନ୍ତା 31 ତାରିଖରେ 5ଟି ସଚିବ ଭିକେ ପାଣ୍ଡିଆନ ବିଂଝାରପୁର ବ୍ଲକ ଗସ୍ତରେ ଆସି ବରୁଣେଶ୍ୱର ପଡିଆଠାରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯୋଗ ଗ୍ରହଣ କରିବେ । ଏ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ 5-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଭେଟିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି । ବିଜେପିର ଅଭିଯୋଗ ଅନୁଯାୟୀ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲା ବେଳେ ବିଂଝାରପୁର ବ୍ଲକର 80 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ମୌସୁମୀର ଲୁଚକାଳି ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନି । ଚାଷୀଙ୍କ କ୍ଷେତକୁ ପାଣି ନାହିଁ ଯାହାଫଳରେ ଚାଷୀ ଚାଷ କାର୍ଯ୍ୟ କରିପାରୁନି । ବିଂଝାରପୁର ବ୍ଲକର 14 ପଞ୍ଚାୟତର ଚାଷୀଙ୍କ ଏକମାତ୍ର ବିକଳ୍ପ ଖରସ୍ରୋତା ନଦୀ । ଖରସ୍ରୋତା ନଦୀରୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପାଣି ଉଠାଇ ଚାଷରେ ଲଗାଇବାକୁ ଜର୍ମାନ ସରକାରଙ୍କ ସହାୟତାରେ 17 ଟି ପ୍ରକଳ୍ପ ଓ କେଏଫଡବ୍ଲୁ ଯୋଜନାରେ 6ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ନିର୍ମାଣ ହେବାସହ ରକ୍ଷଣା ବେକ୍ଷଣା ପାଇଁ ପାଣି ପଞ୍ଚାୟତ ଗଠନ କରାଯାଇଥିଲା । ଯାହାକି ସଂପୂର୍ଣ୍ଣ ବନ୍ଦ ହୋଇ ପଡିଛି । ମାତ୍ର କାଗଜପତ୍ରରେ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ଥିବା ଦର୍ଶାଇ ପ୍ରତିବର୍ଷ କୋଟିକୋଟି ଟଙ୍କା ଆତ୍ମସାତ କରାଯାଉଛି । 7 ଦିନ ମଧ୍ୟରେ ପାଣି ପଞ୍ଚାୟତ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରି ଚାଷୀଙ୍କ କ୍ଷେତକୁ ପାଣି ଦିଆଯାଉ ଏବଂ ପରେ ଅନ୍ୟ ଯୋଜନା ଘୋଷଣା କରିବ ବୋଲି ବିଜେପି ଦାବିପତ୍ରରେ ଉଲ୍ଲେଖ କରିଛି। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି । ତଦନ୍ତ କରାଯାଇ ପ୍ରକୃତ ଯୋଗ୍ୟଙ୍କୁ ଆବାସ ଦିଆଯାଉ । ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା 8ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ । ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପାଇଁ ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ଖୋଲାଯାଉ । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ବୃତ୍ତିଗତ ଆଧାରରେ ତାଲିମ୍ କେନ୍ଦ୍ର ଖୋଲିବାକୁ ବିଜେପି ନେତ୍ରୀ ଶ୍ରୀମତୀ ମଲ୍ଲିକ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା, ଶିବପ୍ରସାଦ ଧଳ, ବାସୁଦେବ ସାମଲ, ଗୋପାଳ ଚନ୍ଦ୍ର ପ୍ରଧାନ, ନିରଞ୍ଜନ ବେଉରିଆ ପ୍ରମୁଖ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *

You cannot copy content of this page