ହସ୍ତଶିଳ୍ପ ସଚିବ ଶ୍ରୀମତି ଶୁଭା ଶର୍ମାଙ୍କ ସହ ଓଡିଶା ଶିଳ୍ପୀ ମହାସଂଘର ଆଲୋଚନା।
![](https://www.sanketkhabar.com/wp-content/uploads/2021/04/FB_IMG_1619086947778-1024x768.jpg)
ଭୁବନେଶ୍ୱର(ସଙ୍କେତ ଖବର) ଭୁବନେଶ୍ୱରର ଗଣ୍ଡମୁଣ୍ଡା ସ୍ଥିତ ରାଜ୍ୟ ହସ୍ତକଳା ବିକାଶ ଅନୁଷ୍ଠାନ, ସିଡାକ ପରିସରରେ ଓଡିଶା ଶିଳ୍ପୀ ମହାସଂଘର ସଭାପତି ଶ୍ରୀ ଉଦୟ ମହାନ୍ତି ଓ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଶ୍ରୀମତି ଶୁଭା ଶର୍ମା ପରସ୍ପରକୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଉଭୟ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଥିଲେ । ମହାସଂଘ ସଭାପତି ଶ୍ରୀ ମହାନ୍ତି ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ଜୀବନ ବୀମା, ସ୍ୱାସ୍ଥ୍ୟ ବୀମାର ପ୍ରଚଳନ, ହଠାତ ଦେହାନ୍ତ ଘଟୁଥିବା କାରିଗରଙ୍କ ପାଇଁ କାରିଗର କଲ୍ୟାଣ ପାଣ୍ଠି ବ୍ୟବସ୍ଥା, ମାର୍କେଟିଂ ସୁବିଧା, ଜାତୀୟ ରାଜପଥ କଡରେ ଥିବା ଯାଜପୁର ଜିଲ୍ଲାର ବୟନ ଗ୍ରାମ ଗୋପାଳପୁର ନିକଟରେ କାରିଗର ହାଟର ବ୍ୟବସ୍ଥା, ଗତ ଅଗଷ୍ଟ ମାସ ବନ୍ୟାରେ କ୍ଷତିଗ୍ରସ୍ତ ବୁଣାକାରଙ୍କୁ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ, ପଥର ଶିଳ୍ପୀଙ୍କ ପାଇଁ କଂଚାମାଲ ବ୍ୟବସ୍ଥା, ଚାଲିଥିବା ହସ୍ତଶିଳ୍ପୀ ସର୍ଭେରେ ରାଜ୍ୟ ବାହାରେ କାମ କରୁଥିବା ଶିଳ୍ପୀଙ୍କୁ ସାମିଲ ଆଦି ସଂପର୍କରେ ଅନୁରୋଧ କରିଥିଲେ ।
ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମା ଅନୁସାରେ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ (କଳାକାରଙ୍କ ଭଳି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ) ଯଥାଶୀଘ୍ର ମାସିକ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ଓ ଓଡିଶା ଶିଳ୍ପୀ ମହାସଂଘର ମାନସପୁତ୍ର ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସଭାପତି ଉଦୟ ମହାନ୍ତି ସଚିବ ଶ୍ରୀମତି ଶର୍ମାଙ୍କୁ ଅନୁରୋଧ କରିଥିଲେ । ଏହି ସାକ୍ଷାତକାର ସମୟରେ ସଭାପତିଙ୍କ ଅନୁରୋଧ କ୍ରମେ ପ୍ରତିମାସ ଓଡିଶା ଶିଳ୍ପୀ ମହାସଂଘର ପ୍ରତିନିଧୀଙ୍କ ସହ କାରିଗରଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାକୁ ସଚିବ ତଥା କମିଶନର ଶ୍ରୀମତି ଶୁଭା ଶର୍ମା ସହମତି ଜଣାଇଥିଲେ । ଏହି ଆଲୋଚନା ମସୟରେ ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ଉପସ୍ଥିତ ରହି ସଚିବ ଶ୍ରୀମତି ଶର୍ମାଙ୍କୁ ଶିଳ୍ପୀ ମହାସଂଘର ଉଦ୍ୟମ କ୍ରମେ ବାଲେଶ୍ୱର ଜିଲ୍ଲା ବଉଳଗଡିଆଠାରେ ପଥର କାରିଗରଙ୍କ ପାଇଁ ପ୍ରାୟ ସାଢେ ତିନିକୋଟି ଟଙ୍କା ବ୍ୟୟରେ ନିର୍ମିତ କମନ ଫାସିଲିଟି ସେଂଟର ସଂପର୍କରେ ଅବଗତ କରାଇଥିଲେ । ଯାହାକୁ ଶ୍ରୀମତି ଶର୍ମା ପ୍ରଶଂସା କରିବା ସହ ବଉଳଗଡିଆ ବୁଲିଆସିବେ ବୋଲି ପ୍ରତିଶୃତି ଦେଇଥିଲେ । ଓଡିଶା ଶିଳ୍ପୀ ମହାସଂଘର ଦୀର୍ଘଦିନର ଦାବୀ ରାଜ୍ୟ ହସ୍ତଶିଳ୍ପୀଙ୍କ ଗଣନା ସହ ଏମଏସଏମଇରୁ ଅଲଗା କରି ରାଜ୍ୟ ହସ୍ତଶିଳ୍ପୀଙ୍କ ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ନୂତନ କ୍ୟାଡର ଏବଂ ନୂତନ ୫୫୨ ପଦବୀ ସୃଷ୍ଟି କରିବାରେ ସଚିବ ଶ୍ରୀମତି ଶୁଭା ଶର୍ମାଙ୍କ ଉଦ୍ୟମକୁ ସଭାପତି ଶ୍ରୀ ଉଦୟ ମହାନ୍ତି ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଶ୍ରୀ ମହାନ୍ତି ସଚିବଙ୍କୁ ଫୁଲଗଛ ଓ ଉତରିୟ ପ୍ରଦାନ କରି ସମ୍ମାନିତ କରିଥିଲେ । ସର୍ବଶେଷରେ ଶ୍ରୀ ଉଦୟ ମହାନ୍ତି ସଚିବ ଶୁଭା ଶର୍ମାଙ୍କୁ ଦୀର୍ଘ ୪ବର୍ଷ ପରେ ଆଲୋଚନା ପାଇଁ ସମୟ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ । ସୂଚନା ଥାଉକି, ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସନାତନ ନାୟକଙ୍କ ଉଦ୍ୟମ କ୍ରମେ ଏହି ଆଲୋଚନା ବୈଠକର ଆୟୋଜନ କରାଯାଇଥିଲା । ସେଥିପାଇଁ ଶ୍ରୀ ସନାତନ ନାୟକଙ୍କୁ ମଧ୍ୟ ଶିଳ୍ପୀ ମହାସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଉଛି ।