କଣ୍ଟପଡା ଠାରେ ହୋଇଥିବା ଘାଇ ମନୁଷ୍ୟକୃତ : ଗୌତମ ରାୟ

0

ଯାଜପୁର (ସଙ୍କେତ ଖବର): ସାମୁଦ୍ରିକ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ କରିବା ସମୟରେ ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ହୋଇଛି । ଯାହାକୁ ଜିଲ୍ଲା ଭାଜପା ସଭାପତି ଗୌତମ ରାୟ ପରିଦର୍ଶନ କରି କହିଛନ୍ତି, ଗୋଟିଏ ଜାଗାରେ ପ୍ରତିଥର ଘାଇ ହେଉଛି କ’ଣ ପାଇଁ । ଘାଇ ପୂର୍ବ ଭଳି ମନୁଷ୍ୟକୃତ ବୋଲି ଅଭିଯୋଗ ହୋଇଛି । ସାଧାରଣ ଲୋକଙ୍କ ପାଇଁ ସୃଷ୍ଟି କରାଯାଉଥିବା ଘାଇ ସର୍ବନାଶ ଘଟାଉଥିବା ବେଳେ ଆଉ କେତେକଙ୍କ ପାଇଁଏହି ଘାଇ ପୁଷମାସ ହୋଇଛି ବୋଲି ବନ୍ୟାଞ୍ଚଳ ଓ ଘାଇ ପରିଦର୍ଶନ କରିଫେରିବା ପରେ ଜିଲ୍ଲା ଭାଜପା ସଭାପତି ଗୌତମରାୟ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । କଣ୍ଟପଡା ଠାରେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଘାଇକୁ ମନୁଷ୍ୟକୃତ ବୋଲି ଅଭିଯୋଗ କରିବା ସହିତ ସ୍ଥାନୀୟ ଜନସାଧାରଣ ଏହି ଘଟଣାକୁ ଆଉ କେତେଦିନ ସହ୍ୟ କରିବେବୋଲି ପ୍ରକାଶ କରିଛନ୍ତି ।
ଗତ ବର୍ଷ ଏଠାରେ ଘାଇ ସୃଷ୍ଟି କରାଯାଇଥିଲା । ଜଳସମ୍ପଦ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାର ମରାମତି ହେଲା । ମାତ୍ର ମାସ କେଇଟା ଯାଇନି, ସାମାନ୍ୟ ବନ୍ୟାରେ ସେହି ସମାନ ଜାଗାରେ ପୁଣି ଘାଇ ହେଲା । କଣ୍ଟପଡା ଘାଇ ମରାମତି କରି ଜଳ ସମ୍ପଦ ବିଭାଗ କେବଳ କିଛି ଅସାଧୁ ଠିକାଦାର ଓ ରାଜନେତାଙ୍କ ହାତ ଚିକ୍କଣ କରୁଛି ।ଏହି ସ୍ଥାନଟି ଡ୍ରେନେଜ୍ ବିଭାଗ ଅଧିନରେ ଥିବା କୁହାଯାଉଥିବା ବେଳେ ଜଳସମ୍ପଦ ବିଭାଗ କ’ଣ ପାଇଁ ପ୍ରତି ବର୍ଷ ଘାଇ ମରାମତ କରୁଛି ।ସେହିପରି ଗତ ବନ୍ୟାରେ ସୃଷ୍ଟି ଘାଇ ମରାମତି ପାଇଁ ବ୍ୟବହୃତ ବାଉଁଶ ଓ ବହ୍ଲାକୁ ବନ୍ୟା ପୂର୍ବରୁ କିଏ ଓ କ’ଣ ପାଇଁ ଖୋଲି ନେଲା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀରାୟ ଦାବି କରିବା ସହିତ କାଣୀ ନଦୀ ଦିନକୁ ଦିନ ସଙ୍କୁଚିତ ହେଉଥିବା ବେଳେ ସଫେଇ ନାମରେ ଅଳ୍ପ କିଛି ମାଟି ଖୋଳି ବିଭାଗ କେବଳ ଠିକଦାର ପୋଷଣ କରୁଥିବା ଶ୍ରୀରାୟ ଅଭିଯୋଗ କରିଛନ୍ତି ।
ସେହିପରି ସବୁଥର ଭଳି ସରକାରୀ ସହାୟତା ଦଳୀୟ ଭିତ୍ତିରେ ବଣ୍ଟନ କରାନଯାଇ ଯୋଗ୍ୟ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ସହିତ ଚାରଣ ଭୂମି ଜଳମଗ୍ନ ଥିବାରୁ ଗୃହ ପାଳିତ ପଶୁଙ୍କ ନିମନ୍ତେ ପ୍ରଶାସନ ଗୋଖାଦ୍ୟର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହି ବନ୍ୟା ଗସ୍ତରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସୁବାସ ଚନ୍ଦ୍ର ମହାନ୍ତି, ଟୁଟୁ ରାୟ, ସତ୍ୟଜିତ ସାମଲ, ଆଶୁତୋଷ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page