ନକଲି ବିଦେଶୀ ମଦ କାରଖାନା ଠାବ, ବିପୁଳ ପରିମାଣର ପ୍ୟାକିଂ ସାମଗ୍ରୀ ଜବତ

0

Composition with bottles of assorted alcoholic beverages.

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଏବଂ ମଦ ବୋତଲ ପ୍ୟାକିଂ ସାମଗ୍ରୀ ବ୍ୟବସାୟ ଚାଲିଥିଲା। ହେଲେ ଏହାର ଟେର ପାଇ ପାରି ନଥିଲା ଅନୁଗୁଳ ଅବକାରୀ ବିଭାଗ। କିନ୍ତୁ ଆଜି କଟକ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦ ବୋତଲର ଠିପି, ଲେବଲ ଓ ଏକ୍ସସାଇଜ ଆଢେସିଭ ଲେବଲ ଜବତ କରିଛି।

ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ଅଞ୍ଚଳର ଶ୍ରୀକ୍ରିଷ୍ଣା ଲଜ୍‌ ପାଖ ଗଳିରେ ଜୟପ୍ରକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ଭଡ଼ାଘରେ ଦୀର୍ଘ ୫ ବର୍ଷ ହେଲା ରହି ଆସୁଥିଲେ। ଏହି ଭଡ଼ା ଘରେ ରହି ସେ ନକଲି ମଦ ସାମଗ୍ରୀ ବ୍ୟବସାୟ ଚଳାଇଥିଲେ ମଧ୍ୟ ଅନୁଗୁଳ ଅବକାରୀ ବିଭାଗ ଏହାର ଆଦୌ ଟେର ପାଇନଥିଲା। କେବଳ ଅବକାରୀ ବିଭାଗ ନୁହଁ, ବରଂ ରାଣୀଗୋଡ଼ା ଅଞ୍ଚଳବାସୀ, ଘର ମାଲିକ କି ପଡ଼ୋଶୀମାନେ ଏହାର ସ୍ବରଶବ୍ଦ ମଧ୍ୟ ପାଇ ନଥିଲେ। ଏହି ଭଡ଼ା ଘରେ ଜୟ ପ୍ରକାଶ ଗୁପ୍ତାଙ୍କ ସହିତ ତାଙ୍କ ଶାଶୁ ଶ୍ବଶୁର, ସ୍ତ୍ରୀ ଓ ପୁଅ ରହୁଥିଲେ। ଯଦି କେହି ପଡ଼ୋଶୀ କିମ୍ବା ଘର ମାଲିକ ସେମାନଙ୍କୁ କିଛି ପଚାରନ୍ତି ତେବେ ସେମାନେ ଉତ୍ତର ଦେଇ ଆସୁଥିଲେ ଯେ ସ୍ପେୟାର ପାର୍ଟ୍ସ ବେପାର କରୁଛନ୍ତି। କୋଲକତାରୁ ଏକ ବସ୍‌ରେ ଏହି ବିଦେଶୀ ମଦ ବୋତଲର ଠିପି, ଲେବଲ ଓ ଏକ୍ସସାଇଜ ଆଢେସିଭ ଲେବଲ୍‌ ସାମଗ୍ରୀ ଆସୁଥିଲା। ଅବକାରୀ କମିସନର ବିଶେଷ ସୂତ୍ରରୁ ଖବର ପାଇ ଏହି ବସ୍‌କୁ ବାଲେଶ୍ୱରରେ ଧରିଥିଲେ। ଏହାକୁ ଲିଙ୍କ କରିବା ପରେ ଅବକାରୀ କମିସନର ଆଶିଷ କୁମାର ସିଂହ କଟକ ଫ୍ଲାଇଂ ସ୍କ୍ବାଡ୍‌କୁ ଏହାର ଦାୟିତ୍ବ ଦେଇଥିଲେ।

କମିସନରଙ୍କ ନିର୍ଦ୍ଦେଶକ୍ରମେ କଟକ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ବସ୍‌କୁ ଅନୁସରଣ କରିଥିଲେ। ବସ୍‌ରେ ଆସିଥିବା ବିଦେଶୀ ମଦ ବୋତଲର ଠିପି, ଲେବଲ୍‌ ଓ ଏକ୍ସସାଇଜ୍‌ ଆଢେସିଭ ଲେବଲ ପ୍ୟାକେଟ୍‌ଗୁଡ଼ିକ ରାଣୀଗୋଡ଼ାର ଜୟପ୍ରକାଶ ରହୁଥିବା ଭଡା ଘରକୁ ଆସିଥିଲା। ଏହାକୁ ଅନୁଧ୍ୟାନ କରିବା ପରେ ଅନୁଗୁଳ ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଉକ୍ତ ଭଡ଼ା ଘରୁ ଶହ ଶହ ବସ୍ତା ଠିପି, ବହୁ ପରିମାଣର ଲେବଲ ଓ ଏକ୍ସସାଇଜ ଆଡ଼େସିଭ ଲେବଲ ଜବତ କରିଥିଲେ। ଏହି ନକଲି ଲେବଲରେ ବାର କୋଡ଼ ସହ ସରକାରୀ ସପ୍ଲାଇ ହେଉଥିବା ଏକ୍ସସାଇଜ ଆଢେସିଭ ଲେବଲ ମଧ୍ୟ ପାଇଥିଲେ।ତେବେ ଚଢଉ ପରେ ଜବତ ସାମଗ୍ରୀର ଆକଳନ ଅବକାରୀ ବିଭାଗ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜୟ ପ୍ରକାଶ ଗୁପ୍ତା ଓ ତାଙ୍କ ପରିବାର ଫେରାର ହୋଇ ଯାଇଥିଲେ। ଅନ୍ୟପକ୍ଷରେ ଜୟପ୍ରକାଶ ଗୁପ୍ତାଙ୍କ ରହୁଥିବା ଘରୁ ଆଜି ଫେରାର ହେବା ପଛରେ ଅନୁଗୁଳ ଅବକାରୀ ବିଭାଗର କିଛି କର୍ମଚାରୀ ଆଗୁଆ ସୂଚନା ଦେଇଥିବା ସ୍ଥାନୀୟ ଅଞ୍ଚଳର ତଥା ବିଭାଗର କର୍ମଚାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page