ଦୂତୀ ସରସ୍ୱତୀ ବିବାଦ ର ଅନ୍ତ କେବେ?

0

କୌଣସି କାରଣରୁ ଗତକାଲି ଅପରାହ୍ନରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ଦୌଡରାଣୀ ଦୁତୀଚାନ୍ଦ ଏବଂ ତାଙ୍କ ବଡ ଭଉଣୀ ସରସ୍ବତୀ ଚାନ୍ଦଙ୍କ ମଧ୍ୟରେ ଏକ ବିବାଦୀୟ ଘଟଣାକୁ ନେଇ କାର୍ଯ୍ୟକ୍ରମ ନଜରକୁ ଆସିଲା। ଇଚ୍ଛା ନଥିଲେବି ଘଟଣା ପଛର ରହସ୍ୟ ଜାଣିବାକୁ କିଛି ସମୟ ସେହି ଆରୋପ ପ୍ରତ୍ୟାରୋପ ଶୁଣିବା ପାଇଁ ଅଟକିଗଲି ହେଲେ, ଏକଥା ଶୁଣି ଯେତିକି ଦୁଃଖ ଲାଗିଲା ତା’ଠାରୁ ବେଶି ଲାଜରେ ମୁଣ୍ଡ ନଇଁଗଲା। ଅବଶ୍ୟ ଏଭଳି ଭାବନା ଆସିବା ସ୍ବାଭାବିକ୍ କାରଣ ଦୁତୀ ଆମ ଗାଁ ଝିଅ।ପିଲାଟି ଦିନରୁ ସେମାନଙ୍କୁ ଆମେ ଦେଖିଛୁ। ଦାରିଦ୍ର୍ୟକୁ ବହୁତ ପାଖରୁ ଦେଖିଥିବା କଥା ଦୁତି ତାଙ୍କ ନିଜ ମୁହଁରେ ଅନେକ ଥର କହି ସାରିଛନ୍ତି। ପାଦରେ ଯୋତା ନଥାଇ ବ୍ରାହ୍ମଣୀ ନଦୀ ପଠାରେ ଦୌଡିବାର କଥା ସମସ୍ତେ ଦୁତିଙ୍କ ମୁହଁରୁ ଶୁଣିଛନ୍ତି। ଧର୍ମଶାଳା ନିର୍ବଚନ ମଣ୍ଡଳୀ ଅନ୍ତର୍ଗତ ରସଲପୁର ବ୍ଲକର ଜାତୀୟ ରାଜପଥ କଡରେ ଛୋଟିଆ ଗାଁଟିଏ ହେଉଛି ଗୋପାଳପୁର ଯେଉଁଠି ଏହି ବିଶ୍ବବିଖ୍ୟାତ ଆଥଲେଙ୍କ ଜନ୍ମ। ମୋର ମନେପଡୁଛି ୨୦ ବର୍ଷ ତଳେ ଆମ ଅଞ୍ଚଳରେ କବାଡି ଖେଳର ଅନ୍ତୁଡିଶାଳ କୁହା ଯାଉଥିବା ଖଣ୍ଡିତରରେ ଏହି ଦୁଇ ଭଉଣୀଙ୍କୁ ।ଦୁତିଙ୍କ ଆଗରୁ ଆମ ଅଞ୍ଚଳରେ ପ୍ରଥମେ ପରିଚିତ ହେଲେ ସରସ୍ବତୀ। ଶାରୀରିକ ପରିଶ୍ରମ ସାଙ୍ଗକୁ ମାଇଲ୍ ମାଇଲ୍ ଦୌଡିବାର ନିଶା ତାଙ୍କୁ ଖୁବ୍ କମ୍ ଦିନ ମଧ୍ୟରେ ଲୋକପ୍ରିୟ କରିଦେଲା। ଖଣ୍ଡିତର କବାଡି ପ୍ରତିଷ୍ଠାନ ସରସ୍ବତୀଙ୍କ ପରି ଅନେକଙ୍କୁ ଆଜି ସମାଜରେ ପରିଚୟ ଦେଇଛି। ଦେଖାଗଲା ଧିରେଧିରେ ସରସ୍ବତୀଙ୍କ ଦ୍ବାରା ପ୍ରେରଣା ପାଇ ସାନ ଭଉଣୀ ଦୁତି ମଧ୍ୟ ଦୌଡିବା ଆରମ୍ଭ କଲେ। ଦୁତିଙ୍କ ପ୍ରାରମ୍ଭିକ ଗୁରୁଭାବେ ବଡ ଭଉଣୀ ସରସ୍ବତୀ ସମସ୍ତ କଥା ବୁଝିବା ଆରମ୍ଭ କଲେ।ଦାରିଦ୍ର୍ୟର କବଳରୁ ଧିରେଧିରେ ମୁକ୍ତିପାଇଲା ଏହି ପରିବାରଟି। ଲୁଗା ବୁଣି ପେଟ ପୋଷୁଥିବା ଏହି ପରିବାରର ବୋଝ ସେତବେଳେ ହାଲକା ହେବା ଆରମ୍ଭ କଲା ଯେତବେଳେ ଦୁତି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନାମ କରିବା ଆରମ୍ଭ କଲେ। ଅଲମ୍ପିକ ପରି ସମ୍ମାନଜନକ କ୍ରୀଡାରେ ଦୁତି ଅଂଶଗ୍ରହଣ କରି ସାରା ଯାଜପୁର କାହିଁକି ସମଗ୍ର ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କଲେ। ଯେଉଁ ପରିବାର ଦିନେ ଆର୍ଥିକ ଯନ୍ତ୍ରଣାରେ ଛଟପଟ ହେଉଥିଲା, ପେଟ ପୋଷିବା ପାଇଁ ପର ପାଖରେ ହାତ ପାତିବାକୁ ପଡୁଥିଲା ସେହି ପରିବାର ଏବେ ସ୍ବଚ୍ଛଳ ହୋଇ ଠିଆ ହୋଇଛି।ପକ୍କା ଘର ସହ ସମସ୍ତ ଆସବାପତ୍ର ଘରେ ଭର୍ତ୍ତି ହୋଇଛି। ହେଲେ ସବୁ ମଧ୍ୟରେ ଯେଉଁ ମୂଳ ପୁଞ୍ଜିକୁ ଆଧାରକରି ଏ ପରିବାର ଆଜି ପ୍ରତିଷ୍ଠା ଯଶ ପାଇଛି ତାହା ଆଜି ସମ୍ପୂର୍ଣ୍ଣ ନଷ୍ଠ ହେବାକୁ ବସିଛି। ଯେଉଁ ବଡ ଭଉଣୀ ବାପ ମାଙ୍କ ଠାରୁ ଅଧିକ ସ୍ନେହ ଶ୍ରଦ୍ଧା ଆଉ ଭଲପାଇବା ଦେଇ ଦୁତିଙ୍କୁ ମଣିଷ କରିଥିଲା ସେ ଆଜି ସର୍ବ ସମ୍ମୁଖରେ ଦୁତିଙ୍କୁ ଅସମ୍ମାନ କରୁଛି। କାରଣ କ’ଣ ବି ହୋଇପାରେ ହେଲେ ଏହି ଘଟଣା ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି। ସର୍ବସାଧାରଣରେ ଯୁକ୍ତିତର୍କ ଏପରିକି ଗୋହି ଖୋଳାଖୋଳି ହେବାର ଦେଖିବାକୁ ମିଳୁଛି।ନାମ ଯଶ ପ୍ରତିଷ୍ଠା ହୁଏତ ମଣିଷକୁ କିଛି ସମୟ ପାଇଁ ସୁଖ ଶାନ୍ତି ଆନନ୍ଦ ଆଣି ଦେଇପାରେ ହେଲେ ପାରିବାରିକ ସମ୍ପର୍କରେ ଯେଉଁ ଫାଙ୍କ ସୃଷ୍ଠି ହେଉଛି ତାର ସର୍ବଦା ଅପୁରଣୀୟ। ଘର ଥାଇକି ବିବାଦ ଅଛି ହେଲେ ତାହା ପଦାରେ ଚର୍ଚ୍ଚା ପାଇଁ ସୁଯୋଗ ଦେବା ବୁଦ୍ଧିମାନର ପରିଚୟ ନୁହେଁ। ବାକି ରହିଲା ନିଜ ନିଜର ଜୀବନକୁ ନେଇ ନିଷ୍ପତ୍ତିର କଥା। ବର୍ଷକ ତଳେ ଦୁତିଙ୍କ ବିରୁଦ୍ଧରେ ବଡ ଭଉଣୀ ସରସ୍ୱତୀ ବିଭିନ୍ନ ଅଭିଯୋଗ ଆଣିବା ପରେ ନିଜେ ଦୁତି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ଗୋଟିଏ ଝିଅସହ ସମଲିଙ୍ଗୀ ସମ୍ପର୍କ ବିଷୟରେ ଜଣାଇଥିଲେ।ଏତେବଡ ଆଥଲେଟଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ସେତବେଳେ ସାରା ଦେଶ କାହିଁକି ବିଦେଶରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଆଉ ଗତକାଲି ଠିକ୍ ବର୍ଷକ ତଳେ ପୁନର୍ବାର ଏକଥା ପଦାକୁ ଆସିଛି। ଏଥର ଦୁତି ଆଉ ସରସ୍ବତୀଙ୍କ ମଧ୍ୟରେ ମୁହାଁମୁହିଁ ବିବାଦ ଦେଖିବାକୁ ମିଳିଛି। ଦୁତିଙ୍କ କହିବାନୁସାରେ ତାଙ୍କ ବଡ ଭଉଣୀ ସରସ୍ବତୀ ତାଙ୍କୁ ଆର୍ଥିକ ଓ ମାନସିକ ସ୍ଥରରେ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଯେଉଁ ସମଲିଙ୍ଗୀ ସମ୍ପର୍କକୁ ନେଇ ବର୍ଷକ ତଳେ ସରସ୍ୱତୀ ଦୁତିଙ୍କୁ ବିରୋଧ କରୁଥିଲେ ଦୁତିଙ୍କ କହିବାନୁସାରେ ଏବେ ସ୍ବୟଂ ସରସ୍ବତୀ ମଧ୍ୟ ଆସାମର ଜଣେ ଝିଅ ସହ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି।ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ସତ ଆଉ କିଏ ମିଛ କହୁଛି ତାହା ଜାଣିବା କଷ୍ଟକର। ମୋଟାମୋଟି ଘରର କଳି ଘରେ ସମାଧାନ ହେବା ଉଚ୍ଚିତ ଥିଲା ଅଥଚ ଏହା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ମଣିଷର ସବୁଠାରୁ ବଡ ସମ୍ବଳ ତାର ପଦ ମର୍ଯ୍ୟଦା ସାମାଜିକ ସମ୍ମାନ ତାହା ଏଥିରେ କେତେ ଭାବରେ ନଷ୍ଟ ହେଉଛି ତାହା ଉଭୟ ଦୁଇ ଭଉଣୀ ଚିନ୍ତା କରିବା ଦରକାର। ସରସ୍ବତୀ ମଧ୍ୟ ଓଡିଶା ପୋଲିସର ଜଣେ କର୍ମଚାରୀ ଆଉ ଦୁତି ଆମ ରାଜ୍ୟ ତଥା ଦେଶର ଗର୍ବ। ଏଭଳି ଘର କଳିକୁ ନେଇ ବାହାରେ ଚର୍ଚ୍ଚା ତାହାପୁଣି ଟେଲିଭିଜନର ବିତର୍କରେ ଶୁଣିଲା ବେଳକୁ ଖୁବ୍ ଅଡୁଆ ଲାଗୁଛି।ଦୁତି ଆଉ ତାଙ୍କ ଭଉଣୀ ମନେ ରଖିବା ଦରକାର ସମୟ ଆସିବ ଏ ସମସ୍ୟାର ସମାଧାନ ହୋଇଯିବ ହେଲେ ସର୍ବସାଧାରଣରେ ଖୋଲାଖୋଲି ଯେଉଁ ଟିକ୍କା ଟିପ୍ପଣୀ ପରସ୍ପରକୁ ଦେଇ ଚାଲିଛନ୍ତି, ତାହା କିନ୍ତୁ ସାରା ଜୀବନ ରହିଯିବ। ରକ୍ତର ସମ୍ପର୍କ ସହ ଏମିତି ଶତ୍ରୁତା ଆଦୌ ଶୋଭନୀୟ ନୁହେଁ। ଏ ସମସ୍ତ କଥା କହିବା ପଛରେ ଯୁକ୍ତି ହେଲା ଦୁତି ଆଉ ସରସ୍ବତୀ ଆମ ଗାଁ ଆମ ଜିଲ୍ଲାର ପରିଚୟ। ରାତି ପାହିଲେ ହୁଏତ ଦୁତି କ୍ରୀଡାରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇ ପାରନ୍ତି କିନ୍ତୁ ଏଭଳି ସମୟରେ ଏହି ପାରିବାରିକ ବିବାଦ ଦୁତିଙ୍କ ସମେତ ସାରା ଜିଲ୍ଲାକୁ ଲଜ୍ଜିତ କରିଛି।ଘର କଳି ଗୋଟିଏ ମିନଟରେ ସମାଧାନ ହୋଇଯିବ ହେଲେ ସେଥିପାଇଁ କାହାକୁ ନା କାହାକୁ ଜଣକୁ ନିରବ ରହିବାକୁ ପଡିବ, ସହିବାକୁ ପଡିବ, ଅହଂକାରକୁ ଦୁରେଇ ଦେଇ ରକ୍ତ ସମ୍ପର୍କର ଗରଜରେ ନିଜ ମନକୁ ବୁଝେଇ ଦେବାକୁ ପଡିବ। ଦିନେ ଏହି ଲେଖକ ଦୁତିଙ୍କ ବିଷୟରେ (ଦୁତି ନୁହେଁ ସେ ଆମ ମୋତି) ଏଭଳି ଶିର୍ଷକ ଲେଖି ପାରୁଥିଲା ସେ ଆଜି ଏଭଳି କଡ୍ଡା ଟିପ୍ପଣୀ ଦେବାକୁ ବାଧ୍ୟ ହେଉଛି। ଜଣେ ଭଲ ମଣିଷ ସହ ଭଲ ଖେଳାଳୀ ହେବା ବହୁତ କଷ୍ଟ ଆଉ ଯିଏ ହୋଇପାରିଲା ସେ ସବୁଦିନ ପାଇଁ ଅମର ହୋଇଯାଏ।ବିଶ୍ବଵିଖ୍ୟାତ କ୍ରିକେଟର ସଚିନ ତେନ୍ଦୁଲକର ଆଜି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇ ପାରିଛନ୍ତି କେବଳ ତାଙ୍କର ଖେଳିବାର ଦକ୍ଷତା ପାଇଁ ନୁହେଁ ବରଂ ତାଙ୍କର ମଣିଷପଣିଆ ପାଇଁ। ଆଶା ଏ ବିବାଦର ଅନ୍ତ ଘଟୁ, ଦୁତି ଏ ସମସ୍ୟାରୁ ଉର୍ଦ୍ଧକୁ ଯାଇ ଦେଶପାଇଁ ଗୌରବ ଆଣିବା ଉପରେ ଧ୍ୟାନ ଦିଅନ୍ତୁ। ଶେଷରେ ସରସ୍ୱତୀଙ୍କୁ ଅନୁରୋଧ ରହିବ ସାନ ଭଉଣୀର ସବୁ ଦୋଷ ତୃଟିକୁ କ୍ଷମାକରି ତାକୁ ସଫଳତାର ରାସ୍ତାରେ ଆଗକୁ ଯିବାକୁ ସୁଯୋଗ ଦିଅନ୍ତୁ। ଏଭଳି ସୁଯୋଗ କୋଟିଏ ଗୋଟିଏ ମିଳିଥାଏ ଆଉ ଯଦି ଦୁତି ତାହା ପାଇଛନ୍ତି ବା ଆଗକୁ ପାଇବାକୁ ଯାଉଛନ୍ତି ତାହେଲେ ସେଥିରେ ପ୍ରତିବନ୍ଧକ ନହୋଇ ବରଂ ପ୍ରେରଣା ଦେବାକୁ ଚେଷ୍ଠା କରାଯାଉ।ଦୁତି ଆମ ଦେଶର ଜୀବନ୍ତ ଇତିହାସ ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଏକଥା ସମସ୍ତେ ମନେ ରଖିବା ଦରକାର।

Leave a Reply

Your email address will not be published. Required fields are marked *

You cannot copy content of this page