ଶିକ୍ଷା ବିଭାଗର ଭିତିରିକଥା

0

ଶିକ୍ଷା ପ୍ରତ୍ୟକ ନାଗରିକର ମୌଳିକ ଅଧିକାର। ସରକାର ତାକୁ ମୁକ୍ତରେ ଏହା ଯୋଗାଇ ଦେବାକୁ ଆମ ସମ୍ବିଧାନ ବ୍ୟବସ୍ଥା କରିଛି। ଜଣେ ଶିକ୍ଷିତ ହେଲେ ସେ ଦାରିଦ୍ର୍ୟ, ଅନ୍ଧବିଶ୍ୱାସ ପରି ଯନ୍ତ୍ରଣାରୁ ମୁକ୍ତ ହୋଇ ଆନନ୍ଦରେ ଜୀବନ କଟାଇ ପାରିବ। ହେଲେ ସ୍ବାଧିନତାର ୭୦ ବର୍ଷ ପରେ ଆମ ଦେଶର ଶିକ୍ଷା ବ୍ୟବସ୍ଥା ଏବେବି ସାଧାରଣରେ ଆସ୍ଥାଭାଜନ ହୋଇପାରି ନାହିଁ। ସରକାରୀ ଶିକ୍ଷାନୁଷ୍ଠାନ ଅପେକ୍ଷା ବେସରକାରୀ ବା ଆବାସିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତି ଧିରେ ଧିରେ ସାଧାରଣରେ ଆଗ୍ରହ ବୃଦ୍ଧି ପାଉଛି।

ଏହାର କାରଣ ଖୋଜିଲେ ତିନୋଟି କଥା ମନକୁ ଆସେ ତାହା ହେଲା ଶିକ୍ଷା, ଶିକ୍ଷକ ଆଉ ଶିକ୍ଷାନୁଷ୍ଠାନ। ଏହି ତିନୋଟି ଭିତରେ ଉତ୍ତମ ବୁଝାମଣା ସହ ଉପଯୁକ୍ତ ପରିଚାଳନା ବ୍ୟବସ୍ଥା ରହିଲେ ସରକାରୀ ଶିକ୍ଷା ସାଧାରଣରେ ଗ୍ରହଣୀୟ ହେବ। କିନ୍ତୁ ଦେଖାଯାଏ ଆମ ରାଜ୍ୟରେ ଏହି ତିନୋଟି ମଧ୍ୟରୁ ସର୍ବାଧିକ ଅବହେଳିତ ଅଛନ୍ତି ଶିକ୍ଷକମାନେ। ଯେଉଁ ମାନଙ୍କ ଉପରେ ସବୁଠାରୁ ଅଧିକ ଦାୟିତ୍ୱ ସେମାନେ ସର୍ବାଧିକ ସରକାରୀ ଅବହେଳାର ଶିକାର। ଫଳସ୍ବରୂପ ଶିକ୍ଷକ ମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ଦେଖା ଯାଉଛି।

ଏକଥା ଉପସ୍ଥାପନର ଉଦ୍ଦେଶ୍ୟ ହେଲା ନିକଟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆସନ୍ତା ୧୭ରୁ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା କଥା କହିବା ପରେ ଏହାକୁ ପ୍ରତିବାଦ କରିବାରୁ ସାଧାରଣରେ କିଛି ନକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି। ହେବାବି ସ୍ବାଭାବିକ କାଳଣ ରାଜ୍ୟବାସୀଙ୍କ ପାଖରେ ଶିକ୍ଷା ବିଭାଗର ଭିତିରି କଥା ପହଞ୍ଚୁ ନଥିବାରୁ ଏଭଳି ପ୍ରତିକ୍ରିୟା ଆସିବା ସ୍ବାଭାବିକ୍। ମୁଁ ଉଚ୍ଚଶିକ୍ଷା ବିଭାଗ କଥା କହିବା ଅବସରରେ ରାଜ୍ୟବାସୀଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଆଜି ପ୍ରକୃତରେ ଉଚ୍ଚଶିକ୍ଷାର ବାସ୍ତବ ସ୍ଥିତି କ’ଣ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୀର୍ଘ ୭୨ ବର୍ଷ ପରେ ଏବେବି ରାଜ୍ୟରେ ମାତ୍ର ୫୨ ଟି ସରକାରୀ ମହାବିଦ୍ୟାଳୟ ଅଛି ଯାହାର ଛାତ୍ରଛାତ୍ରୀ ଗ୍ରହଣ କରିବା କ୍ଷମତା ସମୁଦାୟ ଆବଶ୍ୟକତାର ମାତ୍ର ୨୦ ପ୍ରତିଶତ। କେନ୍ଦ୍ରାପଡା ଜଗତସିଂହପୁର ନୟାଗଡ ପରି ଜିଲ୍ଲାରେ ଏବେବି ସରକାରୀ କଲେଜଟିଏ ନାହିଁ। ରାଜ୍ୟ ସରକାର ସମସ୍ତଙ୍କୁ ମାଗଣାରେ ଉଚ୍ଚଶିକ୍ଷା ଯୋଗାଇ ଦେବାକୁ ଥିବାବେଳେ ଏଥିରେ ବିଫଳ ହେବାରୁ ବାଧ୍ୟହୋଇ ୭୦ ଦଶକରେ ରାଜ୍ୟର କିଛି ଶିକ୍ଷାବୀତ, ବୁଦ୍ଧିଜୀବୀଙ୍କ ପ୍ରଚେଷ୍ଠାରେ ବେସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ଆରମ୍ଭ ହେଲା।

ଏଥିରେ କାର୍ଯ୍ୟରତ ଅଧ୍ୟାପକ କର୍ମଚାରୀଙ୍କ ପାଇଁ ଅନୁଦାନର ବ୍ୟବସ୍ଥା କରାଗଲା। ଚାକିରୀ କରିବାର ୫ ବର୍ଷ, ୭ ବର୍ଷ ଓ ୯ ବର୍ଷ ପରେ ୧/୩, ୨/୩ ଏବଂ ପୂର୍ଣ୍ଣ ଅନୁଦାନର ବ୍ୟବସ୍ଥା କରାଗଲା। ଏହି ଧାରା ୧୯୭୦ ରୁ ୧୯୯୪ ମସିହା ପର୍ଯ୍ୟନ୍ତ ଠିକ୍ ଠାକ୍ ଚାଲିଲା। ପ୍ରବାଦପୁରୁଷ ବିଜୁ ବାବୁଙ୍କ ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଭୟଙ୍କର ଭୁତାଣୁ ଗ୍ରାସକଲା ଯାହାର ଫଳସ୍ବରୂପ ଆରମ୍ଭ ହେଲା ଏକ ଠିକା ଚାକିରୀର ପରମ୍ପରା। ଆର୍ଥିକ ବୋଝକୁ ଦୃଷ୍ଟିରେ ରଖି DFYD ସହ ଚୁକ୍ତି ଆଧାରରେ ଆମ ଉଚ୍ଚଶିକ୍ଷାରେ ନୂଆ ନିଯୁକ୍ତି ବା ପ୍ରତ୍ୟକ୍ଷ ଅନୁଦାନ ନଦେବାକୁ ରାଜ୍ୟ ସରକାର ସ୍ଥିରକଲେ।

ସ୍ଥିତି ସୁଧୁରିଲେ ସରକାର ବିଚାର କରିବେ ବୋଲି କହି ଚାଲିଗଲେ। ସମୟ ଗଡିଚାଲିଲା, ରାଜ୍ୟରେ ଆବଶ୍ୟକତାକୁ ନେଇ ଧିରେଧିରେ ବେସରକାରୀ କଲେଜ ଖୋଲି ଚାଲିଲା। ଏକ ପରିସଂଖ୍ୟାନ କହେ ଏବେ ରାଜ୍ୟରେ ୩.୫ ଲକ୍ଷ ପିଲା ପ୍ରତିବର୍ଷ କଲେଜରେ ନୂଆକରି ନାମ ଲେଖାଇଥାନ୍ତି। ଅନ୍ୟୁନ ୧୪୦୦ ବେସରକାରୀ କଲେଜରେ ୧୫ହଜାର ଅଧ୍ୟାପକ କର୍ମଚାରୀ କାର୍ଯ୍ୟ କରୁଛନ୍ତି।କିନ୍ତୁ ଦୁॐଖର ଡ଼ଇଷୟ କଲେଜରେ ନୂଆ ନିଯୁକ୍ତି କରାଗଲା ନାହିଁ, ଅବସର ନେଉଥିବା ସ୍ଥାନରେ ସରକାର ନୂତନ ଅଧ୍ୟାପକ ନିଯୁକ୍ତି କଲେନାହିଁ।

ସରକାରୀ କଲେଜରେ ଅଧ୍ୟାପକ କର୍ମଚାରୀ ନିଯୁକ୍ତି ପାଇଁ OPSC ପରି ବେସରକାରୀ କଲେଜରେ ନିଯୁକ୍ତି ପାଇଁ SSB (Service Selection Board) ଥିଲେବି ତାହା ୧୯୯୨ ମସିହା ପରଠାରୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ବାଧ୍ୟହୋଇ ବେସରକାରୀ କଲେଜରେ ଶିକ୍ଷାଦାନ ଜାରୀ ରଖିବା ପାଇଁ ପରିଚାଳନା କମିଟି ସ୍ଥାନୀୟ ଯୋଗ୍ୟ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ଆରମ୍ଭ କଲେ। ସମସ୍ତ ନିଯୁକ୍ତି ପରିଚାଳନା କମିଟିର ସଭାପତି ଉପ-ଜିଲ୍ଲାପାଳ/ବିଧାୟକ ଦ୍ବାରା ସ୍ବଚ୍ଛ ପ୍ରକ୍ରିୟାରେ ହେଲା।

ଏହା ମଧ୍ୟରେ ସରକାର ଆର୍ଥିକ ଦୁର୍ଗତୀରୁ ମୁକୁଳି ରାଜ୍ୟକୁ ବଳକା ରାଜ୍ୟକୁ ଘୋଷଣାକଲେ ଅଥଚ ଅଧ୍ୟାପକ କର୍ମଚାରୀଙ୍କ ସମସ୍ୟା ସମସ୍ୟାରେ ରହିଗଲା। ୧୯୯୪ ପରଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାର ସମ୍ପୂର୍ଣ୍ଣ ନିରବ ରହିଲେ। କୌଣସି ଅନୁଦାନର ବ୍ୟବସ୍ଥା ନକରିବାରୁ ବାଧ୍ୟହୋଇ ଅଧ୍ୟାପକ କର୍ମଚାରୀମାନେ ଏକାଠି ହୋଇ ସରକାରଙ୍କ ପାଖରେ ଅନୁଦାନ ପାଇଁ ଦାବିକଲେ। ଦୀର୍ଘ ୨୦ ବର୍ଷ ବିନା ବେତନରେ କାର୍ଯ୍ୟ କରିବା ପରେ ସରକାର ପ୍ରଚଳିତ ନିୟମକୁ ଉଲଂଘନ କରି ପ୍ରତ୍ୟକ୍ଷ ଅନୁଦାନ ପରିବର୍ତ୍ତେ ବ୍ଲକଗ୍ରାଣ୍ଟ ପ୍ରଦାନ କଲେ।

ବ୍ଲକଗ୍ରାଣ୍ଟ କହିଲେ ବିନା ଚାକିରୀ ସର୍ତ୍ତାବଳୀରେ ଏକ ମୁଣ୍ଡାମୁଣ୍ଡି ଭାତିଆ ତାହା ପୁଣି ପ୍ରାପ୍ୟର ଏକ ତୃତୀୟାଂଶ। ୨୦୦୯ ରୁ ୨୦୧୮ ଆଠ ବର୍ଷର ନିରବଚ୍ଛିନ୍ନ ପ୍ରତିବାଦ ପରେ ୦୧.୦୧.୨୦୧୮ ରୁ ପ୍ରତ୍ୟକ୍ଷ ଅନୁଦାନ ନାଁରେ ଆଉ ଏକ ଅଦଭୁତ ଅନୁଦାନ ଦେଲେ। ଏବେବି ଅନିଶ୍ଚିତତା ମଧ୍ୟରେ ରାଜ୍ୟର ୧୫ ହଜାର ଶିକ୍ଷକ ଅଧ୍ୟାପକ କର୍ମଚାରୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଏଠାରେ ପ୍ରଶ୍ନ ଉଠିପାରେ ଏତେ ସୁଯୋଗ ଥାଉଥାଉ ଆପଣମାନେ ଏଠାରେ ଏତେବର୍ଷ କାହିଁକି ପଡି ରହିଥିଲେ ବୋଧହୁଏ ଯୋଗ୍ୟତାରେ କିଛି୍ କମ୍ ରହିଯାଇଥିଲା ।

ପ୍ରକୃତ କଥା ତାହା ନୁହେଁ ଚାକିରୀ ଜୀବନର ଆରମ୍ଭରୁ ଏକଥା ଜାଣିଥିଲେ ହୁଏତ ଅନ୍ୟତ୍ର ଚାଲିଯିବା ସମ୍ଭବ ହୋଇଥାନ୍ତା କିନ୍ତୁ ତାହା ନକରି ଚାକିରୀର ୧୫ ବର୍ଷ ପରେ ଯଦି ସରକାର ତାଙ୍କ ନିୟମକୁ ସେ ନିଜେ ବଦଳାଇ ପାରନ୍ତି ତାହେଲେ ଏଠାରେ ଅଧ୍ୟାପକ ଜଣକର ଭୁଲ୍ ରହିଲା କେଉଁଠି ? ଆଜି ରାଜ୍ୟସାରା ହୁରି ପଡୁଛି ଅଧ୍ୟାପକମାନେ ବସି ବସି ଦରମା ନେଉଛନ୍ତି। ପ୍ରକୃତ କଥା ହେଲା ଏବେ ଯେଉଁ ଦରମାର କଥା ଚର୍ଚ୍ଚା ହେଉଛି ସେ ବିଷୟରେ ଅନ୍ତତପକ୍ଷେ କିଛିଟା ଅନୁଧ୍ୟାନ କରି ମତାମତ ରଖିଲେ ଭଲ ହୁଅନ୍ତା।

ଆଜି ଦିନରେ ଯଦି ଜଣେ ଅଧ୍ୟାପକ ବା କର୍ମଚାରୀ ଅବସର ନେଉଛି କିମ୍ବା ତା’ର ମୃତ୍ୟୁ ହୋଇଯାଉଛି ତା’ହେଲେ ସହକର୍ମୀଙ୍କ ଫୁଲତୋଡାଟି ଛଡା କିଛିବି ତାକୁ ମିଳୁନାହିଁ। ଅବସର ପରେ ପେନସନ ଆଜି ସ୍ବପ୍ନ ହୋଇ ଯାଇଛି। ଯିଏ ଜୀବନସାରା ଏ ରାଜ୍ୟର ପିଲାଙ୍କ କଥା ବୁଝିଲା ଆଜି ତା ନିଜ ଫିଲାଛୁଆ ଅର୍ଥ ଅଭାବରୁ ମୁର୍ଖ ହେଉଛନ୍ତି। କରୋନା ସମୟରେ କଲେଜ ଖୋଲିବାକୁ ନେଇ ଶିକ୍ଷକ ମାନଙ୍କର ବିରୋଧ ପଛର ଯୁକ୍ତି ହେଲା ଏବେ ବିନା ଛାତ୍ରଛାତ୍ରୀରେ କଲେଜରେ କରିବେ କ’ଣ ?

ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଚାଷ ହୁଏ ଆଉ କଲେଜରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଯାହା କିଛି କାର୍ଯ୍ୟ ହୁଏ। ସରକାର ଏପଟେ ପରୀକ୍ଷା ବାତିଲ୍ କଲେ ପିଲାମାନଙ୍କୁ ନାଆସିବାକୁ କହିଲେ, ସାମାଜିକ ଦୁରତା ରଖିବା ପାଇଁ ନିର୍ଦ୍ଦେଶ ଦେଲେ ଅଥଚ ସେପଟେ ଅଧ୍ୟାପକଙ୍କୁ କଲେଜ ଯିବାକୁ ନିର୍ଦ୍ଦେଶ ଦେଲେ। ୯୦ ପ୍ରତିଶତ ଅଧ୍ୟାପକ କର୍ମଚାରୀ ସେମାନଙ୍କ ପିଲାଛୁଆଙ୍କୁ ଧରି ନିକଟସ୍ଥ ସହର ବା ଗ୍ରାମରୁ ଯିବା ଆସିବା କରିଥାନ୍ତି। ସରକାରୀ କର୍ମଚାରୀ ପରି ଏମାନଙ୍କୁ ଘରଭଡା ବା ଅନ୍ୟାନ୍ୟ ସୁବିଧା ମିଳିନଥାଏ।

ଯଦି ଆସନ୍ତା ୧୭ ରୁ କଲେଜ ଖୋଲାଯାଏ ତେବେ ଏମାନେ ଯିବା ଆସିବା କରିବେ କେମିତି। ତାହା ସତ୍ତ୍ବେ କଲେଜ ଯିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏକଥା ମଧ୍ୟ ଜାଣିବା ଦରକାର ଏବେବି ରାଜ୍ୟରେ ୨୦୦ କଲେଜରେ ସରକାରୀ କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଛି। ସାଧାରଣରେ ପ୍ରତିକ୍ରିୟା ଆସୁଛି ଯଦି କଲେଜ୍ ନଯିବେ ତେବେ ଦରମା କାହିଁକି ନେଉଛନ୍ତି। ଦରମା ଛାଡି ଦେଉ ନାହାନ୍ତି କାହିଁକି? ? ଆମ ବିଚାରରେ ସରକାର ଚଞ୍ଚକତା କରି ରାଜ୍ୟର ପ୍ରତିଟି କର୍ମଚାରୀଙ୍କ ଠାରୁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କା ବେତନ ଆକାରରେ ତା’ର ଚାକିରୀ କାଳରେ ଛଡାଇ ନେଇଛନ୍ତି।

୨୫ ବର୍ଷର ଚାକିରୀ ସମୟକୁ ଗଣତିରେ ନେଇ ନାହାନ୍ତି। ଏତେ ପରେ ଆଉ କ’ଣ ବାକି ରହିଲା ସରକାରଙ୍କୁ ଦେବାକୁ କଥା ପଡିଛି ଦରମା ପାଖରେ। ତାହା ସତ୍ତ୍ବେ ଅଧ୍ୟାପକ ଜଣକ ବସିନାହିଁ। କୋଉଠି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହି ପ୍ରବାସୀଙ୍କ କଥା ବୁଝୁଛିତ ପୁଣି କେଉଁଠି ସରପଞ୍ଚଙ୍କ ଠାରୁ ମାଡ ଖାଉଛି। ଅନେକ ଅଧ୍ୟାପକ online ରେ ପାଠବି ପଢାଉଛନ୍ତି।କିନ୍ତୁ ଏତେ ପରେବି ଅଧ୍ୟାପକର କାର୍ଯ୍ୟ ଆଉ ନିଷ୍ଠାପରତାକୁ ନେଇ ସବୁଆଡେ ପ୍ରଶ୍ନବାଚୀ। ରାତି ପାହିଲେ ଅନେକ ଏମାନଙ୍କ ମଧ୍ୟରୁ ଅବସର ନେଇଯିବେ।

ଗୋଟିଏ ଲୋକକଥା ଅଛି ” କହିଲେ କୁଳ କୁଟୁମ୍ଭକୁ ଲାଜ ନକହିଲେ କୁଳ ଭାଷି ଯାଉଛି ” ନ୍ୟାୟରେ ମନରେ ଅନେକ କଷ୍ଟ ଯନ୍ତ୍ରଣା ଥିଲେବି ସବୁଆଡକୁ ଚାହିଁ ଅଧ୍ୟାପକଟିଏ ନିରବ ରହିବାକୁ ଉଚ୍ଚିତ ମଣୁଛି। ହଜାର ହଜାର ଡକ୍ଟରେଟ ଉପାଧିଧାରୀ ବରିଷ୍ଠ ଅଧ୍ୟାପକ ଏବେ ଜୀବନ ଯନ୍ତ୍ରଣାରେ ଛଟପଟ। ଯେଉଁ ପ୍ରତିକ୍ରିୟା ଶିକ୍ଷକଙ୍କୁ ଦେଖି କରାଯାଉଛି ତାହା ସରକାରଙ୍କ ଉପରେ ହେବା ଉଚ୍ଚିତ। ବାହାରୁ ବାହାରୁ ଏ ବିଭାଗ ଯାହା ଦେଖାଯାଉଛି ଭିତରଟା କିନ୍ତୁ ତାହା ନୁହେଁ। ଏ ବିଭାଗର ଭିତିରି କଥା ନଜାଣି ପ୍ରତିକ୍ରିୟା ଦେଲେ ତାହା କଷ୍ଟ ହେବ।

ସରକାରୀ ପ୍ରବଞ୍ଚନା ଆଉ ଅବହେଳାର ଶିକାର ହୋଇ ଆସିଥିବା ଏହି ପରିଣତ ବୟସରେ ପହଞ୍ଚିଥିବା ମଣିଷଟି ଯେତବେଳେ କିଛି ବିରୋଧ କରୁଛି ନିଶ୍ଚିତ ତା ପଛରେ କିଛି ନାଶକିଛି କାରଣ ଥିବ। ତା ହାତର ସ୍ପର୍ଶରେ ଆଜି କେତେ ମାଟି ପିଣ୍ଡୁଳା ସୁନ୍ଦର ମୂର୍ତ୍ତୀରେ ପରିବର୍ତ୍ତନ ହୋଇ ସମାଜରେ ପ୍ରତିଷ୍ଠିତ ଅଥଚ ସେଦିନର ସେହି ଶିକ୍ଷକରୂପି ଶିଳ୍ପୀଟି ଏବେବି ଏକ ଅଜଣା ଆଶଙ୍କାରେ ଦିନ କାଟୁଛି। ତଥାପି ତାର ସହିବାର ଶେଷ ହୋଇନାହିଁ ବୋଲି ଏବେବି ଅନେକ ସତାଲୋଚନା ଶୁଣିବାକୁ ମିଳୁଛି।

ଆଶାକରେ ଏ ଦୀର୍ଘ ଆଲେଖ୍ୟ ମନରେ ଥିବା ଦ୍ବନ୍ଦକୁ କିଛିମାତ୍ରାରେ ଲାଘବ କରିପାରେ ଆଉ ତାହା ସତ୍ତ୍ଵେ ଯଦି ଆମେ କହିବା ପାଇଁ କହିବା ତା ହେଲେ ଏ ରାଜ୍ୟର ଶିକ୍ଷକ ସମାଜ ନାଚାର…

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page