ବରୀ:ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗଗନ ଜେନାଙ୍କ ପରଲୋକ ।

0

ବରୀ(ସଂକେତ ଖବର) ବରୀ ଅଂଚଳର ଜଣାଶୁଣା ନାଁ ଗଗନ ଜେନାଙ୍କ ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି କୋରୋନାରେ ପିଡିତ ଥିଲେ । ଗଗନ ପିଲା ବେଳୁ ରାଜନିତି ପ୍ରତି ଆକର୍ଷିତ ହୋଇ ବିଭିନ୍ନ ସଂଗଠନ ପାଇଁ କାର୍ଯ୍ୟ କରିଥିଲେ । ଏଥିସହିତ ବରୀ ଓ ରାଜ୍ୟର ବିଭିନ୍ନ ସାମାଜିକ,ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ଓତପ୍ରୋତ ଭାବେ ଜଡିତ ଥିଲେ । ଯୁବ ଅବସ୍ଥାରେ ସଂପୁର୍ଣ୍ଣ ରାଜନିତିରେ ପାଦ ଦେଇ ବରୀ ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ବେଶ ପ୍ରତିଷ୍ଠା ପାଇଥିଲେ । ଅନେକ ସମୟରେ ବରୀ ଅଂଚଳର ମୌଳିକ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ । ଗଗନଙ୍କୁ ଜଣେ ଭାରତୀୟ ଜାତୀୟ କଂଗ୍ରେସର ଆଗଧାଡିର ଯୋଦ୍ଧା ଭାବେ ସମସ୍ତେ ଜାଣନ୍ତି । ସେଥିପାଇଁ ତାଙ୍କୁ କଂଗ୍ରେସ ଥରେ ବରୀର ବିଧାୟକ ପ୍ରାର୍ଥୀ ଭାବେ ମଧ୍ୟ ଚୟନ କରିଥିଲା । ଗଗନ ବରିଷ୍ଠ ରାଜନେତା ଶ୍ରୀକାନ୍ତ ଜେନାଙ୍କ ଜଣେ ଅନୁଗତ ଭାବେ ବେଶ ଜଣାଶୁଣା । ସେଥିପାଇଁ ଶ୍ରୀକାନ୍ତ କଂଗ୍ରେସରୁ ବିଦା ହେବା ପ୍ରତିବାଦରେ ସେ ମଧ୍ୟ କଂଗ୍ରେସ ଦଳରୁ ଇସ୍ତପାଂ ଦେଇଥିଲେ । କିନ୍ତୁ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେଇନଥିଲେ । ଗଗନ ସ୍ୱାଭିମାନି ନେତା ହିସାବରେ ଯାଜପୁର ଜିଲାରେ ବେଶ ପରିଚିତ ଥିଲେ । ଗତକାଲି ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ତାଙ୍କର ଅନେକ ଶୁଭେଚ୍ଛୁ ।  

Leave a Reply

Your email address will not be published. Required fields are marked *

You cannot copy content of this page