ଜଗନ ଭାବୁଥିଲା ପୁଣି ଫେରିଯିବ କି ମୁମ୍ବାଇ ? ଏଠାରେ କେହି ଚିହ୍ନା ଜଣା ବି ନାହାନ୍ତି। ଏପଟେ ସଟ୍ ଡାଉନ୍, ଲକ୍ ଡାଉନ୍ ର ବେଡି।ନା ଫେରିବାଟା ବି ସମ୍ଭବ ନୁହେଁ। ମୁମ୍ବାଇ କାହିଁ କେତେ ଦୂର ରେ ରହିଲାଣି। ବାପା ମନା କରୁଥିଲେ। ସରତ ବି।ସେ ଗୋଟେ ଜିଦ୍ ରେ ବାହାରି ଆସିଲା ସିନା ହେଲେ….।
ମନକୁ ମନ କହିଲା ନେ ରେ ପୁଅ ବାମ୍ଫ ନେ !
ଜଗନ ବାପ ମା ଙ୍କ ର ଗୋଟିଏ ବୋଲି ପୁଅ।ତା ଉପରେ ଦୁଇଟି ଝିଅ। ସେମାନେ ବାହା ସରିଛନ୍ତି ।ଓଡ଼ିଶାର ଅମକ ଗାଁ ରେ ଘର। ସେଇଠି ବଢା, ସେଇଠି ପଢା। ବାପା ଭଲ ଚାଷୀ ଭାବେ ବେଶ ଜଣାଶୁଣା। କମର୍ସ ପରେ ଏମ୍ ବି ଏ କରି ଏଠୁ ସେଠୁ ଚାକିରି ପଛରେ ଧାଉଁଥିଲା।ଯା ହେଉ ମୁମ୍ବାଇ ର ଏଇ କମ୍ପାନୀ ରେ ଚାକିରି ଟେ ହେଲା ପରେ ସେ ମାରିଲା ଡିଆଁ।
ଆଃ ମୁମ୍ବାଇ !
ଚାକଚକ୍ୟର ସହର, ଫିଲ୍ମ ସିଟି। ବାପା ମା ଛାଡ଼ିଲା ବେଳେ ବହୁତ ବୁଝେଇ ଥିଲେ। କେମିତି ମିଶିବୁ, କେମିତି ଚଳିବୁ,କଣ କରିବୁ,କଣ କରିବୁନି। ମନେ ମନେ ବିରକ୍ତ ହେଲେ ବି ସେ ଖାଲି ମୁଣ୍ଡ ଟୁଙ୍ଗାରୁଥିଲା। ଆରେ ତୁମେ ତ ଓଡ଼ିଶା ଛାଡ଼ି କେବେ ବାହାର କୁ ଯାଇ ନ ଥିବ ! ଅଥଚ ଏତେ ଉପଦେଶ ଦେଉଛ ଯେ ଯେମିତି ତମେ ସେଠି ଥିଲ, ଏବେ ଆସିଛ। ବାପା ଙ୍କ କଥା ସବୁ ବେଳେ ବିରକ୍ତି କର ମନେ ହୁଏ ଜଗନର। ଘରେ ଜମା ବସେଇ ଦେବେନି। ଗେଲେଇ “କହିବେ କଣ କରୁଛୁ କିରେ ପୁଅ ? ଆସ ତ ଟିକେ ବିଲ ବାଡି ଆଡେ ବୁଲି ଆସିବା। ଏ ମାଟି ଟା ହାଣିଦେ,ଏ ଗଛ ଟା ଲଗେଇଦେ, ପାଣି ଟିକେ ସେ ଶାଗ ରେ ଦେ……. । “ଏମିତି କାହିଁ କେତେ କଥା ବାହାରେ ତାଙ୍କର। କହିବେ “ଆରେ ସବୁ ଜାଣିଲେ ତୁ ଗୋଟେ ସଫଳ ମଣିଷ ହେବୁ।” ସେପୁଟୁ ମୁହଁ ନେଫେଡେଇ ମା କହେ ହଁ ସେ ତମରି ଭଳି ମାଟି କାଦୁଅରେ ଜଡ ସଡ ହେବ, ତମରି ଭଳିଆ ଦିନ ରାତି ଖାଲି କାମ କରୁଥିବ। ସିଏ କାଲି ଚାକିରି ବାକିରି କରି ଭଲରେ ରହିବନି ଯେ ତାକୁ ଏଇ ଚାଷବାସ ଶିଖଉଛ।’
ମା କଥାଟା ଜଗନ ମନକୁ ଖୁବ ପାଏ। କେବେ କେବେ ମନ ହେଲେ ବାପା ଙ୍କ କୁହା କଥା ଟା ସେ ସିନା କରେ,ହେଲେ ବେଶୀ ସମୟ ଖସିଯାଏ ବାପା ଖୋଜିବା ଆଗରୁ। ବେଳେ ବେଳେ ପାଖରେ ବସି ବାପା ରାମାୟଣ, ମହାଭାରତ, ଇତିହାସ ର ବିଭିନ୍ନ ଶିକ୍ଷଣୀୟ ଉପାଖ୍ୟାନ କହନ୍ତି। ଜଗନକୁ ଲାଗେ ବାପା ତାକୁ ଇମ୍ପ୍ରେସ କରିବାକୁ ଚାହାଁନ୍ତି ଯେ କଠିନ ଶ୍ରମ, ଅଧ୍ୟବସାୟ ର ମୂଲ୍ୟ ସବୁବେଳେ ଅଧିକ। ମନକୁ ନ ଗଲେ ବି ମୁକ ଭଳି ସେ ଶୁଣେ। ଭାବେ ବୁଢାଟା ସବୁ ବେଳେ ଏମିତି ମହତ୍ ବାଣୀ ଶୁଣେଇ ଶୁଣେଇ କାନଟାକୁ ତାବଜା କରିସାରିଲାଣି। କେବେ ଛୋଟ ମୋଟ ଚାକିରି ଟେ ମିଳିଗଲେ, କେମିତି ଏ ଯନ୍ତ୍ରଣା ରୁ ମୁକ୍ତି ମିଳିବ।ମା କେବେ ବାପା ଙ୍କ ପଟ ତ କେତେବେଳେ ଜଗନ ପଟ ହେଇ ବାଲାନ୍ସ କରେ।
ତେବେ ଶେଷ ରେ ଜଗନ ମୁମ୍ବାଇ ରେ ଗୋଟିଏ କମ୍ପାନୀ ରେ ଆକାଉଣ୍ଟସ ଆସିଷ୍ଟାଣ୍ଟ ଭାବେ କାମ ପାଇଗଲା। ଓହୋଃ ଏ ବୁଢ଼ା କବଳରୁ ମୁକ୍ତି ମିଳିଲା।ଘର ଛାଡ଼ିଲା ବେଳେ ବି ବାପା ଙ୍କ ର ସେହି ନୀତି ବାଣୀ। ବାପା କହିଥିଲେ
“ପୁଅରେ ମୁଁ ଜାଣେ ମୋ କଥା ତୋତେ ଭଲ ଲାଗେନାହିଁ।ଏ ଗୁଡ଼ିକ ପୁରୁଣା କାଳିଆ କଥା, ଅଦରକାରୀ, ଅନୁପଯୋଗୀ ବୋଲି ତୁ ହେୟ ଜ୍ଞାନ କରୁଛୁ। ହେଲେ ମନେ ରଖିବୁ ପୁଅ ନୀତି ଓ ଆଦର୍ଶ କେବେ ପୁରୁଣା ବା ଅକାମୀ ହୁଏ ନାହିଁ। ବାହାର କୁ ଯାଉଛୁ। ହଠାତ୍ ସମସ୍ତ ଙ୍କୁ ବିଶ୍ୱାସ କରି ଯେମିତି ଠକି ନ ଯାଉ ଦେଖିବୁ। ଯାହା ପାଖରେ ଦୟା, କରୁଣା ଦେଖିବୁ ତା ସହ ବନ୍ଧୁତା କରିବୁ, ସାହାଯ୍ୟ କରି କିଛି ପାଇବାର ଆଶା ରଖିବୁନି”। ଏମିତି କେତେ କେତେ କଥା। ତିନି ବର୍ଷ ଚାକିରି ଭିତରେ ସେ ଘରକୁ ବହୁତ ଥର ଯିବା ଆସିବା କରିଛି। ଆସ୍ତେ ଆସ୍ତେ ସେ ଅନୁଭବ କରୁଥିଲା ବାପା ଙ୍କ କଥା କିଛି କିଛି ଯାଗାରେ ସତ ହେଇ ଯାଉଛି।

ଏଥରକର ପରିସ୍ଥିତି ପୁରା ଭିନ୍ନ।କରୋନା ଯୋଗୁଁ କମ୍ପାନୀ ବନ୍ଦ ହେଲା। ଗାଡି ମଟର ବି। ମା ତ ବ୍ୟସ୍ତ ହେଇ ‘ତୁ ଯେମିତି ହେଲେ ପଳେଇଆ’ ବୋଲି କାନ୍ଦି କାନ୍ଦି କହୁଥିଲା। ବାପା ବିରକ୍ତ ହୋଇ ମା କୁ ପାଟି କଲେ।ଜଗନ କୁ ଉପଦେଶ ଦେଲେ ‌”ପୁଅ ତୁ ଅଧର୍ଯ୍ୟ ହଅନି।ଦେଖ ଯୋଉ ମାନଙ୍କ ସହ ଅଛୁ,ଆଗରୁ କହୁଥିଲୁ ସେମାନେ ଭଲ ଲୋକ। ସେମାନେ ଲୋକାଲ ଲୋକ । ସେମାନଙ୍କ ସହ ତୁ ରହ। ପରିସ୍ଥିତି ଶାନ୍ତ ନ ହେବା ଯାଏଁ, ଗାଡି ମଟର ନ ଚାଲିବା ଯାଏଁ ତୁ ସେଠାରୁ ଆସି ବାଟରେ ହଇରାଣ ହଅନି। ପଇସା ପତ୍ର ଦରକାର ଯଦି ପଠେଇବି କହ।”
ନାଁ ପଇସା ତା ପାଖରେ ଅଛି। ବାପା ମା କେବେ ତାକୁ ପଇସା ମାଗନ୍ତି ନାହିଁ।ସେ ତା ଇଛା ରେ ଖର୍ଚ୍ଚ କରିଆସିଛି।
ପ୍ରକୃତରେ ଜଗନ ତା କମ୍ପାନୀ ସାଂଗ ସରତ ସାକସେନା ଙ୍କ ଘରେ ପେଇଂ ଗେଷ୍ଟ ହିସାବରେ ରହୁଥିଲା। ସରତ ଲୋକାଲ ହିସାବରେ ବହୁତ ଭଲ ପିଲା ଥିଲା।ସେ ମଧ୍ୟ କେତେ ଥର ଜଗନ ଗାଁ କୁ ଆସି ଚିହ୍ନା ହୋଇ ଥିଲା। ବାପା ସରତ ସହ କଥା ହେଲେ। ସରତ ନିର୍ଭର ପ୍ରତିଶ୍ରୁତି ଦେଲା”ଆପଣ ବ୍ୟସ୍ତ ହୁଅନ୍ତୁନି ଅଙ୍କଲ।ଜଗନ ମୋ ସହିତ ଅଛି। କିଛି ଅସୁବିଧା ନାହିଁ।’
ଥରକୁ ଥର ଲକ୍ ଡାଉନ୍ ର ଅବଧି ବଢ଼ିଚାଲିଥିଲା।ଜଗନ କୁ ବ୍ୟସ୍ତ ଲାଗୁଥିଲା।ମା ବି ଭାରି ଖୋଜୁଥିଲା। ହେଲେ ବାପା ଙ୍କ ର ସେଇ ଗୋଟିଏ କଥା। ଅପେକ୍ଷା କର। ପରିସ୍ଥିତି ଠିକ୍ ହେଉ।ଜଗନ କୁ ଲାଗୁଥିଲା ତା ବାପା ତାକୁ ଭଲ ପାଆନ୍ତି ନାହିଁ।ସେ ଯୋଗୁଁ ମନା କରୁଛନ୍ତି ଘରକୁ ଫେରିବାକୁ। ଦିନେ ହଠାତ୍ ଗୋଟିଏ ଜୋଶ୍ ରେ ସରତ ଦାୟିତ୍ଵ ରେ ସବୁକିଛି ଛାଡ଼ି ସାମାନ୍ୟ କେତେ ହଳ ଲୁଗା ପଟା, ଏ ଟି ଏମ ଧରି ଗୋଟେ ଟ୍ୟାକ୍ସି ରେ ପଳେଇ ଆସିଲା। ତେବେ ହଇରାଣ ରେ ପଡ଼ିଗଲା ଛତିଶଗଡ଼ର ବିଳାସପୁର ରୁ ୫୦ କିଲୋମିଟର ଦୂର ଗୋଟେ ସହର ନିକଟରେ। ଟ୍ୟାକ୍ସି ସେଇଠି ଛାଡି ପଳେଇଲା।କଣ କରିବ, ଚାଲି ଚାଲି କେତେ ବାଟ ଯିବ। ହଠାତ୍ ଗୋଟେ ଦୃଶ୍ୟ ତା ଗତି ପଥ ବଦଳେଇ ଦେଲା। ଜଣେ ବୟସ୍କା ମହିଳା ଙ୍କୁ କିଛି ଦୁର୍ବୃତ ଆକ୍ରମଣ କରୁଥିବା ବେଳେ ସେ ପ୍ରତି ଆକ୍ରମଣ କରି ତାଙ୍କୁ ଉଦ୍ଧାର କଲା ଓ କହିବା ବାହୁଲ୍ୟ ତା ନୂଆ ଠିକଣା ସେଇଠି ହୋଇଗଲା। ବୁଢ଼ୀ ଲୋକ ଟି ର ଗୋଟିଏ ପୁଅ। ସେ ସସ୍ତ୍ରିକ ଦିଲ୍ଲୀରେ ଚାକିରି କରୁଛନ୍ତି। ବୁଢ଼ା ଘରେ ଅସୁସ୍ଥ।ଲକ୍ ଡାଉନ୍ ଯୋଗୁଁ ବୋଲହାକ କରୁଥିବା ପିଲାଟି ଆସୁନି। ବୁଢ଼ୀ ବଜାର ଆସିଥିବା ବେଳେ ଖାଦ୍ୟ ଓ ପଇସା ଲୋଭରେ ଆକ୍ରମଣ ର ଶୀକାର। ନିଜ ର ପରିଚୟ କୁ ଗୋପନ ରଖି ଜଗନ ସେଇଠି ରହିଲା। ବୋଲହାକ, ପରିବା,ସଉଦା, ଔଷଧ ଆଣିବା, ଏମିତି ଯାବତୀୟ କାମରେ ଲାଗିଲା। ବାପା କହୁଥିଲେ କୌଣସି କାମ ସାନ ବା ବଡ଼ ନୁହେଁ। ଆଜିର ପରିସ୍ଥିତିରେ ସେ ତା’ର ଯଥାର୍ଥତା କୁ ଅନୁଭବ କରୁଥିଲା।ନା ପରିସ୍ଥିତି ଠିକ୍ ନ ହେବା ଯାଏଁ ଯେମିତି ହେଲେ , ଯେତେ କଷ୍ଟ ହେଲେ ବି ଏଇଠି ରହିବାକୁ ପଡିବ। ଘରକୁ ନିୟମିତ ଫୋନ୍ କରି ସେ ଭଲରେ ଅଛି ବୋଲି କହୁଥିଲା। ଗୃହ କର୍ତ୍ତା ଙ୍କୁ ସେ କେବେ କହିଲା ନାହିଁ ଯେ ସେ ଗୋଟେ ଶିକ୍ଷିତ ଯୁବକ! ବରଂ ସେମାନେ ଧରିନେଇଥିବା ଶ୍ରମିକ ଭାବନା ଅନୁସାରେ ସେ ସେମାନଙ୍କ ଦେଖାଶୁଣା କରିବାକୁ ଲାଗିଲା।
ସେ ରହୁଥିବା ଘରର ପଛେ ପଟେ ଅର୍ଥାତ୍ ବାଉଣ୍ଡାରି ଭିତରେ ଅନେକ ପଡିଆ ଜମି। ସେଗୁଡିକ ଦେଖିବା ପରେ ତା ବାପାଙ୍କ ନିତି ଦିନିଆ କାମ ତା ଆଖି ରେ ଭାସି ଉଠିଲା । ପରଦିନ ସକାଳୁ ଉଠି ସେ ବାଡି ପଟର ସେ ଜମି ଗୁଡିକ ଗୋଟେ ଫାଉଡାରେ ହାଣି ଚାଲିଲା। କିଛି ଦିନ ର ପରିଶ୍ରମ ପରେ ତାହା ଏକ ଚାଷ ଉପଯୋଗୀ ଜମି ରେ ପରିଣତ ହୋଇଗଲା। ସେ ନିଜ ଅର୍ଥ ରେ ବଜାର ରୁ ବିଭିନ୍ନ ପନି ପରିବା ମଝି ଆଣି ରୋପଣ କଲା। ସେ କାମ ଗୁଡିକ ତାକୁ ଏତେ ଭଲ ଓ ଆନନ୍ଦ ଲାଗି ଦେହସୁହା ହୋଇ ଗଲା ଯେ ଘଡ଼ିଏ ବସିବାକୁ ତାକୁ ବିରକ୍ତ ଲାଗୁଥିଲା। ଅବଶ୍ୟ ତା ସଫଳତା ର ଶ୍ରେୟ ଅନେକାଂଶରେ ଗୁଗୁଲ କୁ ଯାଉଥିଲା।ସେଇ ଠାରୁ ସେ ଚାଷ ପ୍ରଣାଳୀ ଅନୁସରଣ କରୁଥିଲା। ଗଛ ଗୁଡ଼ିକ ଯେଉଁ ଦିନ ଶସ୍ୟ ରେ ଭରି ଉଠିଲା ତା ଆନନ୍ଦ କହିଲେ ନ ସରେ। ବୁଢ଼ା ବୁଢ଼ୀ ଜଗନର ଏ କାମ ଦେଖି ତଟସ୍ଥ ହୋଇ ଯାଉଥିଲେ। ବୁଢ଼ୀ ତ ଅନେକ ସମୟରେ ତାକୁ ନିଜ ପୁଅ ଭଳି ମନେ କରି ଖୋଇ ଦେଉଥିଲା।ଜଗନ ର ଏବେ ବାପା ଙ୍କ କଥା ବେଶି ବେଶି ମନେ ପଡ଼ୁଥିଲା।ସତରେ ଏଇ ନିରୋଳା ଆନନ୍ଦ ପାଇଁ ବାପା ଏତେ ଶାନ୍ତ, ସହନଶୀଳ ! ଏଥର ଘରକୁ ଗଲେ ସେ ବାପା ଙ୍କ ପାଦ ତଳେ ଲୋଟି ତାଙ୍କ ପ୍ରତି ତା ଭୁଲ ଭାବନାର ପ୍ରାୟଶ୍ଚିତ କରିବ ବୋଲି ସିଦ୍ଧାନ୍ତ କଲା। ତେବେ ସେ ଲଗାଇ ଥିବା ଗଛରେ ଫୁଲ ଫଳ ଆସିଲା ବେଳକୁ ସମସ୍ୟା ଆସିଲା ଘର ମାଲିକ ଙ୍କ ପୁଅ,ବୋହୁ ଙ୍କୁ ନେଇ। ସେମାନେ ଘରକୁ ଫେରି ଆସି ଜିଦ୍ କଲେ ଜଗନ ଭଳି ଜଣେ ଅଜଣା,ଅଶୁଣା ଲୋକ କୁ ଏ କରୋନା ସମୟରେ ଘରୁ ବାହାର କରିବା ଉଚିତ ବୋଲି। ବୁଢ଼ା,ବୁଢ଼ୀ ତା ସଂପର୍କରେ ସବୁ କହିଲେ ଓ ବୋଲହାକ, କାମବାଲୀ ନ ଥିବାରୁ ସେ କେତେ ସାହାଯ୍ୟ କରୁଛି କହିଲେ ବି କରୋନାର ଦ୍ୱାହି ଦେଇ ଜଗନ ବାହାରିବା ଟା ନିଶ୍ଚିତ ହେଲା। ତେବେ ପୂର୍ବରୁ ଦେଇଥିବା ସ୍ୱାବ ଟେଷ୍ଟ ରୁ ପୁଅ, ବୋହୁଙ୍କ ର ପଜିଟିଭ ବାହାରିବା ପରେ ସେମାନଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ କୁ ନିଆ ଯିବା ପରେ ଜଗନର ଫେରିବାଟା ସ୍ଥଗିତ ରଖାଗଲା। ପୁଅ, ବୋହୁଙ୍କ ସହ ମିଶିବା କାରଣରୁ ସମସ୍ତ ଙ୍କ ର ପରୀକ୍ଷା ହୋଇ ଥିଲେ ମଧ୍ୟ ତାହା ପରବର୍ତ୍ତୀ ସମୟରେ ନେଗେଟିଭ ଆସିବାରୁ ସମସ୍ତେ ଆଶ୍ୱସ୍ତ ହେଲେ।ୟା ଭିତରେ ଜଗନ ହାତ ତିଆରି ବଗିଚା ରୁ ପ୍ରଚୁର ପରିମାଣରେ ପରିବା ଉତ୍ପାଦନ ହେବାକୁ ଲାଗିଲା।ଭଲ ଦି ପଇସା ସଚଂୟ ରେ ଏହା ସହାୟକ ହେଲା।

ଆସ୍ତେ ଆସ୍ତେ କଟକଣା ହଟିବା ଆରମ୍ଭ ହେବା ମାତ୍ରେ ଜଗନ ପରିବା ବିକ୍ରି ର ସମସ୍ତ ଟଙ୍କା ବୁଢ଼ା ବୁଢ଼ୀ ଙ୍କ ହାତ ରେ ଧରେଇ ବାହାରି ଆସିଲା। ସ୍ନେହ ମମତା ରେ ଏମିତି ସେମାନେ ଏଇ ଅଳ୍ପ ଦିନ ରେ ବାନ୍ଧି ହୋଇ ଯାଇଥିଲେ ବିଛିନ୍ନ ହେଲା ବେଳେ ଲୁହ ବାଧା ମାନୁ ନ ଥିଲା କାହା ଆଖିରେ।
ଜଗନ ଗାଁ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରେ ରହିଲା। ତା ଅଭିଜ୍ଞତା କୁ ଉପଯୋଗ କରି ସେ ଭଳି କି ଭଳି ଫୁଲ ଓ ଫଳ ଗଛ ଲଗେଇଲା ସେଇ ପରିସରରେ। ସରପଂଚ ବାବୁ ଏଥିରେ ସହଯୋଗ ଦେବା ସହ ତା ର ପ୍ରଶଂସା ଚାରିଆଡେ କହି ପକଉଥିଲେ । ବାସ୍ତବ ରେ ସେ ପରିସର ଟି ଦିନ କେଇଟାରେ ଭାରି ସୁନ୍ଦର ଦିଶୁଥିଲା ! ଯେଉଁ ଦିନ ସୁସ୍ଥତା ର ପ୍ରମାଣ ପତ୍ର ଧରି ଜଗନ ଘରକୁ ଫେରିଲା ସେଦିନ ବାପା ଛାତିରେ ଲୋଟି ପଡ଼ି ଢେର ଅଶ୍ରୁ ବିସର୍ଜନ କଲା। ତାକୁ ଲାଗିଲା ସେ ଯେମିତି ଦି ବର୍ଷ ର ଶିଶୁ ଟିଏ ହୋଇ ଯାଇଛି,ଆଉ ତା ପାଇଁ କେବଳ ତା ବାପା ର ଚଉଡ଼ା ଛାତି ହିଁ ତା ଆଶ୍ରୟର ଶେଷ ସ୍ଥାନ ! ମା ତାର ଅସ୍ୱାଭାବିକ ଆଚରଣରେ ବ୍ୟତିବ୍ୟସ୍ତ ହୋଇ “ମୋ ଧନର କଣ ହେଇଛି” ବୋଲି ମାତୃ ସୁଲଭ ଗୁଣ ରେ ଅଧର୍ଯ୍ୟ ହୋଇ ଜଗନ କୁ ଆଉଁସି ପକଉ ଥିବା ବେଳେ ବାପା କିନ୍ତୁ ସ୍ନେହ ର ଶକ୍ତ ବନ୍ଧନରେ ଜଗନକୁ ଛାତି ତଳର ଛାତରେ ନିର୍ଭର ରେ ଆଶ୍ରୟ ଦେଇ କହୁଥିଲେ “କୁସୁମ,ମୋ ପୁଅ ଆଜି ମଣିଷ ଭଳିଆ ମଣିଷ ଟେ ହୋଇ ଯାଇଛି। ତମେ ଦେଖିବ ସେ ତା ଜୀବନରେ ଆଉ କୋଉଠି ବି ହାରିବନି।”
ଜଗନ ଗଭୀର ଆଶ୍ଲେଷରେ ବାପା କୁ କୁଣ୍ଢେଇ ଧରି ସ୍ୱଗତିକ କରୁଥିଲା “ମୋତେ କ୍ଷମା କରି ଦିଅ ବାପା, ମୋତେ କ୍ଷମା କରି ଦିଅ, ମୋ ଭୁଲ ମୁଁ ବୁଝି ପାରିଛି।”

ସନ୍ତୋଷ କୁମାର ସେଠୀ

ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,

ଯାଜପୁର।

Leave a Reply

Your email address will not be published. Required fields are marked *

You cannot copy content of this page