ବର୍ଷେ ହେଲା ଚାଷୀଙ୍କୁ ମିଳୁନି ବନ୍ୟା ସହାୟତା

ଦଶରଥପୁର (ସଙ୍କେତ ଖବର) : ୨୦୨୦ରେ ହୋଇଥିବା ବନ୍ୟାରେ ଚାଷୀମାନଙ୍କୁ ଏଯାବତ ମିଳିପାରି ନାହିଁ ସରକାରୀ ସହାୟତା । ଏନେଇ ତହସିଲଦାର ଏବଂ ବିଂଝାରପୁର ବିଧାୟୀକାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବି ମୁତାବକ ଦଶରଥପୁର ବ୍ଲକ ବୈତରଣୀ ନଦୀ ଦତ୍ତପୁର ଏବଂ କାଣୀ ନଦୀ ନୂଆଶାସନ ଓ କଣ୍ଟପଡା ଠାରେ ଘାଇ ହୋଇ ବ୍ଲକର ୧୯ଟି ପଂଚାୟତର ଚାଷ ଜମିକୁ ବନ୍ୟା ଜଳ ମାଡିଯାଇଥିଲା । ଚାଷୀମାନଙ୍କର ହୋଇଥିବା ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଯିବାରୁ ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଘୋଷଣାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଏଯାବତ ବିପନ୍ନ ଚାଷୀଙ୍କୁ ସହାୟତାରାଶି ମିଳିପାରିନାହିଁ । ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ବନ୍ୟା ଓ ଚଳିତ କରୋନା ସଂକ୍ରମଣରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ବହୁ ଦୁର୍ଦ୍ଦିନରେ ପରିବାର ପୋଷଣ କରିବା କଷ୍ଟସାଧ୍ୟ ହୋଇପଡିଲାଣି ଏଣୁ ତୁରନ୍ତ ଏହି ସହାୟତା ରାଶି ପ୍ରଦାନ କରିବାକୁ ନେଇ ଅସନପୁର ପଂଚାୟତ କେରୁଣା ଗ୍ରାମର ମନ୍ମଥ କୁମାର ମହାପାତ୍ର, ଶୁଶାନ୍ତ କୁମାର ମହାପାତ୍ର, ତାପସ କୁମାର ମିଶ୍ର, ମନୋଜ କୁମାର ଦାସ, ଶରତ କୁମାର ସାହୁ, ରଂଜନ କୁମାର ମହାନ୍ତି, ଦେବାଶିଷ ମହାପାତ୍ର, ନିରଂଜନ ମହାପାତ୍ର, ଶରତ ଚନ୍ଦ୍ର ତ୍ରିପାଠୀ, ବାବଜୀ ଜେନା, ବିପିନ ବିହାରୀ ଦାସଙ୍କ ସମେତ ବହୁ ଚାଷୀ ଦଶରଥପୁର ତହସିଲଦାର ସୌଭାଗ୍ୟ କୁମାର ବେହେରା ଏବଂ ବିଂଝାରପୁର ବିଧାୟୀକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।