ଗିନିସ ୱାଲ୍ଡ ରେକର୍ଡ଼ସରେ ସ୍ଥାନ ପାଇଲେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ।

0

ଭୁବନେଶ୍ୱର(ସଙ୍କେତ ଖବର) ଖବରକାଗଜ ସଂଗ୍ରହ କରି ନିଜକୁ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ କରାଇଥିବା ଓଡ଼ିଆ ପୁଅ ଶଶାଙ୍କ ଶେଖର ଦାଶ ଗିନିସ ୱାଲ୍ଡ ରେକର୍ଡ଼ସରେ ନିଜର ନାମ ଦରଜ କରିପାରିଛନ୍ତି  । ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଗିନିସ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି  । ଇଟାଲୀର ସେର୍ଗିଓ ବୋଦିନୀଙ୍କ ରେକର୍ଡ଼ ଭଙ୍ଗ କରି ଓଡ଼ିଆ ପୁଅ ଶଶାଙ୍କ ଗିନିସ ରେକର୍ଡ଼ ପ୍ରତିଷ୍ଠା କରିଥିବା ଜଣାଯାଏ  । ପୂର୍ବରୁ ଗିନିସ ରେକର୍ଡ଼ରେ ୧୪୪୪ଟି ଖବରକାଗଜ ସଂଗ୍ରହର ରେକର୍ଡ଼ ଥିଲା । ତେବେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ୪୫୧୫ଟି ଖବରକାଗଜ ସଂଗ୍ରହ କରି ତାଙ୍କର ରେକର୍ଡ଼ ଭଙ୍ଗ କରିବା ସହ ଭାରତକୁ ଏହି ରେକର୍ଡ଼ ଛଡ଼ାଇ ଆଣିଛନ୍ତି  ।

ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ବାସଭବନରେ ଆୟୋଜିତ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ସଂକଳ୍ପରୁ ସିଦ୍ଧି କିଛି ସଫଳ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିଥିଲେ  । ରାଜ୍ୟର ବିଭିନ୍ନ ସ୍ଥାନରୁ ନାନା ପ୍ରକାର କାର୍ଯ୍ୟକରି ଓଡ଼ିଶାର ନାମ ଉଜ୍ଜଳ କରିଥିବା ୧୦ ଜଣ ସାଧାରଣ ବ୍ୟକ୍ତିଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାଶଙ୍କୁ ରାଜ୍ୟପାଳ ଗିନିସ କତୃପକ୍ଷ ପ୍ରଦାନ କରିଥିବା ପ୍ରମାଣ ପତ୍ର ପ୍ରଦାନ କରିଥିଲେ  । ସୂଚନାଯୋଗ୍ୟ ଅନେକ ଦେଶ ଓ ଭାଷାର ଖବରକାଗଜ ସଂଗ୍ରହ କରିବା ପରେ ଶଶାଙ୍କ ଗିନିସ କତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ସେମାନଙ୍କ ପରାମର୍ଶରେ ସେ ଗତ ୨୦୧୯ ନଭେମ୍ବର ୩୦ ତାରିଖ ଦିନ ଏକ ପ୍ରଦର୍ଶନୀ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ କରିଥିଲେ  । ଏହି ପ୍ରଦର୍ଶନୀରେ ସେ ୪୪୪୪ଟି ଖବରକାଗଜ ପ୍ରଦର୍ଶନ କରାଇଥିଲେ  । ଏଠାରେ ବିଭିନ୍ନ ସାଧାରଣ ଲୋକଙ୍କ ଉପସ୍ଥିତରେ ଏହାର ଗଣତି କରାଯାଇଥିଲା । ପରେ ସମସ୍ତ ଆବଶ୍ୟକୀୟ ପ୍ରମାଣ ପତ୍ର ଶଶାଙ୍କ ଗିନିସ ଦ୍ୱାରା ପ୍ରଦାନ କରାଯାଇଥିବା ୱେବପୋର୍ଟାଲରେ ପଠାଇଥିଲେ  । କରୋନା କାରଣରୁ ଗିନିସ କତୃପକ୍ଷଙ୍କ ତରଫରୁ କୌଣସି ବ୍ୟକ୍ତି ଯୋଗ ଦେଇ ନଥିଲେ  ।
କରୋନା କାରଣରୁ ଗିନିସ କତୃପକ୍ଷଙ୍କ କାର୍ଯ୍ୟାଳୟ ଅନେକ ଦିନ ବନ୍ଦ ରହିବାରୁ ଆବଶ୍ୟକୀୟ ଯାଂଚ ବିଳମ୍ବ ହୋଇଥିଲା  । ଏହି ବିଳମ୍ବ ସମୟ ମଧ୍ୟରେ ଆହୁରି କିଛି ଖବରକାଗଜ ତାଙ୍କ ସଂଗ୍ରହରେ ଯୋଡ଼ି ହେଲା ପରେ ସେ ଗିନିସ କତୃପକ୍ଷଙ୍କୁ ଏ ସଂପର୍କରେ ଜଣାଇଥିଲେ  । ପରେ ଯାଂଚ ସମୟରେ ଗିନିସ କତୃପକ୍ଷ ଶଶାଙ୍କଙ୍କ ପ୍ରଦାନ କରିଥିବା ତଥ୍ୟ ଉପରେ ସନ୍ତୁଷ୍ଟ ହୋଇଥିଲେ ଓ ତାଙ୍କର ରେକର୍ଡ଼କୁ ମାନ୍ୟତା ପ୍ରଦାନ କରିଥିଲେ  । ୨୦୨୨ରେ ଘୋଷଣା ହୋଇଥିବା ଏହି ରେକର୍ଡ଼ ଅଧୁନା ଗିନିସ ୱେବସାଇଟରେ ଉପଲବ୍ଧ  । ତେବେ ୨୦୨୩ ମସିହା ପୁସ୍ତକରେ ଏହା ପ୍ରକାଶ ପାଇବ  ।


ସୂଚନାଯୋଗ୍ୟ ଶଶାଙ୍କ ଖବରକାଗଜ ସଂଗ୍ରହ କରିବା ସହ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦ ଗ୍ରାମରେ ନିଜ ବାପାଙ୍କ ନାମରେ ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଂଟର ପ୍ରତିଷ୍ଠା କରିଛନ୍ତି । ସେଠାରେ ତାଙ୍କର ସଂଗୃହିତ ଖବରକାଗଜ ସେ ସାଇତି ରଖିଛନ୍ତି  । ପ୍ରତ୍ୟେକ ଖବରକାଗଜକୁ ଜରି ଦ୍ୱାରା ପ୍ୟାକେଟ କରାଯାଇଛି  । ନିଜର ସ୍ୱଳ୍ପ ଆୟରେ ସେ ଯାହା ସମ୍ଭବ କରି ପାରିଛନ୍ତି  । ଯଦି ସରକାର ଏକ ମ୍ୟୁଜିୟମ ପ୍ରତିଷ୍ଠା କରନ୍ତି ତେବେ ଏଗୁଡ଼ିକ ସୁରକ୍ଷିତ ରହିପାରିବ ଓ ସାଧାରଣ ଲୋକଙ୍କ କାର୍ଯ୍ୟରେ ଲାଗି ପାରିବ  । ଏହାଛଡ଼ା ତାଙ୍କର ଶ୍ରମ ସାର୍ଥକ ହେବ ବୋଲି ସେ କହିଛନ୍ତି  । ଏଥିପାଇଁ ନିକଟରେ ସେ ମୁଖ୍ୟମନ୍ତ୍ରଙ୍କୁ ଏକ ଇମେଲରେ ଚିଠି ପଠାଇଛନ୍ତି  ।
ସୂଚନାଯୋଗ୍ୟ ଶ୍ରୀ ଦାଶ ଗତ ୨୦୦୦ ମସିହାରୁ ଖବରକାଗଜ ସଂଗ୍ରହ କରୁଛନ୍ତି  । ସେ ପ୍ରଥମେ ପ୍ରଥମେ ଓଡ଼ିଆ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ  । ପରେ ଓଡ଼ିଶାରୁ ପ୍ରକାଶ ପାଉଥିବା ଅନ୍ୟ ଭାଷାର ଖବରକାଗଜ ଓ ଏହା ପରେ ଭାରତର ବିଭିନ୍ନ ରାଜ୍ୟର ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ  । ଇତିମଧ୍ୟରେ ତାଙ୍କ ନିକଟରେ ମୋଟ ଖବରକାଗଜ ସଂଖ୍ୟା ୧୦୦୦୦ରୁ ଅଧିକ ହୋଇଥିବା ବେଳେ ଏହା ୫୧୦୦ ପ୍ରକାରର ଅଟେ  । ଏଗୁଡ଼ିକ ୧୫୩ଟି ଦେଶର ହୋଇଥିବାବେଳେ ୯୪ଟି ଭାଷାର ଅଟେ  ।
ସୂଚନାଯୋଗ୍ୟ ଶଶାଙ୍କ ପୂର୍ବରୁ ତିନିଥର ଲିମକା ବୁକ ଅଫ ରେକର୍ଡ଼ସ, ଥରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସ, ଥରେ କ୍ରେଡ଼େନ୍ସ ବୁକ ଅଫ ୱାଲ୍ଡ ରେକର୍ଡ଼ସ ଓ ଥରେ ଓଏମଜି ରେକର୍ଡ଼ ବୁକରେ ସାମିଲ ହୋଇଛନ୍ତି  ।
ଶଶାଙ୍କ ତାଙ୍କ ସଂଗ୍ରହକୁ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶିତ କରିଛନ୍ତି  । ବାରିପଦା ପୌରପରିଷଦରେ ଦୁଇଥର, ଢେଙ୍କାନାଳ ଜନସଂଚାର ସଂସ୍ଥାନରେ ଥରେ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଥରେ, ଭୁବନେଶ୍ୱର ପୁସ୍ତକ ମେଳାରେ ୧୨ ଦିନ ପାଇଁ ଥରେ, ହରିୟାନାର ଫରିଦାବାଦସ୍ଥିତ ଜେ ସି ବୋଷ ବିଶ୍ୱବିଦ୍ୟାଳୟରେ ଥରେ, ନୂଆଦିଲ୍ଲୀର ରାଜୀବ ଗାନ୍ଧି ଫାଉଣ୍ଡେସନଠାରେ ଥରେ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଦୁଇ ଦିନ ପାଇଁ ଥରେ ଓ ଓଡ଼ିଶା ରାଜ୍ୟ ଅଭିଲେଖଗାରରେ ୧୫ ଦିନ ପାଇଁ ଥରେ ପ୍ରଦର୍ଶନ କରିଛନ୍ତି  । ଏହି ସମୟରେ ପାଖାପାଖି ୫ ଲକ୍ଷ ଲୋକ ଏହାକୁ ଦେଖିବାର ସୁଯୋଗ ପାଇଛନ୍ତି  ।
ଶଶାଙ୍କଙ୍କ ନିକଟରେ ଓଡ଼ିଶାର ପ୍ରଥମ ଖବରକାଗଜ ଉତ୍କଳ ଦୀପିକାର ୧୯୩୦ ମସିହା ଜେରକ୍ସ କପି, ସମାଜର ୧୯୬୫ ମସିହା କପି, ପ୍ରଜାତନ୍ତ୍ରର ୧୯୫୬ ମସିହା କପି, ପାଟଣା ଦୀପିକାର ୧୯୪୫ ମସିହା କପି, ଦୈନିକ ମାତୃଭାଷାର ୧୯୭୧ ମସିହା କପି, ସାପ୍ତାହିକ ମାତୃଭାଷାର ୧୯୫୩ ମସିହା କପି, ବିଜୁ ପଟ୍ଟନାୟକଙ୍କ କଳିଙ୍ଗର ୧୯୭୧ ମସିହା କପି ଆଦି ସଂଗୃହିତ ହୋଇ ପାରିଛି  ।
ଶଶାଙ୍କଙ୍କ ସଂଗ୍ରହରେ ରହିଥିବା ସମସ୍ତ ଖବରକାଗଜ ମଧ୍ୟରେ ୧୮୪୦ ମସିହାର କାଥିଆୱାଡ଼ା (ଗୁଜୁରାଟୀ) ସବୁଠୁ ପୁରାତନ ଖବରକାଗଜ ଅଟେ  । ତାଙ୍କ ନିକଟରେ କଳିଙ୍ଗ, ଓଡ଼ିଶା ଓ ଉତ୍କଳ ନାମ ଥାଇ ୧୦୦ରୁ ଅଧିକ ଖବରକାଗଜ ରହିଥିବାବେଳେ ଓଡ଼ିଶାରୁ ପ୍ରକାଶିତ ୨୧୨ ପ୍ରକାର ଦୈନିକ ଖବରକାଗଜ ରହିଛି  । ସେହିପରି ମୋଟ ୧୬୦୦ରୁ ଅଧିକ ଓଡ଼ିଶାର ଖବରକାଗଜ ସେ ସଂଗ୍ରହ କରିପାରିଛନ୍ତି  । ଖବରକାଗଜକୁ ନେଇ ତାଙ୍କର କ୍ଷୁଦ୍ର ପୁସ୍ତକ ଖବରକାଗଜ ଅନେକ କଥା ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥିବାବେଳେ ଅଧୁନା ସେ ଅନ୍ୟ ଏକ ପୁସ୍ତକ ପ୍ରକାଶ ନିମନ୍ତେ କାର୍ଯ୍ୟ କରୁଛନ୍ତି  ।


ଖବରକାଗଜ ଅନେକ କଥା ପୁସ୍ତକ ସହ ତାଙ୍କର ମୋଟ ୭ଟି କ୍ଷୁଦ୍ର ପୁସ୍ତକ ବିଭିନ୍ନ ସମୟରେ ପ୍ରକାଶ ପାଇଛି  । ତାଙ୍କର ବଡ଼ ଲୋକଙ୍କ ପିଲାଦିନ ପୁସ୍ତକଟି ରାଜା ରାମମୋହନ ରାୟ ଲାଇବ୍ରେରୀ କ୍ରୟ କରିଛି  । ସେ ଶିଶୁ ପ୍ରତିଯୋଗୀ ନାମକ ଓଡ଼ିଶାର ପ୍ରଥମ ଶିଶୁ ଖବରକାଗଜ ମଧ୍ୟ ପ୍ରକାଶ କରୁଥିଲେ  । ଯାହା ଅଧୁନା ବନ୍ଦ ରହିଛି  ।
ଯଦି କାହା ପାଖରେ କିଛି ପୁରୁଣା ଓ ନୂଆ ଖବରକାଗଜ ଅଛି ତାହା ସେ ଦାନ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ସହ ଯୋଗାଯୋଗ କରିପାରିବେ  । ତାଙ୍କ ନମ୍ବର ହେଉଛି- ୯୮୬୧୧୭୨୬୦୫

Leave a Reply

Your email address will not be published. Required fields are marked *

You cannot copy content of this page