ପଥର ମାପିଂଆଙ୍କ ବିରୋଧରେ ଏତଲା ଦେଲେ ବିଜେଡି ନେତା ସତୀଶ ବିଶ୍ୱାଳ

0

ଯାଜପୁର(ସଂକେତ ଖବର): ସମସ୍ତ ପ୍ରକାର ହରିଲୁଟ ପାଇଁ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲାର ଧର୍ମଶାଳା । ଏଠାରେ କେତେକ ମାଫିଆ ନିୟମିତ ହରିଲୁଟ ଚଲାଇଥିବା ବେଳେ ଏହାକୁସୁରକ୍ଷା ଯୋଗାଇ ଆସିଛନ୍ତି କ୍ଷମତାସୀନ ନେତା ଏବଂ ସରକାରୀ କଳ । ଏଥିପାଇଁ ଦୁର୍ନିତି ବିରୋଧରେ ଜିରୋ ଟଲରାନ୍ସ ଏବଂ ୫-ଟି ର ସ୍ଳୋଗାନ ଦେଉଥିବା ନବୀନ ସରକାର ବଦନାମ ହେଉଛନ୍ତି । ଓଡିଶା ସରକାରଙ୍କ ସମ୍ପଦ ହରିଲୁଟ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରି ଧର୍ମଶାଳା ଥାନାରେ ଶୁକ୍ରବାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଏତଲା ଦେବା ଘଟଣା ଏବେ ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।

ଧର୍ମଶାଳା ଥାନାରେ ଦେଇଥିବା ଏତଲାରେ ସତୀଶ ଅଭିଯୋଗ କରିଛନ୍ତି ଯେ, ଧର୍ମଶାଳା ଥାନା ଅଧୀନ ନାକପୋଲ-ସାରୋଇ ପୂର୍ତ ବିଭାଗ ରାସ୍ତାରେ ସାରୋଇ ଏବଂ ଧର୍ମଶାଳା ଫିଲ୍ମ ହଲ ନିକଟରେ ନାଳବନ୍ଧ ରାସ୍ତାରେ ଥିବା ଦୁଇଟି ଲୁହା ପିଲାର ଗେଟକୁ ଦୁର୍ବୁତ ମାନେ ପ୍ରାୟ ଦୁଇ ମାସ ହେବ ଭାଙ୍ଗି ଦେଇଛନ୍ତି । ବିଭିନ୍ନ କାରଣରୁ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ଗେଟ ସରକାରଙ୍କ ତରଫରୁ କରାଯାଇଥିଲା । ସରକାରଙ୍କ କୋଟି କୋଟି ଟଙ୍କାର କଳାପଥର ଏବଂ ବାଲି ଚୋରା ଚାଲାଣ ପାଇଁ ଏହି ଗେଟକୁ ଭାଙ୍ଗି ଦିଆ ଯାଇଛି । ଏହା ଫଳରେ ସରକାର ଦୈନିକ ବହୁ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ରାସ୍ତାରେ ଭାରିଯାନ ଚଳପ୍ରଚଳ ହେବା ଫଳରେ ନିମ୍ନ ମାନର ନବନିର୍ମିତ ରାସ୍ତା ଅଧିକ ଖରାପ ହେଉଛି । ଏଥିନେଇ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ବଢୁଥିବା ବେଳେ କେତେକ ବୁଦ୍ଧିଜୀବି ଏଥିନେଇ ସ୍ୱର ଉଠାଇଛନ୍ତି ଏବଂ ସରକାରଙ୍କୁ ଟୁଇଟ ମଧ୍ୟ କରିଛନ୍ତି । ଓ.ଏମ.ଏମ.ସି ରୁଲ କ୍ଷେତ୍ରରେ ଏବଂ ସର୍ବସାଧାରଣ ସମ୍ପତି ନଷ୍ଟ ନେଇ ପୋଲିସ ନିଜ ଆଡୁ ଏତଲା ରୁଜୁ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣର କ୍ଷମତା ରହିଛି । କିନ୍ତୁ ଧର୍ମଶାଳାରେ ଏହାର ବ୍ୟତିକ୍ରମ ହୋଇଛି ।

ଏହି ରାସ୍ତାରେ ଟ୍ରକରୁ ବାଲି ଓ କଳାପଥର ପଡି ଗଦା ହୋଇ ରହୁଥିବାରୁ ଲୋକେ ରାସ୍ତାରେ ଯାତାୟତ କରିପାରୁ ନାହାନ୍ତି । ପୂର୍ତ ବିଭାଗର ସ୍ଥାନୀୟ ଜେଇ, ଏସଡିଓ,ନିର୍ବାହୀଯନ୍ତ୍ରୀଙ୍କ ତରଫରୁ ଏଥିନେଇ ଏତଲା ଦିଆଯାଇ ନାହିଁ କିମ୍ବା ଧର୍ମଶାଳା ତହସିଲ ତରଫରୁ ଏଭଳି ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ନେଇ ଥାନାରେ ଏତଲା ଦିଆଯାଉ ନାହିଁ ବୋଲି ଗଣମାଧ୍ୟମରେ ପୂର୍ବରୁ ଖବର ପ୍ରକାଶ ପାଇଛି । ଏଭଳି କାର‌୍ୟ୍ୟ ରାଜ୍ୟ ସରକାରଙ୍କ ସ୍ୱାର୍ଥ ବିରୋଧୀ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ
ଏହା ଏକ ଷଡଯନ୍ତ୍ର । କାରଣ ଏଥିପାଇଁ ଗୋଟିଏ ପଟରେ ରାଜ୍ୟର ସମ୍ପତି ତଥା ରାସ୍ତା ନଷ୍ଟ ହେଉଥିବା ବେଳେ ଅପର ପକ୍ଷରେ ଚୋରା ଚାଲାଣ ପାଇଁ ସରକାର ବହୁ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ସେହିପରି ଲଘୁ ଖଣିଜ ଦ୍ରବ୍ୟ ଚୋରୀକୁ ମଧ୍ୟ ସରକାରୀ କଳ ତରଫରୁ ସହାୟତା ପ୍ରଦାନ କରାଯାଉଛି ।
ଏଥିପାଇଁ ସଂପୃକ୍ତ ପୂର୍ତ ବିଭାଗ ଅଧିକାରୀ ଏବଂ ତହସିଲ କର୍ତୁପକ୍ଷଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୭୯/୫୧୧, ୧୦୯ ଏବଂ ୧୨୦(ବି) ଧାରାରେ ଏତଲା ରୁଜୁ କରିବାକୁ ବିଜେଡି ନେତା ସତୀଶ ବିଶ୍ୱାଳ ଦାବୀ କରିଛନ୍ତି । କାରଣ ଏମାନେ ଏଥିନେଇ ଅଦ୍ୟାବଧି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନାହାନ୍ତି କିମ୍ବା ଥାନାରେ ଏତଲା ଦେଇ ନାହାନ୍ତି । ଏଥିସହ ସଂପୃକ୍ତ ଦୃର୍ବୁତ ଏବଂ ଗେଟ ଭାଙ୍ଗିବାରେ ମୂଳ ଚକ୍ରାନ୍ତକାରୀଙ୍କ ବିରୋଧରେ ତୁରନ୍ତ ଦୃଢ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ
କରିବା ପାଇଁ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page