ବନ୍ୟା ଚିନ୍ତା, ସଚିବାଳୟରେ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା, ହେଲିକ୍ୟାପ୍ଟର ଯୋଗେ ହେବ ଉଦ୍ଧାର କାର୍ଯ୍ୟ

0

ଭୁବନେଶ୍ୱର (ସଂକେତ ଖବର ବ୍ୟୁରୋ)

ସାମୁଦ୍ରିକ ଝଡ ତିତଲି ପ୍ରଭାବରେ ରାଜ୍ୟର ଗଂଜାମ, ଗଜପତି ଓ ରାୟଗଡା ରେ ପ୍ରବଳ ବର୍ଷା ହୋଇଛି । ଯାହା ପଂଳରେ ଏହି ୩ଟି ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟୁତ ସରବରାହ ଓ ଗମନାଗମନ ଏହି ଜିଲ୍ଲାରେ ବାଧାପ୍ରାପ୍ତ ହୋଇଛି। ଏ ନେଇ ଆଜି ସଚିବାଳୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ବହୁଲୋକ ଜଳବନ୍ଦୀ ଥିବାରୁ ଏୟାର ଲିଫ୍ଟର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳମାନେ ଜଣାଇଛନ୍ତି । ପ୍ରଭାବିତଙ୍କୁ ଅଞ୍ଚଳରେ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିଭଳି ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଶାଖାପାଟଣାରୁ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ହେଲିକପ୍ଟର ଆସୁଛି ।

ଅନ୍ୟପଟେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ସଂପୃକ୍ତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତିର ଆକଳନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୁରୁଷୋତ୍ତମପୁର ଅଧିକ ଭାବେ ପ୍ରଭାବିତ ହୋଇଛି । ଆସିକା ସହର ମଧ୍ୟ ଜଳବନ୍ଦୀ ହୋଇଛି। ତେଣୁ ହେଲିକପ୍ଟର ସହାୟତା ଲୋଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେହିଭଳି ରାୟଗଡ଼ାରେ ଅନେକ ସ୍ଥାନରେ ଗଛ ପଡ଼ି ଯୋଗାଯୋଗ ବିଛିନ୍ନ ହୋଇଛି । ତେଣୁ ତୁରନ୍ତ ଅଧିକ ଉଦ୍ଧାରକାରୀ ଦଳ ପଠାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଏବଂ ମାଗଣାରେ ଔଷଧ ଯୋଗାଇଦେବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

Leave a Reply

Your email address will not be published. Required fields are marked *

You cannot copy content of this page